Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ପୌରପାଳିକା କର୍ମଚାରୀ, ୩୦ ହଜାର ଲାଞ୍ଚ ନେଉଥିଲେ

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାର ବିରମିତ୍ରପୁର ପୌରପାଳିକାର ଜଣେ କର୍ମଚାରୀଙ୍କୁ ଓଡ଼ିଶା ଭିଜିଲାନ୍ସ ବିଭାଗ ଶନିବାର ଦିନ ଗିରଫ କରିଛି। ତାଙ୍କ ବିରୋଧରେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ’ (PMAY-Urban) ର ଜଣେ ହିତାଧିକାରୀଙ୍କ ଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ରହିଛି।

ଅଭିଯୁକ୍ତ ଜଣକ ହେଲେ ବିରମିତ୍ରପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ‘ଇନ୍‌ଫ୍ରାଷ୍ଟ୍ରକଚର୍ ଏକ୍ସପର୍ଟ’ (Infrastructure Expert) ଭାବେ କାର୍ଯ୍ୟରତ ବୈବସ୍ୱତ ମନୁ ରାଉତ।

ଭିଜିଲାନ୍ସ ବିଭାଗ ପକ୍ଷରୁ ଜାରି ଏକ ବିବୃତ୍ତି ଅନୁଯାୟୀ, ଏହି ଯୋଜନା ଅଧୀନରେ ଘର ନିର୍ମାଣ ପାଇଁ ମଞ୍ଜୁର ହୋଇଥିବା ମୋଟ ୨.୫ ଲକ୍ଷ ଟଙ୍କା ମଧ୍ୟରୁ ବାକି ଥିବା ୧,୩୦,୦୦୦ ଟଙ୍କା ପ୍ରଦାନ କରାଇଦେବା ପାଇଁ ସେ ଜଣେ ହିତାଧିକାରୀଙ୍କ ଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ।

ହିତାଧିକାରୀ ଜଣକ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ସେ ବାକି ଟଙ୍କା ପ୍ରଦାନ ପାଇଁ କୌଣସି ପଦକ୍ଷେପ ନେଉନଥିଲେ। ବରଂ ଉକ୍ତ ଟଙ୍କା ମଞ୍ଜୁର କରାଇଦେବା ବଦଳରେ ୩୦,୦୦୦ ଟଙ୍କା ଦାବି କରିଥିଲେ। ଅଭିଯୋଗକାରୀ ଜଣକ ଜଣେ ଗରିବ ଆଦିବାସୀ ଏବଂ ଏହି ଆବାସ ଯୋଜନାର ହିତାଧିକାରୀ ହୋଇଥିବାରୁ ସେ ଏତେ ଟଙ୍କା ଦେବାକୁ ଅକ୍ଷମ ବୋଲି ଜଣାଇଥିଲେ। ତଥାପି ବୈବସ୍ୱତ ମନୁ ରାଉତ ଲାଞ୍ଚ ନେବା ପାଇଁ ଜିଦ୍ ଧରି ବସିଥିଲେ।

ବାରମ୍ବାର ହଇରାଣ ହେବା ପରେ ଏବଂ ଟଙ୍କା ଦେବାକୁ ଅକ୍ଷମ ହେବାରୁ ଅଭିଯୋଗକାରୀ ଜଣକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଏ ବିଷୟରେ ଜଣାଇଥିଲେ। ଏହା ପରେ ଆଜି ଭିଜିଲାନ୍ସର ଏକ ଟିମ୍ ଅଭିଯୋଗକାରୀଙ୍କ ଠାରୁ ୩୦,୦୦୦ ଟଙ୍କା ନେଉଥିବା ସମୟରେ ତାଙ୍କୁ କାବୁ କରିଥିଲା।

ଅଭିଯୁକ୍ତଙ୍କ ନିକଟରୁ ଲାଞ୍ଚ ବାବଦକୁ ନିଆଯାଇଥିବା ସମସ୍ତ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି।

ଏହି ଘଟଣାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ‘ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮’ (Prevention of Corruption (Amendment) Act, 2018) ଅଧୀନରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।

Leave A Reply

Your email address will not be published.