ବ୍ରହ୍ମପୁର: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ୫ଟି ଜିଲ୍ଲାର ୭୭୫ ତୀର୍ଥଯାତ୍ରୀ ଓ ୨୫ଜଣ ଏସ୍କର୍ଟ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ବ୍ରହ୍ମପୁର ରେଳ ଷ୍ଟେସନରୁ ତୀର୍ଥ ଟ୍ରେନର ଉଦଘାଟନ କରିଥିଲେ l ସମସ୍ତ ତୀର୍ଥଯାତ୍ରୀଙ୍କୁ ଅଧିଷ୍ଠାତ୍ରୀ ମାଆ ବୁଢ଼ୀ ଠାକୁରାଣୀ ପୀଠରୁ ବାହାରି ପବିତ୍ର ଗଙ୍ଗା ଘାଟ, ବାରାଣସୀର ଶୈବ ପୀଠ, ଗଙ୍ଗା ଆଳତି, କାଶୀ ବିଶ୍ଵନାଥ ପରିଦର୍ଶନ କରିବେ ।
ଶ୍ରୀରାମ ଲଲାଙ୍କ ସାନ୍ନିଧ୍ୟ ଲାଭ କରି ନିଜର ମନସ୍କାମନା ପୁରଣ କରି ଫେରିବେ ବୋଲି କହିଥିଲେ l ୫ ରାତି ଓ ୬ ଦିନ ଯାତ୍ରାର ସୁଖମୟ ହେଉ ବୋଲି ପ୍ରଭୁ ଜଗନ୍ନାଥଙ୍କ ଠାରେ କାମନା କରିଥିଲେ l ସାଥିରେ ଯାଉଥିବା ଏସ୍କର୍ଟ ଅଧିକାରୀମାନଙ୍କୁ ତୀର୍ଥଯାତ୍ରୀଙ୍କ ଯେପରି କୌଣସି ଅସୁବିଧା ନହେବ ସେଥିପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ l
ତେବେ ଏହି ଟ୍ରେନରେ ଗଞ୍ଜାମ, ଗଜପତି, ବୌଦ୍ଧ, ନୟାଗଡ଼ ଓ କନ୍ଧମାଳର ତୀର୍ଥଯାତ୍ରୀ ଯାତ୍ରା କରିଛନ୍ତି l ଗଜପତି ଜିଲ୍ଲାରୁ ୭୨, ନୟାଗଡ଼ରୁ ୧୧୯, କନ୍ଧମାଳରୁ ୯୧, ବୌଦ୍ଧରୁ ୫୫ ଓ ଗଞ୍ଜାମରୁ ୪୩୮ ଜଣ ତୀର୍ଥଯାତ୍ରୀ ସାମିଲ ହୋଇଛନ୍ତି l ବ୍ରହ୍ମପୁରରେ ଗୁରୁବାର ରାତ୍ରିରେ ରେଳ ଷ୍ଟେସନ ନିକଟସ୍ଥ ଗୁରୁକୁଳ ସ୍କୁଲରେ ସ୍ବାଗତ କରି ସେମାନଙ୍କର ରହଣି, ସ୍ବାସ୍ଥ୍ୟ ପରୀକ୍ଷା, ଖାଦ୍ୟ ପେୟ, ଭୋଜନ ସନ୍ଧ୍ୟା ଇତ୍ୟାଦି ସମସ୍ତ ସୁବିଧାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ତରଫରୁ କରାଯାଇଥିଲା l
Comments are closed.