Latest Odisha News

BREAKING NEWS

ସ୍କୁଲ ଯାଉଛନ୍ତି ୭୮ ବର୍ଷ ବୟସ୍କ ବୃଦ୍ଧ, ଛୋଟ ଛୋଟ ପିଲାଙ୍କ ସହ ବସି ପଢୁୁଛନ୍ତି ପାଠ

ମିଜୋରାମ: କୁହାଯାଏ ଶିକ୍ଷାଦାନ କରିବାର କୌଣସି ବୟସସୀମା ନାହିଁ । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ମିଜୋରାମର ଜଣେ ୭୮ ବର୍ଷୀୟ ବୃଦ୍ଧ । ସେ ଏହି ବୟସରେସ୍କୁଲରେ ନାମ ଲେଖାଇବା ସହ ଛୋଟ ଛୋଟ ପିଲାଙ୍କ ମେଳରେ ବସି ମଧ୍ୟ ପାଠ ପଢୁଛନ୍ତି । ଏଥିଲାଗି ତାଙ୍କୁ ୩ କିମି ରାସ୍ତା ଯିବାକୁ ବି ପଡ଼ୁଛି । ବୃଦ୍ଧଙ୍କ ଏପରି ଆଗ୍ରହକୁ ଲୋକେ ପ୍ରଶଂସା କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିିଛନ୍ତି ।

ମିଜୋରାମର ଚମ୍ପାଇ ଜିଲ୍ଲାର ଖୁଆଲେଙ୍ଗ ଗ୍ରାମର ଲାଲରିଙ୍ଗ ଥାରା । ବୟସ ୭୮ ବର୍ଷ । ଏବେ ସେ ନ୍ୟୁ ହ୍ରୁକୋନରେ ଥିବା ଏକ ଚର୍ଚ୍ଚରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି । ଲାଲରିଙ୍ଗ ଏବେ ଖୁବ୍ ଚର୍ଚ୍ଚାରେ । କାରଣ ଯେଉଁ ବୟସରେ ଲୋକମାନେ ଘରେ ବିଶ୍ରାମ ନେବାକୁ ପସନ୍ଦ କରନ୍ତି, ସେହି ବୟସରେ ଲାଲରିଙ୍ଗ ସ୍କୁଲରେ ନାମ ଲେଖାଇଛନ୍ତି । ତାହା ପୁଣି ୯ ମ ଶ୍ରେଣୀରେ । ତାଙ୍କର ପାଠ ପ୍ରତି ଆଗ୍ରହ ଯୋଗୁ ସେ ପ୍ରତ୍ୟେକ ଦିନ ବିଦ୍ୟାଳୟକୁ ବି ଯାଉଛନ୍ତି । ଗାଁ ନିକଟରେ ସ୍କୁଲ ନ ଥିବାରୁ ୩ କିଲୋମିଟର ଚାଲି ଚାଲି ଯାଉଛନ୍ତି । ଛୋଟ ଛୋଟ ପିଲାଙ୍କ ମେଳରେ ବସି ଖୁସିରେ ମଧ୍ୟ ପଢୁଛନ୍ତି । ବିଦ୍ୟାଳୟ ପକ୍ଷରୁ ତାଙ୍କୁ ୟୁନିଫର୍ମ ଏବଂ ବହି ମଧ୍ୟ ଯୋଗାଇ ଦିଆଯାଇଛି ।

ଲାଲରିଙ୍ଗ କହିଛନ୍ତି ଯେ, ମୋ ବାପାଙ୍କ ମୃତ୍ୟୁ ପରେ ମୁଁ ଅନୁଭବ କଲି ଯେ ମୋର ସ୍ୱପ୍ନ ଭାଙ୍ଗି ଯାଇଛି । ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସବୁ ପ୍ରକାର ଅସୁବିଧାରେ ଘେରି ରହିଥିଲୁ । ବାଧ୍ୟ ହୋଇ ମୋର ପାଠପଢାରେ ଡ଼ୋରି ବାନ୍ଧିବାକୁ ପଡ଼ିିଲା । ଯେତେବେଳେ ମୁଁ ମୋ ମା ସହିତ କାମ କରିବାକୁ ଅନ୍ୟ ସହରକୁ ଯାଇଥିଲି, ସେତେବେଳେ ମୋର ପାଠ ପଢିବାକୁ ପୁଣି ଇଚ୍ଛା ହେଲା । ସେଠାରେ ମୁଁ ୫ ଶ୍ରେଣୀରେ ଆଡମିଶନ କଲି । ଅଷ୍ଟମ ଯାଏ ବହୁ କଷ୍ଟରେ ପଡ଼ିଲି । ତଥାପି ଅର୍ଥ ସାଜିଲା ବାଧକ । ମୋର ପାଠପଢା ପ୍ରତି ମୋହ ତୁଟି ନ ଥିଲା । ମୋର ଆଗ୍ରହ ଯୋଗୁ ଗତ ଏପ୍ରିଲରେ, ୯ ମ ଶ୍ରେଣୀରେ ନାମ ଲେଖାଇଛି । ମୋତେ ଛୋଟଛୋଟ ପିଲାଙ୍କ ସହ ବସି ପାଠ ପଢିବାକୁ ଭଲ ଲାଗୁଛି । ମୋତେ ଇଂଲିଶି ଶିଖିବାକୁ ବହୁତ ଇଛା ।

Leave A Reply

Your email address will not be published.