ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବାଧୀନତା ଦିବସର ସ୍ୱତନ୍ତ୍ର ପଗଡ଼ି: ୧୨ ବର୍ଷରେ କିଛି ଏମିତି ୧୨ ଭିନ୍ନ ପଗଡିରେ ଆସିଛନ୍ତି ନଜର…..
ନୂଆଦିଲ୍ଲୀ: ଗତ ୧୧ ବର୍ଷ ପରି ଏଥର ମଧ୍ୟ ଲାଲ ଚୌକରେ ଭାରତୀୟଙ୍କ ଗର୍ବର ପ୍ରତୀକ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତ୍ୟେକ ଥର ସ୍ୱାଧୀନତା ଦିବସ ପାଇଁ ଦେଶବାସୀ ଯେତିକି ଉତ୍ସାହିତ ଥାଆନ୍ତି, ସେତିକି ଉତ୍ସାହିତ ଥାଆନ୍ତି ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ଭାଷଣ ପାଇଁ ମଧ୍ୟ । ହେଲେ ଗତ ୧୧ ବର୍ଷ ଧରି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଲାଲଗଡରୁ ଦେଶବାସୀଙ୍କୁ ସମ୍ବୋଧିତ କରୁଥିବା ବେଳେ ଏଥିରେ ସବୁବେଳେ ଚର୍ଚ୍ଚାରେ ରହିଥାଏ ମୋଦିଙ୍କର ପଗଡି । ପ୍ରଧାନମନ୍ତ୍ରୀ ମୋଦି ପ୍ରତିବର୍ଷ ଏକ ଭିନ୍ନ ପ୍ରକାରର ପଗଡ଼ି ପିନ୍ଧନ୍ତି । ଯାହା ରଙ୍ଗ କେବେ ନାଲି ତ କେବେ ଗେରୁଆ ରହିଛି । କିନ୍ତୁ ଆକର୍ଷଣ ସମାନ ରହିଛି । ତେବେ ଆସନ୍ତୁ ଜାଣିବା ଗତ ୧୨ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି କେଉଁ ପ୍ରକାରର ପାରମ୍ପରିକ ପଗଡ଼ି ପିନ୍ଧିଛନ୍ତି…..
ଆଜି ଅଗଷ୍ଟ ୧୫, ୨୦୨୫ ସ୍ବାଧୀନତା ଦିବସ ଅବସରରେ ମଧ୍ୟ ମୋଦିଙ୍କର ସ୍ବତନ୍ତ୍ର ପଗଡି ପରିଧାନ ଦେଖିବାକୁ ମିଳିଥିଲା । ଏଥର ପ୍ରଧାନମନ୍ତ୍ରୀ ମୋଦି କେଶର ରଙ୍ଗ ବାଛିଥିଲେ। ଏହି ଅବସରରେ, ତାଙ୍କୁ ଏପରି ପୋଷାକରେ ଦେଖିବାକୁ ମିଳିଥିଲା, ଯେଉଁଥିରେ ଅଧିକାଂଶ କେଶର ଅର୍ଥାତ୍ କମଳା ରଙ୍ଗ ଥିଲା । ବଉ ପଗଡିଟି ପୂରା କମଳା ରଙ୍ଗରେ ଆଚ୍ଛାଦିତ ହୋଇଥିଲା ।

୨୦୧୪ରେ, ଯେତେବେଳେ ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ତାଙ୍କର ପ୍ରଥମ ସ୍ୱାଧୀନତା ଦିବସ ପାଳନ ପାଇଁ ଲାଲକିଲ୍ଲାରେ ପହଞ୍ଚିଥିଲେ, ସେତେବେଳେ ତାଙ୍କୁ ଏକ ପାରମ୍ପରିକ ରାଜସ୍ଥାନୀ ବନ୍ଧେଜ ପଗଡ଼ି ପିନ୍ଧିବାର ଦେଖିବାକୁ ମିଳିଥିଲା ।

୨୦୧୫ରେ, ସେ ଏକ କ୍ରିସ୍-କ୍ରାସ୍ ରାଜସ୍ଥାନୀ ଶୈଳୀର ପଗଡ଼ି ପିନ୍ଧିଥିଲେ । ଏଥିରେ ହଳଦିଆ ସହିତ ଲାଲ ଏବଂ ଗାଢ଼ ସବୁଜ ରଙ୍ଗର ଗାର ଗାର ରହିଥିଲା ।

୨୦୧୬ରେ, ସେ ଏକ ଗୋଲାପୀ ଏବଂ ହଳଦିଆ ଟାଇ-ଡାଇ ପଗଡ଼ି ପିନ୍ଧିଥିଲେ। ପଗଡ଼ିର ବିଶେଷତ୍ୱ ଥିଲା ଏହାର ଅନନ୍ୟ ଡିଜାଇନ୍, ଯାହା ଅନେକ ରଙ୍ଗର ମିଶ୍ରଣ ଥିଲା।

୨୦୧୭ ଜ୍ୟାମିତିକ ଢାଞ୍ଚା ସହିତ ଏକ ଉଜ୍ଜ୍ୱଳ ହଳଦିଆ ପଗଡ଼ି ପିନ୍ଧିଥିଲେ, ଯେଉଁଥିରେ କିଛି ଅଂଶ ଗାଢ ଖଇରିଆ ରଙ୍ଗର ମଧ୍ୟ ଥିଲା । ଏହି ରଙ୍ଗୀନ ପଗଡ଼ି ସାଂସ୍କୃତିକ ଐତିହ୍ୟ ଏବଂ ଜାତୀୟ ଗର୍ବକୁ ପ୍ରତିଫଳିତ କରେ।

୨୦୧୮ରେ ପ୍ରଧାନମନ୍ତ୍ରୀ ମୋଦି ଏକ କେଶର ରଙ୍ଗର ପଗଡ଼ି ପିନ୍ଧିଥିଲେ। କେସର ରଙ୍ଗ ତ୍ୟାଗ ଏବଂ ସାହସର ପ୍ରତୀକ। ଏଥିସହିତ ସେ ଏକ ଫୁଲ୍ ହାତ କୁର୍ତ୍ତା-ପାଇଜାମା ପିନ୍ଧିଥିଲେ ।

୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷାକ ପରମ୍ପରା ଏବଂ ଆଧୁନିକତାର ମିଶ୍ରଣ ଥିଲା। ଜଟିଳ କାରୁକାର୍ଯ୍ୟରେ ସଜ୍ଜିତ ରାଜସ୍ଥାନୀ ପଗଡ଼ି ଜାତୀୟ ଗର୍ବର ପ୍ରତୀକ ଥିଲା। ଏଥିସହିତ ଅଧା ହାତ ବିଶିଷ୍ଟ ଧଳା କୁର୍ତ୍ତା, ପାଇଜାମା ଯୋଡା କରି ପିନ୍ଧିଥିଲେ ।

୨୦୨୦ ମସିହାରେ, ସେ ଏକ କେଶର ଏବଂ କ୍ରିମ୍ ରଙ୍ଗର ପଗଡ଼ି ପିନ୍ଧିଥିଲେ, ଯାହା ସାଂସ୍କୃତିକ ଗର୍ବର ପ୍ରତୀକ ଥିଲା। ଯାହା ତାଙ୍କ ଅଧା ହାତ କୁର୍ତ୍ତା ସହ ମ୍ୟାଚୁ କରୁଥିବା ବେଳେ ଗେରୁଆ ବର୍ଡର ସହିତ ଏକ ଧଳା ଉତ୍ତରିୟ ମଧ୍ୟ ପିନ୍ଧିଥିଲେ ।

୨୦୨୧ ମସିହାରେ, ପ୍ରଧାନମନ୍ତ୍ରୀ ମୋଦି ଏକ କେଶର-ଲାଲ ପ୍ୟାଟର୍ଣ୍ଣର ପଗଡ଼ି ପିନ୍ଧିଥିଲେ ଏବଂ ଏହାକୁ ପାରମ୍ପରିକ କୁର୍ତ୍ତା-ଚୁଡ଼ିଦାର ଏବଂ ନୀଳ ଜ୍ୟାକେଟ୍ ସହିତ ଯୋଡା କରିଥିଲେ।

୨୦୨୨ ମସିହାରେ, ମୋଦି କମଳା ଏବଂ ସବୁଜ ପଟି ସହିତ ସଜ୍ଜିତ ଏକ ଧଳା ପଗଡ଼ି ପିନ୍ଧିଥିଲେ, ଯାହା ଭାରତୀୟ ଜାତୀୟ ପତାକାର ସଜାଡ଼କୁ ପ୍ରତିଫଳିତ କରୁଥିଲା । ଯାହା ‘ହର ଘର ତ୍ରିରଙ୍ଗା’ ଅଭିଯାନର ଭାବନାକୁ ପ୍ରତିଫଳିତ କରିଥିଲା । ଏଥିସହିତ ମୋଦି ଧଳା କୁର୍ତ୍ତା ଏବଂ ନୀଳ ଜ୍ୟାକେଟ୍ ପିନ୍ଧିଥିଲେ ।

୨୦୨୩ ମସିହାରେ, ସେ ଏକ ବହୁରଙ୍ଗୀ ରାଜସ୍ଥାନୀ-ଶୈଳୀର ପଗଡ଼ି ପିନ୍ଧିଥିଲେ ଯେଉଁଥିରେ ଏକ ବାନ୍ଧନୀ ପ୍ରିଣ୍ଟ ଥିଲା ଯେଉଁଥିରେ ହଳଦିଆ, ସବୁଜ ଏବଂ ଲାଲ ରଙ୍ଗର ଛାୟା ଥିଲା। ଏଥିସହିତ ସେ ଏକ ଧଳା କୁର୍ତ୍ତା ଏବଂ ଏକ କଳା ଜ୍ୟାକେଟ୍ ପିନ୍ଧିଥିଲେ ।

୨୦୨୪ ମସିହାରେ, ପତାକା ଉତ୍ତୋଳନ ଏବଂ ପରବର୍ତ୍ତୀ ସମୟରେ ଜାତି ଉଦ୍ଦେଶ୍ୟରେ ସମ୍ବୋଧନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଧଳା କୁର୍ତ୍ତା-ପାଇଜାମା ଏବଂ ନୀଳ ସାଦ୍ରି ସହିତ ଏକ ଲହରିଆ ପଗଡ଼ି ପିନ୍ଧିଥିଲେ।

Comments are closed.