Latest Odisha News

ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି, ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି। ବଢିଲା ମହଙ୍ଗା ଭତ୍ତା। ଆଜି କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି। ଦେଶର ପ୍ରାୟ ଏକ କୋଟି ସରକାରୀ କର୍ମଚାରୀଙ୍କ ଡିଏ ବୃଦ୍ଧି କରାଯାଇଛି । ଏହିପରି ଭାବରେ ଭାରତ ସରକାର ପ୍ରାୟ ୪୯ ଲକ୍ଷ କର୍ମଚାରୀ ଏବଂ ୬୦ ଲକ୍ଷ ପେନଶନଭୋଗୀଙ୍କ ମହଙ୍ଗା ଭତ୍ତା ଅର୍ଥାତ୍‌ ଡିଏ ଏବଂ ଡିଆରକୁ ୩ ପ୍ରତିଶତ ବୃଦ୍ଧି କରିଛନ୍ତି।

ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏରେ ୩ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ ମିଳିଛି। ଦୀପାବଳି ପୂର୍ବରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୦ ପ୍ରତିଶତରୁ ୫୩ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ଆଜିର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ଲଗାଯାଇଛି।

ଏଥର ସରକାରୀ କର୍ମଚାରୀ ଏବଂ ପେନଶନଭୋଗୀମାନେ ସେମାନଙ୍କର ଅକ୍ଟୋବର ବେତନରେ ଏକ ବୃହତ ବୃଦ୍ଧି ପାଇବେ କାରଣ ୨୦୨୪ ଜୁଲାଇ ୧ରୁ ପିଛିଲା ଭାବେ ଲାଗୁ ହେବ। ସରକାରୀ କର୍ମଚାରୀଙ୍କ ଦରମାର ମହଙ୍ଗା ଭତ୍ତା ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଏହାର ଉଦ୍ଦେଶ୍ୟ ହେଉଛି ମୁଦ୍ରାସ୍ଫୀତିର ପ୍ରଭାବ ହ୍ରାସ କରିବା। ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ (AICPI) ଉପରେ ଆଧାର କରି ଡିଏ ଗଣନା କରାଯାଏ, ଯାହା ଖୁଚୁରା ମୂଲ୍ୟରେ ପରିବର୍ତ୍ତନକୁ ଟ୍ରାକ୍ କରିଥାଏ।

Comments are closed.