ମୁମ୍ବାଇ: ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ମାଲାଶିରସ ଅଞ୍ଚଳର ମହସୱାଡ-ପଣ୍ଢରପୁର ରାସ୍ତାରେ ଥିବା ତଣ୍ଡୁୱାଡି ଗାଁ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ରବିବାର ଦିନ ଏକ ପିକଅପ୍ ଗାଡ଼ି କୂଅ ଭିତରକୁ ଖସି ପଡ଼ିବାରୁ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାର ଶିକାର ହୋଇଥିବା ତୀର୍ଥଯାତ୍ରୀମାନେ ପଣ୍ଡରପୁର ତାଲୁକାର ରଞ୍ଜନି ଗାଁର ବୋଲି ଜଣାପଡିଛି। ସେମାନେ ଏକ ପିକଅପ୍ ଗାଡ଼ିରେ ତୀର୍ଥଯାତ୍ରାରେ ଯାଇଥିଲେ। ମହସୱାଡ଼ରେ ଏକ ମନ୍ଦିର ଦର୍ଶନ କରି ଫେରୁଥିବା ସମୟରେ ତାଣ୍ଡୁଲୱାଡ଼ି ନିକଟରେ ଦୁର୍ଘଟଣା ଘଟିଥିଲା।
ରାଜ୍ୟ ସରକାର ମୃତକଙ୍କ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି।
ପୋଲିସ କହିଛି ଯେ ରବିବାର ଦିନ, ସୋଲାପୁର ଜିଲ୍ଲାର ମାଲଶିରାସ ତହସିଲରେ ଏକ ପିକଅପ୍ ଗାଡ଼ି ରାସ୍ତା କଡ଼ରେ ଥିବା କୂଅରେ ଖସି ପଡ଼ିଥିଲା, ଯାହା ଫଳରେ ଚାରି ଜଣ ମହିଳା ଏବଂ ଚାରି ଜଣ ଶିଶୁଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ସାତ ଜଣ ଆହତ ହୋଇଥିଲେ। ପୋଲିସର ସୂଚନା ଅନୁଯାୟୀ, ତାଣ୍ଡୁଲୱାଡି ଗାଁ ନିକଟରେ ଦୁର୍ଘଟଣା ଘଟିଥିବା ସମୟରେ ଗାଡ଼ିରେ ୧୫ ଜଣ ଲୋକ ଥିଲେ।
ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ପୋଲିସ ଦୁର୍ଘଟଣା ସମ୍ପର୍କରେ ଏକ ମାମଲା ରୁଜୁ କରିଛି ଏବଂ ତଦନ୍ତ ଆରମ୍ଭ କରିଛି।
ସୂଚନାଥାଉକି,ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅନୁମାନ କରାଯାଉଛି ଯେ, ଡ୍ରାଇଭର ନିୟନ୍ତ୍ରଣ ହରାଇବା ପରେ ଏହି ଦୁର୍ଘଟଣା ଘଟିଛି। କୂଅଟି ରାସ୍ତା କଡ଼ରେ ଅବସ୍ଥିତ ଥିଲା। ତୀର୍ଥଯାତ୍ରୀ ଥିବା ଏକ ପିକଅପ୍ ଗାଡି କୂଅ ଭିତରକୁ ଖସି ପଡ଼ିଥିଲା। କୂଅଟି ପାଣିରେ ଭର୍ତ୍ତି ଥିଲା। କୂଅ ଚାରିପାଖରେ କୌଣସି ରେଲିଂ ନଥିବାରୁ ପିକଅପ୍ ଗାଡି ସିଧା ପାଣିରେ ପଶିଯାଇଥିଲା।
