ନୂଆଦିଲ୍ଲୀ: ଭାରତ-କତାର ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ୫୦ ବର୍ଷ ପୂରିବାକୁ ଯାଉଛି । ଦ୍ୱିପାକ୍ଷିକ ସମ୍ପର୍କର ୫୦ ବର୍ଷ ପୂର୍ତ୍ତିକୁ ନେଇ ଭାରତ ଓ କତାର ୨୦୨୩ରେ ଉତ୍ସବ ମନାଇବେ । ଏନେଇ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଅକ୍ଟୋବର ଶେଷ ସପ୍ତାହରେ ଟ୍ୱିଟ୍ କରିଥିଲେ ।
କିନ୍ତୁ ଅନ୍ୟପଟେ ମଧ୍ୟପ୍ରାଚ୍ୟ ରାଷ୍ଟ୍ରରେ ଭାରତର ଅନ୍ୟତମ ବନ୍ଧୁ ରାଷ୍ଟ୍ର କତାରରେ ୪ ମାସ ହେଲାଣି ୮ ଜଣ ଅବସରପ୍ରାପ୍ତ ଭାରତୀୟ ସେନା ଅଧିକାରୀ ବନ୍ଦୀ ଅଛନ୍ତି । ଆଶ୍ଚର୍ଯ୍ୟର କଥା, କତାରରେ ୮ ଜଣଙ୍କୁ କାହିଁକି ଗିରଫ କରାଗଲା ସେନେଇ କୌଣସି ସୂଚନା ନା ସେଠାକାର ଭାରତୀୟ ଦୂତାବାସ ଓ ସରକାରଙ୍କୁ ଜଣା ନାହିଁ ।
ତେବେ ୮ ଭାରତୀୟଙ୍କୁ ସେଠାରୁ ଉଦ୍ଧାର କରି ଆଣିବା ସରକାରଙ୍କ ପ୍ରାଥମିକତା ବୋଲି କହିଛନ୍ତି, ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ଏନେଇ ବିଦେଶ ମନ୍ତ୍ରଣାଳୟ ରାଷ୍ଟ୍ରଦୂତ ଓ କତାର ସରକାରର ବରିଷ୍ଠ ଅଧିକାରୀଙ୍କ ସମ୍ପର୍କରେ ଥିବା ସେ କହିଛନ୍ତି ।
We've been responding to this regularly. Our embassy is actively pursuing the case. We understand that detained Indians are able to speak to their families in India over telephone now, some of them have families staying in Doha: MEA spox Indian Navy ex-officer arrested in Qatar pic.twitter.com/UX51ivh3dL
— ANI (@ANI) December 1, 2022
ସୂଚନା ମୁତାବକ ଅଗଷ୍ଟ ୩୦ରୁ କତାର ସରକାର ୮ ଭାରତୀୟଙ୍କୁ ବନ୍ଦୀ ଭାବେ ରଖା ଯାଇଛି । ଏବେ ଅବସରପ୍ରାପ୍ତ କମାଣ୍ଡର ପୁର୍ଣ୍ଣେନ୍ଦୁ ତିୱାରୀ, ଅବସରପ୍ରାପ୍ତ କ୍ୟାପଟେନ୍ ନବଜୋତ ସିଂ ଗିଲ୍, ଅବସରପ୍ରାପ୍ତ କମାଣ୍ଡର ବୀରେନ୍ଦ୍ର କୁମାର ବର୍ମା, ଅବସରପ୍ରାପ୍ତ କ୍ୟାପଟେନ୍ ସୌରଭ ବଶିଷ୍ଠ, ଅବସରପ୍ରାପ୍ତ କମାଣ୍ଡର ସୁଗ୍ରାକର ପକାଲା, ଅବସରପ୍ରାପ୍ତ କମାଣ୍ଡର ଅମିତ ନାଗପାଲ, ଅବସରପ୍ରାପ୍ତ କମାଣ୍ଡର ସଞ୍ଜୀବ ଗୁପ୍ତା ଓ ସେଲର ରାଗେଶ ବନ୍ଦୀ ଅଛନ୍ତି ।
ଏମାନେ ସମସ୍ତେ କତାରରେ ଦାହରା ଗ୍ଲୋବାଲ୍ ଟେକ୍ନୋଲୋଜି ଆଣ୍ଡ କନସଲ୍ଟେନ୍ସି ନାମକ ଘରୋଇ କମ୍ପାନୀ ପାଇଁ କାମ କରୁଥିଲେ । ତେବେ କତାର ସରକାର କାହିଁକି ୮ ଭାରତୀୟଙ୍କୁ ଗିରଫ କଲେ ତାର କାରଣ ଏଯାବତ୍ ଜଣା ପଡ଼ିନାହିଁ । କତାର ସରକାର ଗିରଫଦାରୀ ନେଇ ମୁହଁ ଖୋଲୁ ନଥିବା ବେଳେ ଘରୋଇ କମ୍ପାନୀ ବି ପରିବାର ଲୋକଙ୍କୁ କିଛି କହୁ ନାହିଁ ।
ମଧ୍ୟପ୍ରାଚ୍ୟର ସବୁଠୁ ଧନୀ ଦେଶ ହେଉଛି କତାର । ନିକଟରେ କତାରରେ ଫୁଟବଲ୍ ବିଶ୍ୱକପ୍ ଆୟୋଜନ ହୋଇଥିଲା । କତାରରେ ସବୁବେଳେ ମାନବାଧିକାରକୁ ନେଇ ପ୍ରଶ୍ନ ଉଠେ ଏବଂ ସେଠାକାର ଗଣମାଧ୍ୟମ ସରକାରଙ୍କୁ ସମାଲୋଚନା କରିବାକୁ ଡରିଥାନ୍ତି । ହ୍ୟୁମାନ୍ ରାଇଟ୍ସ ଅନୁସାରେ, କତାରରେ ଧନୀଙ୍କୁ ସମାଲୋଚନା, ଜାତୀୟ ପତାକା ଅପମାନ ଓ ଧର୍ମକୁ ନିନ୍ଦା କରିବା ଅପରାଧ ଅଟେ ।
କତାରରେ ପ୍ରାୟ ୭୦ ହଜାର ଭାରତୀୟ ଅଛନ୍ତି । ୨୦୨୦-୨୧ ବର୍ଷରେ କତାର ଓ ଭାରତ ମଧ୍ୟରେ ୯.୨୧ ଲକ୍ଷ ଡଲାରର ଦ୍ୱିପାକ୍ଷିକ କାରବାର ହୋଇଥିଲା । ସେହିଭଳି ସେଠି ୬ ହଜାରରୁ ଅଧିକ ଛୋଟବଡ଼ ଭାରତୀୟ କମ୍ପାନୀ କାମ କରୁଛି । କତାର ସହ ଭାରତର ସମ୍ପର୍କ ଏତେ ସୁଦୃଢ଼ ସତ୍ତ୍ୱେ କାହିଁକି ସରକାର ୮ ଜଣଙ୍କୁ ମୁକୁଳାଇ ପାରୁ ନାହାଁନ୍ତି ତାକୁ ନେଇ ସମ୍ପର୍କୀୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।
Eight #IndianNavy veterans who had served the motherland are in illegal custody/detention in Doha (Qatar) for 57 days as on date. Request & plead our Indian Govt to act fast & get all these distinguished officers repatriated to India without any further delays @narendramodi
— Meetu Bhargava (@DrMeetuBhargava) October 25, 2022
ତେବେ କତାରରେ ବନ୍ଦ ଥିବା ପୁର୍ଣ୍ଣେନ୍ଦୁଙ୍କ ଭାଇ ଅନୁସାରେ, ଦାହରା କମ୍ପାନୀ କତାରରେ ନୌସେନାକୁ ଟ୍ରେନିଂ ଦେଉଥିଲା । ତେବେ କେଉଁ ପରିସ୍ଥିତିରେ କତାର କାର୍ଯ୍ୟାନୁଷ୍ଠାନ ନେଲା ତାହା ଜଣାଇବା କଥା ।
କତାର ଓ ଭାରତ ମଧ୍ୟରେ ଭଲ ସମ୍ପର୍କ ରହିଛି । ୨୦୧୫ରେ କତାରର ଅମୀର ଶେଖ ତମିମ ବିନ୍ ହମାଦ ଅଲ୍ ଭାରତ ଆସିଥିଲେ । ୨୦୧୬ରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦୋହା ଯାଇଥିଲେ । ଆସନ୍ତାବର୍ଷ ଦୁଇ ଦେଶ ଦ୍ୱିପାକ୍ଷିକ ସମ୍ବନ୍ଧର ୫୦ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବା ବେଳେ ୮ ବନ୍ଦୀ କେବେ ମୁକୁଳିବେ ସେ ପ୍ରଶ୍ନ ସମସ୍ତେ କରୁଛନ୍ତି ।
Comments are closed.