Latest Odisha News

ଭୁଶୁଡିଲା ଶୀତଳଭଣ୍ଡାରର ଛାତ, ୮ ଶ୍ରମିକଙ୍କ ମୃତ୍ୟୁ

ସମ୍ଭଲ: ଉତ୍ତରପ୍ରଦେଶର ସମ୍ଭଲର ଚାନ୍ଦୁସି ଅଞ୍ଚଳରେ ଏକ ଶୀତଳଭଣ୍ଡାର ଭୁଶୁଡି ପଡିବାରୁ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ୧୧ ଜଣ ଶ୍ରମିକ ଆହତ ହୋଇଛନ୍ତି । ତେବେ ବର୍ତ୍ତମାନ ବି ଅଧିକାଂଶ ଶ୍ରମିକ ଭଗ୍ନ ଛାତ ତଳେ ଫସିରହିଥିବାରୁ ଏନଡିଆରଏଫ ଓ ଏସଡ଼ିଆରଏଫର ଟିମ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି । ଏହି ଘଟଣାକୁ ନେଇ ସମ୍ଭଲ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉ କିଛି ଲୋକ ନିଖୋଜ ଅଛନ୍ତି । ସମ୍ଭଲ ଜିଲ୍ଲାପାଳ ମନୀଷ ବନସାଲ କହିଛନ୍ତି ଯେ ଏହି ଘଟଣାରେ ଶୀତଳଭଣ୍ଡାର ମାଲିକଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି।

ସେ କହିଛନ୍ତି ଯେ ଶୀତଳ ଭଣ୍ଡାରର ମାଲିକ ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି। ପଚରାଉଚରା ପାଇଁ ଆମେ ଚାରି ଜଣଙ୍କୁ ଅଟକ ରଖିଛୁ। ମୁଖ୍ୟ ଅଭିଯୁକ୍ତ ଫେରାର ଅଛନ୍ତି । ଗୁରୁବାର ଦିନ ପ୍ରାୟ ୧୧.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଶୀତଳଭଣ୍ଡାରଟି ପୂର୍ବରୁ ଜର୍ଜରିତ ଅବସ୍ଥାରେ ଥିବାବେଳେ ଏହାକୁ ବ୍ୟବହାର ନ କରିବାକୁ ପ୍ରଶାସନ ପକ୍ଷରୁ ପୂର୍ବରୁ ମନା କରାଯାଇଥିଲା । କିନ୍ତୁ ଏହି ଶୀତଳଭଣ୍ଡାର ମାଲିକ ଅଙ୍କୁର ଅଗ୍ରୱାଲ ଏବଂ ରୋହିତ ଅଗ୍ରୱାଲ ଏହାକୁ ମାନି ନଥିଲେ । ବର୍ତ୍ତମାନ ଏହି ଘଟଣାରେ ପୋଲିସ ଉଭୟ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଛି।

Comments are closed.