Latest Odisha News

ଗାଁ ପୋଖରୀରେ ସାଙ୍ଗ ହୋଇ ଗାଧୋଉଥିଲେ, ସାଙ୍ଗ ହୋଇ ଚାଲିଗଲେ ଦୁଇ ନାବାଳକ

ନୂଆପଡ଼ା: ସାଙ୍ଗ ହୋଇ ଗାଁ ପୋଖରୀକୁ ଯାଇଥିଲେ ଦୁଇ ସାଙ୍ଗ । ଯେମିତି ସାଙ୍ଗ ହୋଇ ଯାଇଥିଲେ ସେମିତି ସାଙ୍ଗ ହୋଇ ଚାଲିଗଲେ ସବୁଦିନ ପାଇଁ  ।  ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଚଉଁରା ଗାଁରୁ ଆସିଛି ଏପରି ଦୁଃଖଦ ଖବର । ଗାଁର ଝରନି ପୋଖରୀକୁ ଗାଧୋଇବାକୁ ଯାଇ ଦୁଇ ନାବାଳକଙ୍କର ମୃତ୍ୟୁ ଘଟିଛି ।

ମୃତ  ଦୁଇ ଶିଶୁ ହେଲେ ବୃଷଭ ବନ୍ଦୀଛୋର ଏବଂ ଅମିତ ବନ୍ଦୀଛୋର । ଅମିତଙ୍କ ବୟସ ୭ ବର୍ଷ ହୋଇଥିବାବେଳେ ବୃଷଭଙ୍କ ବୟସ ୯ ବର୍ଷ ।  ଗତକାଲି ଅପରାହ୍ନରେ ଦୁଇ ସାଙ୍ଗ ସ୍କୁଲରୁ ଫେରିଥିଲେ । ଘରକୁ ନ ଯାଇ ଗାଁ ପୋଖରୀକୁ ଗାଧୋଇବା ପାଇଁ ଚାଲି ଯାଇଥିଲେ । ଗାଧୋଇବା ବେଳେ ଉଭୟ ପାଣିରେ ବୁଡି ଯାଇଥିଲେ ।

ଏପଟେ ପିଲାମାନେ କାହିଁକି ସ୍କୁଲରୁ ଆସିଲେନି ବୋଲି ଖୋଜାଖୋଜି କରିବା ପରେ ସେମାନେ ବୁଡିଯାଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ  । ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ହେଲେ ପହଞ୍ଚିବା ଆଗରୁ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇ ସାରିଥିଲା ।  ସିନାପାଲି ମେଡିକାଲରେ  ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।  ଆଜି ସେମାନଙ୍କର ଶବ ବ୍ୟବଚ୍ଛେଦ କରାଯିବ। ଏହି ଘଟଣାକୁ ନେଇ ସାରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି।

Leave A Reply

Your email address will not be published.