Latest Odisha News

BREAKING NEWS

ନିଷ୍ଠୁର ମା’: ୮ ମାସର ଝିଅକୁ ୮୦୦ ଟଙ୍କାରେ ବିକିଦେଲା

ବାରିପଦା : ଅଲୋଡ଼ା ହେଲା ଝିଅ । ଟଙ୍କା ପାଇଁ ପିଶାଚ ପାଲଟିଲା ମା’ । ଯାହାକୁ ଜନ୍ମ ଦେଇ ଦୁନିଆର ଆଲୋକ ଦେଖାଇଥିଲା, ସାମାନ୍ୟ କେତେଟା ଟଙ୍କା ପାଇଁ ତାକୁ ଅନ୍ୟ ହାତକୁ ଟେକିଦେଲା ମା’ । ମାତ୍ର ୮୦୦ଟଙ୍କା ପାଇଁ ୮ମାସର କଅଁଳ ଶିଶୁଟିକୁ ବିକ୍ରି କରିଦେଲା ମା’। ଦୀର୍ଘ ୯ ମାସ ପରେ ବାହାର ରାଜ୍ୟରୁ ଫେରି ଝିଅକୁ ନ ପାଇ ଚିନ୍ତିତ ହୋଇପଡ଼ିଥିଲା ବାପା। ଏନେଇ ସ୍ତ୍ରୀକୁ ପଚରାଉଚରା କରିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା। ଶିଶୁକନ୍ୟାର ବାପା ଥାନାରେ ଦ୍ୱାରସ୍ଥ ହେବା ପରେ ପୋଲିସ ୯ ମାସର ଶିଶୁ କନ୍ୟାକୁ ଉଦ୍ଧାର କରିଛି । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ମହୁଲିଆ ଗାଁରୁ ଆସିଛି ଏପରି ଏକ ଅଭାବନୀୟ ଘଟଣା ।

ସୂଚନା ଅନୁସାରେ, ମହୁଲିଆ ଗାଁର କାରମି ମୁର୍ମୁ ଓ ମୁଷୁ ମୁର୍ମୁଙ୍କର ପ୍ରଥମେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ୯ମାସ ପୁର୍ବରୁ ପୁଣି କାରମିଙ୍କର ଆଉ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ମାତ୍ର ଦ୍ୱିତୀୟ କନ୍ୟା ସନ୍ତାନକୁ ନେଇ ଖୁସି ନଥିଲେ ମା’ କାରମି । ଦ୍ଵିତୀୟ ସନ୍ତାନ ଜନ୍ମ ହେବାର କିଛି ଦିନ ପରେ  ବାପା ମୁଷୁ ମୁର୍ମୁ ସୁଦୂର ତାମିଲନାଡୁ ନିଜର କର୍ମସ୍ଥଳୀକୁ ଚାଲି ଯାଇଥିଲେ ।

ଗତକାଲି  ମୁଷୁ କର୍ମସ୍ଥଳୀରୁ  ଆସି ଶନିବାର ଘରେ ପହଁଚିଥିଲେ  । ହେଲେ ଘରେ  କୁନି ଝିଅକୁ ଘରେ ନପାଇ ଚିନ୍ତାରେ ପଡ଼ି ଯାଇଥିଲେ । ଅନେକ ଖୋଜାଖୋଜି କରିବାପରେ ଯାହା ଜାଣିବାକୁ ପାଇଲେ ତାହା ଶୁଣି ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା ।

ମୁଷୁଙ୍କ ସ୍ତ୍ରୀ କାରମି ଖୁଣ୍ଟା ଥାନା ବିପ୍ରଚରଣପୁର ଅଞ୍ଚଳର ଜଣେ ଦମ୍ପତିଙ୍କୁ ମାତ୍ର ୮ ଶହ ଟଙ୍କାରେ ଝିଅକୁ ବିକ୍ରି କରିଦେଇଛି ।    ଏହା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ ଶିଶୁ କନ୍ୟାର ବାପା । ଅଭିଯୋଗ ଆଧାରରେ ଛୁଆକୁ କିଣିଥିବା ଦମ୍ପତି ଫୁଲମଣି ମାରାଣ୍ଡି ଏବଂ ଓକିଲ ଟୁଡୁକୁ ଗିରଫ କରିଛି ପୋଲିସ । ଏହା ସହିତ ଏହି ବିକ୍ରିରେ ମଧ୍ୟସ୍ଥି ସାଜିଥିବା  ମାହି ମୁର୍ମୁଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ବିକ୍ରି ହୋଇଥିବା ୯ ମାସର କନ୍ୟାକୁ ଉଦ୍ଧାର କରି ଶିଶୁର ବାପାଙ୍କୁ ହସ୍ତାନ୍ତର କରିଛି ପୋଲିସ ।

Leave A Reply

Your email address will not be published.