ବେଙ୍ଗାଲୁରୁ: ବଡ ଖବର । ଭରତରେ ଚିହ୍ନଟ ହେଲା ଚୀନରେ ଆତଙ୍କ ଖେଳାଇଥିବା ଏଚଏମପିଭି ଭାଇରସ୍ । ବେଙ୍ଗାଲୁରୁରେ ପ୍ରଥମ ଏଚଏମପିଭି ଆକ୍ରାନ୍ତ ଚିହ୍ନଟ ହୋଇଛି । ବେଙ୍ଗାଲୁରୁର ଏକ ୮ ମାସର ଶିଶୁ ଏଚଏମପିଭି ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । ଯାହାକୁ ନେଇ ସାରା ଦେଶରେ ଏବେ ଆତଙ୍କ ଖେଳିଯାଇଛି ।
ସୂଚନା ଅନୁସାରେ, କରୋନା ମହାମାରୀ ପରେ ଏବେ ଚୀନରେ ହୁ ହୁ ହୋଇ ବ୍ୟାପୁଛି ଏଚଏମପିଭି ଭାଇରସ୍ । ପରିସ୍ଥିତି ଏପରି ଗମ୍ଭୀର ହୋଇଯାଇଛି ଯେ ହସ୍ପିଟାଲରେ ମଧ୍ୟ ଚିକିତ୍ସା ପାଇଁ ସ୍ଥାନ ନାହିଁ । ଏନେଇ ସାରା ବିଶ୍ଵ ଏବେ ଚିନ୍ତାରେ ଥିବା ବେଳେ ଭାରତରେ ପାଦ ଥାପିଛି ଏହି ଭାଇରସ । ଯାହାକୁ ନେଇ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ । ତେବେ ସ୍ୱାସ୍ଥ୍ୟ ବିଭାଗର କହିବା ଅନୁସାରେ, ବର୍ତ୍ତମାନ ଯାଏଁ ଲାବ୍ ରେ ଏହାର ଟେଷ୍ଟ ହୋଇନାହିଁ । ଏକ ଘରୋଇ ହସ୍ପିଟାଲରୁ ଏହି ମାମଲା ସାମ୍ନାକୁ ଆସିଛି । ତେବେ ଘରୋଇ ହସ୍ପିଟାଲର ଏହି ରିପୋର୍ଟକୁ ଖଣ୍ଡନ କରୁଛି ସ୍ୱାସ୍ଥ୍ୟ ବିଭାଗ ।
ସ୍ବାସ୍ଥ୍ୟ ବିଭାଗର କହିବା ଅନୁସାରେ, ସାଧାରଣତଃ ଶିଶୁମାନଙ୍କଠାରେ ଏଚଏମପିଭି ଭୂତାଣୁ ଦେଖିବାକୁ ମିଳିଥାଏ । ପ୍ରତି ଶିଶୁର ସାମ୍ପଲରେ ୦.୭ % ରହିଥାଏ ଏହି ଭୂତାଣୁ । ତେଣୁ ଭୟ କରିବାର କୌଣସି କାରଣ ନାହିଁ । ତେବେ କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ଏହି ସୂଚନା କେନ୍ଦ୍ର ସରକାରଙ୍କୁ ଦେଇଛି। ଲାବ୍ ରେ ଏହାର ଟେଷ୍ଟ ପରେ ସବୁ ସ୍ପଷ୍ଟ ହେବ ବୋଲି କହିଛି କର୍ଣ୍ଣାଟକ ସ୍ଵାସ୍ଥ୍ୟ ବିଭାଗ ।
ସୂଚନାଯୋଗ୍ୟ, କରୋନା ମହାମାରୀର ୫ ବର୍ଷ ପରେ ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି ‘ହ୍ୟୁମାନ ମେଟାନ୍ୟୁମୋଭାଇରସ୍’ । କୋଭିଡ୍ ଭଳି ସଂକ୍ରମିତ ହେଉଛନ୍ତି ଛୋଟ ପିଲା ଓ ବୟସ୍କ ବ୍ୟକ୍ତି । ଏହାର ଲକ୍ଷଣ ଠିକ୍ ଫ୍ଲୁ ଏବଂ କୋଭିଡ-୧୯ ପରି । ଦ୍ରୁତ ଗତିରେ ବଢୁଛି ଏହି ସଂକ୍ରମିତଙ୍କ ସଂଖ୍ୟା। ନିମୋନିଆ ସମେତ ଫୁସଫୁସକୁ ଆକ୍ରାନ୍ତ କରୁଛି । ଏହି ଭୂତାଣୁ ସଂକ୍ରମଣରେ ଥଣ୍ଡା ବା ସର୍ଦ୍ଦି ଭଳି ଲକ୍ଷଣ ପ୍ରକାଶ ପାଇଥାଏ। ଏହା ପ୍ରଥମେ ଶ୍ବାସକ୍ରିୟାକୁ ପ୍ରଭାବିତ କରିଥାଏ। ଧିରେ ଧିରେ ନିଶ୍ଵାସ ପ୍ରଶ୍ଵାସରେ କଷ୍ଟ ଅନୁଭବ ହୁଏ । ଏହି ଭୂତାଣୁ ଦ୍ଵାରା ସଂକ୍ରମିତ ହେଲେ ଜ୍ବର ହେବା ସହିତ କାଶ, ନାକ ରୁନ୍ଧି ହେବା, ଗଳା ଦରଜ, ଶ୍ବାସକ୍ରିୟାରେ କଷ୍ଟ ଭଳି ଲକ୍ଷଣମାନ ପ୍ରକାଶ ପାଇଥାଏ। ୩ରୁ ୬ଦିନ ପର୍ଯ୍ୟନ୍ତ ଏପରି ଲକ୍ଷଣ ଲାଗି ରହିଥାଏ।
କରୋନା ଭଳି ସଂକ୍ରମିତ ହୁଏ ଏଚଏମପିଭି । ସଂକ୍ରମିତ ବ୍ୟକ୍ତି କାଶିଲେ କିମ୍ବା ଛିଙ୍କିଲେ ବାହାରୁଥିବା ଡ୍ରପଲେଟରୁ ଭୂତାଣୁ ସଂକ୍ରମଣ ହୁଏ । ଏହା ସହ ହାତ ମିଳାଇବା କିମ୍ବା ଫୋନ୍, କିବୋର୍ଡ ଭଳି ସାମଗ୍ରୀ ଉପରେ ସଂକ୍ରମିତ ଡ୍ରପଲେଟ୍ ପଡିଥିଲେ ବି ସଂକ୍ରମଣ ହୋଇପାରେ । ବିଶେଷ କରି ୫ବର୍ଷରୁ କମ୍ ବୟସର ଶିଶୁ ଏହାଦ୍ବାରା ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି । ୨୦ବର୍ଷ ଧରି ଭାଇରସ ଚିହ୍ନଟ ହୋଇଥିଲେ ଏପର୍ଯ୍ୟନ୍ତ ଏହାର ଟିକା କିମ୍ବା ପ୍ରଭାବଶାଳୀ ଔଷଧ ଆସିନି । ତେଣୁ ସଂକ୍ରମଣ ରୋକିବାକୁ ହାତ ବାରମ୍ବାର ଧୋଇବା ସହ ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି ।