Latest Odisha News

BREAKING NEWS

ନ୍ୟାୟ ସଂହିତା ଲାଗୁ ହେଲେ ମୁକ୍ତ ହେବେ ୮୨ ହଜାର କଏଦୀ

ନୂଆଦିଲ୍ଲୀ: ବ୍ରିଟିଶ ଅମଳରୁ ଆରମ୍ଭ ହୋଇଥିବା ଭାରତୀୟ ପେନାଲ କୋଡ୍ ବା ଆଇପିସି ସ୍ଥାନରେ ଭାରତୀୟ ନ୍ୟାୟ ସଂହିତା ବା ବିଏନସ ଲାଗୁ କରିବାକୁ ଯୋଜନା ଚାଲିଛି । ଗଣତନ୍ତ୍ର ଦିବସ ଅର୍ଥାତ ୨୬ଜାନୁଆରୀ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଇଛି । ଏନେଇ ବିଜ୍ଞପ୍ତି ଜାରି ହେବା ପରେ ପ୍ରାୟ ୮୨ହଜାର କଏଦୀ ଜେଲରୁ ମୁକୁଳିବେ । କମ ଗୁରୁତର ଅପରାଧରେ ସଜା ଭୋଗୁଥିବା କଏଦୀ ମୁକ୍ତ ହେବା ନେଇ ସୂଚନା ମିଳିଛି । ହୋଲି ପୂର୍ବରୁ ଏହି ପ୍ରକ୍ରିୟା ଆରମ୍ଭ ହେବ ।

ଗୃହ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅଣ୍ଡର କଏଦୀଙ୍କୁ ମୁକ୍ତ କରିବା ପାଇଁ ପ୍ରଶିକ୍ଷକମାନେ ଜେଲ ଅଧିକାରୀ, ପୋଲିସ ବାହିନୀ ଏବଂ ଆଇନଜୀବୀଙ୍କୁ ଟ୍ରେନିଂ ଦେବେ । ଏବେ ସୁଦ୍ଧା ୩ହଜାର ପ୍ରଶିକ୍ଷକଙ୍କୁ ତାଲିମ ଦିଆଯାଇଛି । ବର୍ତ୍ତମାନ ସେମାନେ ନୂତନ ନିୟମ ଅନୁଯାୟୀ ଅନ୍ୟମାନଙ୍କୁ ତାଲିମ ଦେବେ। ଯେଉଁ କଏଦୀଙ୍କ ପାଖରେ ଜାମିନ କରିବା ପାଇଁ ଟଙ୍କା ନାହିଁ ସେମାନଙ୍କ ପାଇଁ ସରକାର ଏକ ସ୍ୱତନ୍ତ୍ର ପାଣ୍ଠି ପାଇଁ ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଏଭଳି କଏଦୀଙ୍କ ପାଇଁ ଜାମିନ ଟଙ୍କା ପ୍ରଦାନ କରିବେ ।
ଗୃହ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ ଦେଶର ଜେଲରେ ପ୍ରାୟ ୫ଲକ୍ଷ ୫୦ହଜାର କଏଦୀ ଅଛନ୍ତି। ସମୁଦାୟ କଏଦୀଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ସଂଗୀନ ଅପରାଧ ପାଇଁ ଦଣ୍ଡ ଭୋଗୁଛନ୍ତି । ସଂଗୀନ ଅପରାଧ ପାଇଁ ବିଚାର ଚାଲିଥିବା କଏଦୀଙ୍କ ସଂଖ୍ୟା ହେଉଛି ୨ଲକ୍ଷ । ସେମାନଙ୍କ ମଧ୍ୟରୁ ଅଧିକାଂଶ ସର୍ବାଧିକ ଦଣ୍ଡରୁ ଅଧିକ ସମୟ ଧରି ଜେଲରେ ଅଛନ୍ତି। ବିଚାର ପ୍ରକ୍ରିୟାରେ ବନ୍ଦୀମାନଙ୍କୁ ଜାମିନ ଏବଂ ମୁକ୍ତ ପାଇଁ କୋର୍ଟକୁ ଯିବାକୁ ପଡ଼ିବ ନାହିଁ। ଜେଲରୁ ସେମାନେ ଅନଲାଇନ୍ କୋର୍ଟର ହାଜର ହେବେ। ଜାମିନ ପାଇବା ମାତ୍ରେ ତାଙ୍କୁ ମୁକ୍ତ କରାଯିବ। ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ପୋଲିସ କର୍ମଚାରୀମାନେ ଜାମିନ ଆବେଦନ ଏବଂ ଜାମିନ ପ୍ରଦାନ କରିବା ପ୍ରକ୍ରିୟାରେ ଦିନସାରା ବ୍ୟସ୍ତ ଥିଲେ। ଏବେ ପୋଲିସ ଫୋର୍ସ ଅନ୍ୟ କାମ କରିବାକୁ ସମୟ ପାଇବ ।

Leave A Reply

Your email address will not be published.