Latest Odisha News

BREAKING NEWS

୩ ଟ୍ରକ୍‌ରେ ଚାଲାଣ କରୁଥିଲେ ମଇଁଷି…ବନ୍ଧାହେଲେ ୩

କୋମନା:ପୋଲିସକୁ ମିଳିଲା ବଡ ସଫଳତା । ବେଆଇନ ମଇଁଷି ଚାଲାଣ ବେଳେ ନୂଆପଡ଼ା ଜିଲ୍ଲା କୋମନା ପୋଲିସର ଚଢାଉ । କୋମନା ଥାନା ଅଧିକାରୀ ରଶ୍ମିତା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍‌ ଜାତୀୟ ରାଜପଥ କ୍ରିଷ୍ଣା ଛକ ନିକଟରେ ଚଢ଼ାଉ କରି ୩ଟି ଟ୍ରକ୍‌ରୁ ୮୩ଟି ମଇଁଷିକୁ ଉଦ୍ଧାର କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଏହି ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି ।

ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରଦେଶର ନବାବ କୁରେଶୀ (୩୪), ପରଭେଜ କୁରେଶୀ(୨୫) ଏବଂ ପଞ୍ଜାବର ଦେବେନ୍ଦ୍ର ସିଂହ (୨୪)। ଜବତ ତିନୋଟି ଟ୍ରକ ଗୁଡିକର ନମ୍ବର ହେଲା ସିଜି ୦୭ ସିବି ୦୫୨୬, ସିବି ୦୪ ଏଚ୍‌ଏକ୍ସ ୯୦୧୧ ଓ ସିଜି ୧୦ ବିଟି ୪୧୯୦ ।

ମଇଁଷିଗୁଡ଼ିକୁ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମକୁ ବେଆଇନ ଭାବେ ଚାଲଣ କରାଯାଉଥିବା କୁହାଯାଉଛି । ଉଦ୍ଧାର ହୋଇଥିବା ୮୩ଟି ମଇଁଷିକୁ ଖରିଆର ରୋଡ୍‌ ସ୍ଥିତ ଆମସେନା ଗୁରୁକୁଳ ଆଶ୍ରମରେ ସୁରକ୍ଷିତ ଭାବେ ରଖାଯାଇଛି।

ସୂଚନାଥାଉକି, କୋମନା ଥାନା ଭେଳା ବିଜୁ ଏକ୍ସପ୍ରେସ୍‌ ରାସ୍ତାକଡ଼ରେ କିଛିଦିନ ତଳେ ୭ଟି ମୃତ ମଇଁଷି ପଡ଼ିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ କୋମନା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ଘଟଣା ଆଧାରରେ ଏହି ଚଢ଼ାଉ ହୋଇଛି । ଏପଟେ ୭ଟି ମଇଁଷିର ମୃତ୍ୟୁ ଘଟଣା ଓ ଏହି ବେଆଇନ ଚାଲାଣ ଘଟଣା ମଧ୍ୟରେ କୌଣସି ସମ୍ପର୍କ ରହିଛି କି ନାହିଁ ସେନେଇ କୋମନା ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.