Latest Odisha News

BREAKING NEWS

କରୋନାକୁ ହରାଇଲେ ଯାଜପୁରର ୮୫ ବର୍ଷର ବୃଦ୍ଧା

ଭୁବନେଶ୍ୱର : ରାଜ୍ୟର ସବୁଠୁ ବୟସ୍କ କୋଭିଡ୍ ଆକ୍ରାନ୍ତ ସୁସ୍ଥ ହେଲେ । ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଯାଜପୁରର ୮୫ ବର୍ଷୀୟ ବୃଦ୍ଧା ସୁସ୍ଥ ହେବା ପରେ ଡିସ୍‌ଚାର୍ଜ ହୋଇଛନ୍ତି ।
ବୃଦ୍ଧାଙ୍କର ଓଜନ ଥିଲା ମାତ୍ର ୨୨ କିଲୋଗ୍ରାମ । ତାଙ୍କୁ ନେଇ ଡାକ୍ତରଙ୍କର ଅନେକ ଆଶଙ୍କା ଥିଲା । ତେବେ ୧୨ ଦିନ ଚିକିତ୍ସିତ ହେବା ପରେ ସେ କରୋନାକୁ ହରାଇ ପାରିଛନ୍ତି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସଙ୍କ ଅକ୍ଲାନ୍ତ ପରିଶ୍ରମର ଫଳ ମିଳିଥିବା ସେମାନେ କହିଛନ୍ତି ।
କରୋନାକୁ ନେଇ ଲୋକଙ୍କ ମନରେ ଭୟ ବସା ବାନ୍ଧିଥିବା ବେଳେ ଏହି ବୃଦ୍ଧା ସୁସ୍ଥ ହେବା ଖବର ଆଶ୍ୱସ୍ତି ଦେବ ନିଶ୍ଚୟ ।

ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏହି ବୃଦ୍ଧାଙ୍କ ସମେତ ଯାଜପୁର ଜିଲ୍ଲାର ୧୪ ଜଣ କରୋନା ରୋଗୀଙ୍କୁ ସୁସ୍ଥ ହେବା ସହ ଡିସଚାର୍ଜ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ଦୁଇ ବର୍ଷର ଓ ଅନ୍ୟ ଜଣେ ୩ ବର୍ଷର ଶିଶୁ ମଧ୍ୟ ଅଛନ୍ତି ।
କରୋନା ଆକ୍ରାନ୍ତ ହୋଇଥିବା ଜଣେ ୬୦ ବର୍ଷିୟ ମଧୁମେହ ରୋଗୀ ମଧ୍ୟ ସୁସ୍ଥ ହୋଇଛନ୍ତି । ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ହେବା ପରେ ସେ ଜାଣିଲେ ଯେ ତାଙ୍କର ମଧୁମେହ ସମସ୍ୟା ଅଛି । ଚିକିତ୍ସା ଭିତରେ ତାଙ୍କର ବ୍ଲଡ ସୁଗାର ଲେଭଲ ୪୦୦ ରୁ କମି ୧୦୦କୁ ଆସିଛି ।

ସମ୍ କୋଭିଡ୍ ହସ୍ପିଟାଲରେ ୨୫ ଟି ଆଇସିୟୁ ଶଯ୍ୟା ସହ ୫୨୫ ଶଯ୍ୟା ରହିଛି । ଏହି ହସ୍ପିଟାଲ ସ୍ୱତନ୍ତ୍ର ଭାବେ ଏକ ଭିନ୍ନ କ୍ୟାମ୍ପସରେ କାର‌୍ୟ୍ୟ କରୁଛି । ଚାରି ମହଲା ବିଶିଷ୍ଟ ଏହି ହସ୍ପିଟାଲରେ ସନ୍ଦିଗ୍ଧଙ୍କୁ ଅଲଗା ରଖାଯାଇଥିବା ବେଳେ ପଜିଟିଭ୍ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଲକ୍ଷଣ ନଥିବା ଓ ଗୁରୁତର ରୋଗୀଙ୍କୁ ଅଲଗା ଅଲଗା ମହଲାରେ ରଖି ଚିକିତ୍ସା କରାଯାଉଛି ।

ଏହି ହସ୍ପିଟାଲରେ ୮୨ ଜଣ ଡାକ୍ତର ମୁତୟନ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଭେଷଜ, ଶିଶୁ, ନିଶ୍ଚେତକ, ପଲମୋନାରୀ ମେଡିସିନ, ଜେନେରାଲ ସର୍ଜରୀ, ଅସ୍ଥିଶଲ୍ୟ, ମାନସିକ, ଇଏନଟି ଓ ଚକ୍ଷୁ ବିଭାଗର ବିଶେଷଜ୍ଞ ରହିଛନ୍ତି । ଏହାଛଡା ହସପିଟାଲରେ ୨୬୪ ଜଣ
ନର୍ସ ନିୟୋଜିତ ହୋଇଛନ୍ତି । କୋଭିଡ ହସ୍ପିଟାଲରେ ମୁତୟନ ହୋଇଥିବା ଡାକ୍ତର ମାନେ ୧୪ ଦିନ ଡ୍ୟୁଟି କରିବା ପରେ
କ୍ୱାରେଂଟାଇନରେ ରହୁଛନ୍ତି । ପୁଣି ଆଉ ଏକ ୮୨ ଜଣିଆ ଦଳ ଡ୍ୟୁଟିକୁ ଆସୁଛନ୍ତି ।

ଏହି ଡାକ୍ତର ମାନଙ୍କ ଛଡ଼ା ସମ୍ ହସ୍ପିଟାଲରେ ଥିବା ସମସ୍ତ ବିଭାଗର ମୁଖ୍ୟଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଏହି ବରିଷ୍ଠ ଡାକ୍ତରମାନେ ଚିକିତ୍ସା ଏବଂ ଔଷଧ ନେଇ ପରାମର୍ଶ ଦେଉଛନ୍ତି । ଖାଲି ଚିକିତ୍ସା ନୁହେଁ, ପାଥୋଲଜିକାଲ ପରୀକ୍ଷା ଓ ଏକ୍ସରେ, ଅଲଟ୍ରାସାଉଣ୍ଡ ଓ ଇକୋ ପରୀକ୍ଷା ନିମନ୍ତେ ଏହି ସ୍ୱତନ୍ତ୍ର ହସ୍ପିଟାଲରେ ବ୍ୟବସ୍ଥା ରହିଛି । ହସ୍ପିଟାଲ ପରିସରରେ ସ୍ୱଚ୍ଛତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ହସ୍ପିଟାଲ ଆଖପାଖ ଅଂଚଳକୁ ସବୁଦିନ ସାନିଟାଇଜ୍ କରାଯାଉଛି ।

Leave A Reply

Your email address will not be published.