Latest Odisha News

ମା’ଙ୍କୁ ଛାଡିଦେଲେ ବୃଦ୍ଧାଶ୍ରମରେ; କୋଟି କୋଟି ଟଙ୍କାର ସମ୍ପତ୍ତି ବାଣ୍ଟିନେଲେ ୪ ପୁଅ

ଆଗ୍ରା:ପୁଣି ବାର୍ଦ୍ଧକ୍ୟର ବିଡମ୍ବିତ କାହାଣୀ । ଉତ୍ତର ପ୍ରଦେଶରେ ହରିଆଣା ଘଟଣାର ପୁନରାବୃତ୍ତି । ଏଠି ବି ସମ୍ପତ୍ତି ଆଗରେ ହଜି ଯାଇଥିଲା ସମ୍ପର୍କ । ଲୁହ ନିଗାଡି ଯିଏ ମଣିଷ କରିଥିଲା, ହାତ ଧରି ଯିଏ ଚାଲିବା ଶିଖେଇଥିଲା ସେମାନେ ପାଲଟି ଯାଇଥିଲା ବୋଝ । ସେ ଥିଲା ଅବହେଳିତ ବୁଢୀ ମା’ ଟିଏ । ହରିଆଣାର ଏମିତି ଅବହେଳିତ ବୃଦ୍ଧ ଦମ୍ପତିଙ୍କ କଥା ପୂର୍ବରୁ ଆମେ କହିଥିଲୁ । ସମାନ ଘଟଣା ଏବେ ଦେଖିବାକୁ ମିଳିଛି ଆଗ୍ରାରେ ।

୮୭ ବର୍ଷର ବୃଦ୍ଧା ବିଦ୍ୟା ଦେବୀ  । ଦିନେ କୋଟି କୋଟି ଟଙ୍କାର ମାଲିକ ଥିଲେ । ଏବେ ମୁଣ୍ଡ ଗୁଞ୍ଜିବା ପାଇଁ ଛାତଟିଏ ତାଙ୍କ ପାଇ ନାହିଁ । ବୃଦ୍ଧା ଶ୍ରମ ନ ଥିଲେ ବୋଧହୁଏ ରାଜରାସ୍ତାରେ ତାଙ୍କର ଜୀବନ କଟୁଥାନ୍ତା । କୋଟି କୋଟି ଟଙ୍କାର ସମ୍ପତିକୁ ପିଲାମାନେ ବାଣ୍ଟି ନେଇଗଲା ପରେ ବଳିପଡିଲେ ମା’ ବିଦ୍ୟା ଦେବୀ । ପିଲାମାନେ ତାଙ୍କୁ  ସମ୍ପତି ନୁହେଁ, ବିପତ୍ତି ବୋଲି ଭାବି ନେଇଥିଲେ । ତେଣୁ କେହି ପାଖରେ ରଖିଲେ ନାହିଁ ।  କିଛି ଉପାୟ ନ ପାଇ ଶେଷରେ ବୃଦ୍ଧାଶ୍ରମରେ ରହିଛନ୍ତି ବିଦ୍ୟାଦେବୀ । କୋଟି କୋଟି ସମ୍ପତିର ମାଲିକ ୪ ପୁଅ  । ହେଲେ ବୁଢୀ ମା’ ଅସହାୟ ଅବସ୍ଥାରେ ବୃଦ୍ଧାଶ୍ରମରେ ।

ବିଦ୍ୟ ଦେବୀଙ୍କ ସ୍ୱାମୀ ଗୋପିଚନ୍ଦ ଅଗ୍ରୱାଲ ଦିନେ ସହରର କୋଟିପତିଙ୍କ ମଧ୍ୟରୁ ଜଣେ ଥିଲେ । ଆଗ୍ରାରେ ତାଙ୍କର ଏକ ଜଣାଶୁଣା ଆଖି ଡାକ୍ତରଖାନା ଥିଲା । ୪ ପୁଅଙ୍କୁ ନେଇ ଦିନେ ଆଲିଶାନ କୋଠାରେ ରହୁଥିଲେ । ପିଲାଙ୍କୁ ମଣିଷ କରବା ପରେ ସେମାନଙ୍କୁ ବାହା କରାଇଲେ । ୧୩ ବର୍ଷ ତଳେ ଗୋପୀଚନ୍ଦଙ୍କର ମୃତ୍ୟୁ ଘଟିଲା । ଏହା ପରେ ବିଦ୍ୟାଙ୍କ ଜୀବନରେ ବି ପରିବର୍ତ୍ତନ ଆସିଲା । ପିଲାମାନେ ସମ୍ପତ୍ତି ବାଣ୍ଟି ନେଇଗଲେ । ବିଦ୍ୟାଙ୍କ ଭାଗରେ କିଛି ପଡିଲାନି ।

ସମ୍ପତ୍ତ ଭାଗ ବଣ୍ଟା ହେବା ପରେ ସେ ପାଳି କରି ୪ ପୁଅଙ୍କ ଘରେ ରହିଲେ । ହେଲେ କିଏ କହିଲା ଦେହରୁ ଗନ୍ଧ ବାହାରୁଛି ତ କିଏ କହିଲା ଯମୁନାରେ ଫିଙ୍ଗି ଦେବି । ତଥାପି ବିଦ୍ୟା ଘର ନ ଛାଡିବାରୁ ପୁଅମାନେ ବୁଢୀ ମା’ଙ୍କୁ ପିଟିପିଟି ଧକ୍କା ଦେଇ ଘରୁ ବାହାର କରିଦେଲେ ।

ଏହି ଖବର ଅଗ୍ରୱାଲ ମହିଳା ମଞ୍ଚ ଅଧ୍ୟକ୍ଷ ଶଶି ଗୋୟଲ ଜାଣିବା ପରେ ବିଦ୍ୟାଙ୍କ ପୁଅମାନଙ୍କୁ ବୁଝାଶୁଝା କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ କିଛି ଫଳ ମିଳି ନ ଥିଲା  । ଶେଷରେ ଡିସେମ୍ବର ୧୯ ତାରିଖରେ ତାଙ୍କୁ  ବୃଦ୍ଧାଶ୍ରମରେ ଆଶ୍ରୟ ନେଇଥିଲେ ।

ଏ ଦୁଃଖ ଖାଲି ବିଦ୍ୟ ଦେବୀଙ୍କର ନୁହେଁ ବା ଜଗଦୀଶ ଦମ୍ପତିଙ୍କର ନୁହେଁ । ଏ ଦୁଃଖ ପ୍ରତିଟି ପରିବାରର । ପ୍ରତି ବୃଢା ବାପା-ମା’ଙ୍କର ।  କାହିଁକି ବାପା-ମା ବାର୍ଦ୍ଧକ୍ୟରେ ପିଲାଙ୍କ ପାଇଁ ଅଲୋଡା ହୋଇପଡନ୍ତି ।   କାହିଁକି ଏ ସମସ୍ୟା ପୀଢି ପୀଢି ଧରି ଚାଲି ଆସିଛି ?  କାହାର ଏ ଭୁଲ ? ସନ୍ତାନକୁ ଭଲ ପାଇବାର ନା  ଭଲ ମଣିଷ କରିବାର ?  ଏହା ଏକ ଅସମାହିତ ପ୍ରଶ୍ନ ।

Leave A Reply

Your email address will not be published.