Latest Odisha News

ଅଷ୍ଟମ ବେତନ କମିଶନରେ ଏମାନଙ୍କର ବଢିବନି ଦରମା! ଜାଣନ୍ତୁ…

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ଅଷ୍ଟମ ବେତନ କମିଶନ ଗଠନ ଘୋଷଣା ହେବା ପରଠାରୁ ପ୍ରାୟ ୩୬.୫୭ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୩୩.୯୧ ଲକ୍ଷ ପେନସନଭୋଗୀ ଦରମା ବଢିବା ନେଇ ଆଶା ଦ୍ଵିଗୁଣିତ ହୋଇଯାଇଛି । ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ ଯେ ଏହି ବେତନ କମିଶନ ଲାଗୁ ହେବା ପରେ ସେମାନଙ୍କର ଦରମା ଏବଂ ପେନସନ କେତେ ବୃଦ୍ଧି ହେବ।

ତେବେ ଦେଶରେ ଏପରି ଅନେକ କର୍ମଚାରୀ ଅଛନ୍ତି, ଯେଉଁମାନଙ୍କୁ ଆମେ ସରକାରୀ କର୍ମଚାରୀ ବୋଲି ତ ମାନୁଛୁ, କିନ୍ତୁ ଏହି ବେତନ କମିଶନ ସେମାନଙ୍କ ଉପରେ ପ୍ରଯୁଜ୍ୟ ହେବ ନାହିଁ। ଅର୍ଥାତ୍, ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ, ଲକ୍ଷ ଲକ୍ଷ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇବ, କିନ୍ତୁ ଏପରି କିଛି ବିଭାଗ ଅଛି ଯେଉଁଥିରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମାରେ କୌଣସି ବୃଦ୍ଧି ହେବ ନାହିଁ। ତେବେ ଆସନ୍ତୁ ଜାଣିବା ସେହି ବିଭାଗ ଏବଂ କର୍ମଚାରୀଙ୍କ ବିଷୟରେ…

ଅଷ୍ଟମ ବେତନ କମିଶନ ଅନୁଯାୟୀ, ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ମୁଖ୍ୟତଃ ଫିଟମେଣ୍ଟ ଫ୍ୟାକ୍ଟର ଏବଂ ଭତ୍ତା ଆଧାରରେ ନିର୍ଣ୍ଣୟ କରାଯିବ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଫିଟମେଣ୍ଟ ଫ୍ୟାକ୍ଟର ୧.୯୨ ରୁ ୨.୮୬ ମଧ୍ୟରେ ହୋଇପାରେ। ସରଳ ଭାଷାରେ କହିବାକୁ ଗଲେ, ଯଦି ଜଣେ କର୍ମଚାରୀଙ୍କ ବର୍ତ୍ତମାନର ମୂଳ ଦରମା ୨୦,୦୦୦ ଟଙ୍କା ଏବଂ ଫିଟମେଣ୍ଟ ଫ୍ୟାକ୍ଟର ୨.୮୬ ଥାଏ, ତେବେ କର୍ମଚାରୀଙ୍କ ନୂତନ ଦରମା ୨୦,୦୦୦×୨.୮୬ = ୫୭,୨୦୦ ଟଙ୍କା ହେବ। କହିରଖୁଛୁ ଯେ, ସପ୍ତମ ବେତନ କମିଶନ ଅନୁଯାୟୀ, ବର୍ତ୍ତମାନ ସର୍ବନିମ୍ନ ମୌଳିକ ଦରମା ୧୮,୦୦୦ ଟଙ୍କା ଥିଲେ ଏଥିରେ ୨.୮୬ ର ଫିଟମେଣ୍ଟ ଫ୍ୟାକ୍ଟର ପ୍ରୟୋଗ କଲେ ୫୧,୪୮୦ ଟଙ୍କାକୁ ବୃଦ୍ଧି ପାଇପାରେ।

ଯେତେବେଳେ କୌଣସି ବେତନ କମିଶନ ଲାଗୁ କରାଯାଏ, ତାହା ପ୍ରଥମେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଉପରେ ଲାଗୁ କରାଯାଏ। ଏହା ପରେ, ରାଜ୍ୟ ସରକାରମାନେ ଏହାକୁ ସେମାନଙ୍କ ରାଜ୍ୟରେ ଲାଗୁ କରନ୍ତି ଏବଂ ରାଜ୍ୟ ସରକାରଙ୍କ ସରକାରୀ କର୍ମଚାରୀମାନେ ଏହାର ଲାଭ ପାଆନ୍ତି। ତଥାପି, ବେତନ କମିଶନ ହାଇକୋର୍ଟ, ସୁପ୍ରିମକୋର୍ଟର ବିଚାରପତି, ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ (PSU)ର କର୍ମଚାରୀ କିମ୍ବା କୌଣସି ସ୍ୱୟଂଶାସିତ ସଂସ୍ଥାର କର୍ମଚାରୀଙ୍କ ପାଇଁ ଏହି କମିଶନ ପ୍ରଯୁଜ୍ୟ ନୁହେଁ। ପ୍ରକୃତରେ, ଏହି ଲୋକମାନଙ୍କ ପାଇଁ ଦରମା ଏବଂ ଭତ୍ତାର ନିୟମ ଭିନ୍ନ ଏବଂ କେବଳ ସେହି ନିୟମଗୁଡ଼ିକ ସେମାନଙ୍କ ପାଇଁ ପ୍ରଯୁଜ୍ୟ।

ପୂର୍ବ ବେତନ କମିଶନର ସମୟସୀମାକୁ ଦେଖିଲେ, ଅଷ୍ଟମ ବେତନ କମିଶନର କାର୍ଯ୍ୟାନ୍ୱୟନର ସମ୍ଭାବ୍ୟ ସମୟସୀମା ଆକଳନ କରାଯାଇପାରିବ। ଷଷ୍ଠ ବେତନ କମିଶନର ସୁପାରିଶଗୁଡ଼ିକ ୨୦୦୬ ମସିହାରେ କାର୍ଯ୍ୟକାରୀ ହୋଇଥିଲା, ଯଦିଓ ଏହା ୨୦୦୫ ମସିହାରେ ଗଠିତ ହୋଇଥିଲା। ସେହିପରି ଫେବୃଆରୀ ୨୦୧୪ ରେ ସପ୍ତମ ବେତନ କମିଶନ ଗଠନ କରାଯାଇଥିଲା ଏବଂ ସୁପାରିଶଗୁଡ଼ିକ ଜାନୁଆରୀ ୧, ୨୦୧୬ ରୁ କାର୍ଯ୍ୟକାରୀ କରାଯାଇଥିଲା। ସେମିତି ୮ମ ବେତନ କମିଶନ ଜାନୁଆରୀ ୨୦୨୫ ରେ ଘୋଷଣା କରାଯାଇଥିଲା। କୁହାଯାଉଛି ଯେ, ଜାନୁଆରୀ ୧, ୨୦୨୬ ରୁ ଏହାକୁ କାର୍ଯ୍ୟକାରୀ କରିବାର ଯୋଜନା ରହିଛି। କିନ୍ତୁ, ବିଶେଷଜ୍ଞଙ୍କ ମତରେ, ToR ଏବଂ ବଜେଟରେ ପାଣ୍ଠି ଅଭାବ ଯୋଗୁଁ ଏହାର କାର୍ଯ୍ୟକାରୀ ହେବାରେ ବିଳମ୍ବ ହୋଇପାରେ।

Comments are closed.