ଭୁବନେଶ୍ୱର: ରାଜ୍ୟରେ ଏବେ ଜାରି ରହିଛି ଶୀତର ପ୍ରକୋପ। ଘନ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଖସୁଛି ରାତି ତାପମାତ୍ରା । ଏବେ ପ୍ରବଳ ଜାଡ଼ରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ୧୦ ଡିଗ୍ରୀ ତଳେ ରହିଛି ୯ ସହରର ତାପମାତ୍ରା । ୭.୫ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର ପାଲଟିଛି। ରାଉରକେଲାରେ ୮.୭, କୋରାପୁଟରେ ୮.୮, ଝାରସୁଗୁଡା ଓ ଅନୁଗୁଳରେ ୯ ଡିଗ୍ରୀ , କେନ୍ଦୁଝରରେ ୧୦.୪, ହୀରାକୁଦରେ ୧୧.୬, ଦାରିଙ୍ଗବାଡିରେ ୯.୫, ଭବାନୀପାଟଣାରେ ୯.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଆଜି ମଧ୍ୟ ପ୍ରବଳ ଥଣ୍ଡା ଅନୁଭୁତ ହେବ । କାରଣ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି କହିଛି ପାଣିପାଗ ବିଭାଗ । ସେହିପରି ଆଜି ଏବଂ ଆସନ୍ତାକାଲି ଘନ କୁହୁଡି ନେଇ କିଛି ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।
ଅନ୍ୟପଟେ ଆଉ ଦିନେ ପର୍ଯ୍ୟନ୍ତ ଏହିଭଳି ଶୀତ ଜାରି ରହିବା ପରେ କାଲି ପରେ କମିବ ଶୀତ । ଆସନ୍ତା ୫ ତାରିଖ ବେଳକୁ ରାଜ୍ୟରେ ଶୀତ କମିବା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୨ରୁ ୩ ଡିଗ୍ରୀ ଯାଏଁ ବଢିପାରେ ପାରଦ। ସକ୍ରିୟ ହେବାକୁ ଥିବା ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଶୀତର ପ୍ରଭାବ କମିବ। ପଶ୍ଚିମା ଝଡ଼ ପ୍ରଭାବରେ ଶୁଷ୍କ ଥଣ୍ଡା ବାୟୁ ଦୁର୍ବଳ ହେବ। ଏଥିସହ ପୂର୍ବ ଦିଗରୁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବୃଦ୍ଧି ପାଇବ। ଫଳରେ ୫ ପରଠୁ ରାତି ତାପମାତ୍ରା ବୃଦ୍ଧି ପାଇବ। ଏହା କାରଣରୁ ରାଜ୍ୟରେ ଶୀତର ପ୍ରଭାବ କମିବ।
Comments are closed.