ଭୁବନେଶ୍ୱର: ଗତ ପଞ୍ଚାୟତ ନିର୍ବାଚନରେ ଜିତିଥିବା ୭୨୬ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ୯୫ ଜଣ ହେଉଛନ୍ତି କୋଟିପତି । ନିର୍ବାଚିତ ପ୍ରତିନିଧି ମାନଙ୍କ ମଧ୍ୟରେ ୯୫ ଜଣ ସଦସ୍ୟ ଅଛନ୍ତି, ଯେଉଁମାନଙ୍କ ନିକଟରେ ୧ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି । ଏହି ପ୍ରାର୍ଥୀମାନେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠରେ କୋଟିଏ ଟଙ୍କାରୁ ଅଧିକ ସଂପତ୍ତି ଥିବା ଦର୍ଶାଇଛନ୍ତି ।
‘ଓଡ଼ିଶା ଇଲେକ୍ସନ ୱାଚ୍ ଏବଂ ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ’ ନିର୍ବାଚିତ ପ୍ରତିନିଧିଙ୍କ ଦ୍ୱାରା ସତ୍ୟପାଠରେ ଦାଖଲ ତଥ୍ୟକୁ ବିଶ୍ଲେଷଣ କରି ଏହି ରିପୋର୍ଟ ପ୍ରକାଶ କରିଛି । ମୋଟ୍ ୮୫୧ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ୭୨୬ ଜଣ ପ୍ରତିନିଧିଙ୍କ ତଥ୍ୟକୁ ବିଶ୍ଲେଷଣ କରାଯାଇଛି ।
ସେ ଭିତରୁ ବିଜେଡିରେ ସର୍ବାଧିକ କୋଟିପତି ପ୍ରତିନିଧି ରହିଛନ୍ତି । ରାଜ୍ୟରେ ଶାସକ ଦଳର ନିର୍ବାଚିତ ପ୍ରତିନିଧିଙ୍କ ଭିତରୁ ୯୦ ଜଣ ହେଉଛନ୍ତି କୋଟିପତି । ଏହା ପରକୁ ରହିଛି ବିଜେପି । ବିଜେପିର ୩୭ ଜଣ ପ୍ରାର୍ଥୀ ନିର୍ବାଚିତ ହୋଇଥିବା ବେଳେ ମାତ୍ର ୩ ଜଣ ସଦସ୍ୟ କୋଟିପତି ଅଟନ୍ତି ।
ତୃତୀୟରେ କଂଗ୍ରେସର ୨୨ ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କ ମଧ୍ୟରୁ ୨ ଜଣ କୋଟିପତି ନିର୍ବାଚିତ ହୋଇଛନ୍ତି । ଏହି ତିନି ଦଳ ବ୍ୟତୀତ ଅନ୍ୟ କୌଣସି ଦଳର ନିର୍ବାଚିତ ପ୍ରତିନିଧିଙ୍କ ନିକଟରେ ଏତେ ଟଙ୍କାର ସମ୍ପତ୍ତି ଥିବା ଦର୍ଶାଇ ନାହାନ୍ତି ।
ଏହା ବ୍ୟତୀତ ସମସ୍ତ ୭୨୬ ନିର୍ବାଚିତ ପ୍ରତିନିଧିଙ୍କ ହାରାହାରି ସମ୍ପତ୍ତି ହେଉଛି ୫୬.୬୦ ଲକ୍ଷ ଟଙ୍କା । ବିଜେଡିର ନିର୍ବାଚିତ ସଦସ୍ୟଙ୍କ ହାରାହାରି ସମ୍ପତ୍ତି ୫୮ ଲକ୍ଷ ଟଙ୍କା, ବିଜେପି ସଦସ୍ୟଙ୍କ ୪୮.୬୧ ଲକ୍ଷ ଟଙ୍କା, କଂଗ୍ରେସ ସଦସ୍ୟଙ୍କ ୩୭.୩୫ ଲକ୍ଷ ଟଙ୍କା, ଜେଏମଏମ ସଦସ୍ୟଙ୍କ ୧୬.୦୮ ଲକ୍ଷ ଟଙ୍କା ଏବଂ ଦୁଇ ସ୍ୱାଧୀନ ନିର୍ବାଚିତ ସଦସ୍ୟଙ୍କ ହାରାହାରି ସଂପତ୍ତି ହେଉଛି ୪୧.୩୦ ଲକ୍ଷ ଟଙ୍କା ।