ଭୁବନେଶ୍ୱର: ଓଡିଶାରେ କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦେବା ଆବଶ୍ୟକ ରହିଛି । ଓଡ଼ିଶାର କୃଷି କ୍ଷେତ୍ରକୁ ଉନ୍ନତ କରିବା ନିମନ୍ତେ କୃଷି ଉତ୍ପାଦ ତଥା ଏହି କ୍ଷେତ୍ରରେ ନିବେଶ ନିମନ୍ତେ ଯୁବ ଉଦ୍ୟୋଗୀମାନଙ୍କୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ କିପରି ସୁବିଧା ମିଳିପାରିବ ସେ ଦିଗରେ ଆମକୁ ଧ୍ୟାନ ଦେବା ଆବଶ୍ୟକତା ରହିଛି । ବିଭିନ୍ନ ଯୋଜନା ଯେପରିକି କୃଷି ଭିତ୍ତିଭୂମି ପାଣ୍ଠି, ଉଦ୍ୟାନ କୃଷିର ସମନ୍ୱିତ ବିକାଶ ପାଇଁ ମିଶନ ଏବଂ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଉପଲବ୍ଧତା ଆମ ରାଜ୍ୟର କୃଷି କ୍ଷେତ୍ରକୁ ବିକାଶ କରିବା ସହିତ ଆମ ଅର୍ଥନୀତିକୁ ନିଶ୍ଚିତ ଭାବେ ସୁଦୃଢ କରିପାରିବ ବୋଲି ମତ ଦେଇଛନ୍ତି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ।
ଓଡ଼ିଶା କର୍ପୋରେଟ୍ ଫାଉଣ୍ଡେସନ୍ ପକ୍ଷରୁୁ ‘କୃଷି ବ୍ୟବସାୟ – ଓଡ଼ିଶାରେ ସୁଯୋଗ ଏବଂ ପରିସର’ ବିଷୟବସ୍ତୁ ଉପରେ ଆୟୋଜିତ ଏକ ୱେବିନାରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଡ. ସୌରଭ ଗର୍ଗ ମତ ରଖିବା ସହ ଚଳିତ ବର୍ଷ କୃଷି ଭିତ୍ତିଭୂମି ପାଣ୍ଠି ଯୋଜନା ଅଧୀନରେ କୃଷକମାନଙ୍କୁ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ଦ୍ୱାରା ୧ ଲକ୍ଷ କୋଟି ଟଙ୍କାର ଆର୍ଥିକ ଋଣ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଥିବା ପ୍ରକାଶ କରଛନ୍ତି । ଏହି ଯୋଜନାରେ ଓଡ଼ିଶାକୁ ୨,୫୦୦ କୋଟି ଟଙ୍କା ଋଣ ମିଳିବ। ଏହାଦ୍ୱାରା ବହୁ କୃଷକ ଏବଂ କୃଷି କ୍ଷେତ୍ରରେ ନିବେଶ କରିବା ନିମନ୍ତେ ଅଗ୍ରହୀ ଥିବା ଉଦ୍ୟୋଗୀମାନେ ବେଶ୍ ଲାଭାନ୍ୱିତ ହୋଇପାରିବେ ବୋଲି ସେ ସୂଚନା ଦେଇଛନ୍ତି ।
କୃଷି କ୍ଷେତ୍ରରେ ନୂତନ ଜ୍ଞାନକୌଶଳ, ଭିତ୍ତିଭୂମି ଆଦିର ପର୍ୟ୍ୟାପ୍ତ ଉପଲବ୍ଧତା ଦ୍ୱାରା ନୂତନ ପିଢି କୃଷିକ୍ଷେତ୍ରକୁ ନିଜର ବୃତ୍ତି ଭାବେ ଆପଣାଇପାରିବେ । ଯଦିଓ ଓଡିଶାରେ କୃଷିଜାତ ଦ୍ରବ୍ୟ ଏବଂ ଖାଦ୍ୟ ଶସ୍ୟର ଉପଲବ୍ଧଥା ଯଥେଷ୍ଟ ପରିମାଣରେ ରହିଛି ତେବେ ଆମକୁ କୃଷି କ୍ଷେତ୍ରରେ ଆହୁରି କାର୍ଯ୍ୟ କରିବାକୁ ପଡିବ ଯାହାଦ୍ୱାରା ଯୁବଗୋଷ୍ଠୀମାନେ କୃଷିକ୍ଷେତ୍ରରେ ନିବେଶ କରିବା ନିମନ୍ତେ ଆ୍ଗେଇ ଆସିବେ ବୋଲି କୃଷି ଏବଂ ଖାଦ୍ୟ ଉତ୍ପାଦନ ବିଭାଗର ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର ମତ ଦେଇଥିଲେ । ଏଥି ସହିତ ଓଡ଼ିଶାରେ ଧାନ ଏବଂ ପରିବା ଚାଷ ବହୁଳ ପରିମାଣରେ ହେଉଥିବାରୁ ଏହାର ଅମଳ ପରର ପରିଚାଳନା ଓ ସଂରକ୍ଷଣ କିପରି କରାଯାଇପାରିବ ସେନେଇ ସେ ଦୃଷ୍ଟି ଆକର୍ଷଣ କରିବା ସହ କୃଷି ଭିତ୍ତିଭୂମୀ ପାଣ୍ଠି ଅଧିନରେ ରାଜ୍ୟରେ ସମ୍ମିଶ୍ରଣ ହୋଇଥିବା ୮ ଟି ମୁଖ୍ୟ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ ।
କୃଷି ସମ୍ବନ୍ଧୀୟ ଏହି ଆଲୋଚନାଚକ୍ରରେ ଯୋଗ ଦେଇ ଉଦ୍ୟାନ ଏବଂ କୃଷି ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା କହିଥିଲେ ଯେ, ବର୍ତ୍ତମାନ ପରିସ୍ଥିତିରେ କୃଷି କ୍ଷେତ୍ରକୁ କିପରି କୃଷି ବ୍ୟବସାୟ ଦିଗରେ ପ୍ରୋତ୍ସାହିତ କରିପାରିବା ସେ ଦିଗରେ କାର୍ଯ୍ୟ କରିବା ନିହାତି ଆବଶ୍ୟକ । ପାରମ୍ପରିକ କୃଷି ପଦ୍ଧତି ଛାଡି ଅତ୍ୟାଧୁନିକ କୃଷି ପଦ୍ଧତି ଆପଣାଇବା ସମୟରେ ଆମେ କେଉଁ ସମସ୍ୟାର ସମ୍ମୁଖୀନ ହେଉଛେ ତାହା ଯଦି ଆମେ ଚିହ୍ନଟ କରିପାରିବା ତେବେ ନିହାତି ଭାବେ ଆମ ରାଜ୍ୟର କୃଷିକ୍ଷେତ୍ରରେ ଏକ ପରିବର୍ତ୍ତନ ଆସିବ ବୋଲି ସେ ମତ ଦେଇଥିଲେ ।
ରାଜ୍ୟ ସରକାର ଅଣୁ ଉଦ୍ୟେଗକୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରତ୍ୟେକ ଜିଲ୍ଲାରୁ ଗୋଟିଏ ଲେଖାଏଁ କୃଷି ଉତ୍ପାଦକୁ ପ୍ରୋତ୍ସାହନ ଦେବାପାଇଁ ଯୋଜନା ରଖିଛନ୍ତି ଏବଂ ଚାଷୀମାନଙ୍କ ପାଇଁ ରାଜ୍ୟର ଦୁଇଟି ପ୍ରମୁଖ ସହର ଭୁବନେଶ୍ୱର ଓ ସମ୍ବଲପୁର ରେ ସମନ୍ୱିତ ଯୋଗାଣ ଶୃଙ୍ଖଳ କରିବା ପାଇଁ ଯୋଜନା ରହିଥିବା ଶ୍ରୀ ଲେଙ୍କା ପ୍ରକାଶ କରିଥିଲେ । ଏହି ଆଲୋଚନା ଚକ୍ର ମାଧ୍ୟମରେ ବ୍ୟାଙ୍କରମାନଙ୍କୁ କୃଷି ସମ୍ବନ୍ଧୀୟ ପ୍ରକଳ୍ପଗୁଡିକୁ ଯଥାଶୀଘ୍ର ବିଚାରକୁ ନେବାପାଇଁ ଅନୁରୋଧ କରି ଏହାଦ୍ୱାରା ଚାଷୀମାନେ ଲାଭ ପାଇପାରିବେ ବୋଲି ମତ ଉପସ୍ଥାପନ କରିଥିଲେ ।
ଏହି ଅବସରରେ ଆପିକଲର ପରିଚାଳନା ନିର୍ଦ୍ଦେଶକ ପ୍ରଫେସର ଡା ପି. କେ. ରାଉଳ କହିଥିଲେ ଯେ, ଆପିକଲ ହେଉଛି ଓଡିଶାର କୃଷି ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ନୋଡାଲ ଏଜେନ୍ସି । ସେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ର ଲାଭ କିପରି ଉଠାଇପାରିବେ ଏବଂ ଆପିକଲ କିପରି କୃଷି ଉଦ୍ୟୋଗକୁ ପ୍ରୋତ୍ସାହିତ କରେ ସେ ବିଷୟରେ ବିସ୍ତୃତ ଭାବେ କହିଥିଲେ । ଏହି ଯୋଜନା ଅଧିନରେ ପ୍ରତ୍ୟେକ ଜିଲ୍ଲାରୁ ଏକ ନିର୍ଦ୍ଧିଷ୍ଟ ଉତ୍ପାଦ ଚୟନ କରି, ସେହି ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ଭିତ୍ତିଭୂମି, ସଂରକ୍ଷଣ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କିପରି କରାଯାଇପାରିବ ସେ ବିଷୟରେ କହିଥିଲେ । ବିଦେଶରେ ରହୁଥିବା ପ୍ରବାସୀ ଓଡିଆମାନେ ଯଦି ରାଜ୍ୟକୁ ଫେରି କୃଷିକ୍ଷେତ୍ରରେ ନିବେଶ କରିବାକୁ ଚାହୁଁଛନ୍ତି ଆମେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବୁ ଏବଂ ସେମାନଙ୍କୁ ସଠିକ୍ ଭାବେ ମାର୍ଗଦର୍ଶନ ପ୍ରଦାନ କରିପାରିଲେ ସେମାନେ ଉପକୃତ ହେବେ ଏବଂ ତା ସହିତ ଆମ ରାଜ୍ୟର ଅର୍ଥନୀତି ସୁଦୃଢ ହୋଇପାରିବ ବୋଲି ସେ ମତ ଦେଇଥିଲେ ।
ମାର୍ଟ ଗ୍ଲୋବାଲ ମ୍ୟାନେଜମେଣ୍ଟ ସଲ୍ୟୁସନର ସହଭାଗୀ ପଙ୍କଜ ମିଶ୍ର ପ୍ରେଜେଣ୍ଟେସେନ ମାଧ୍ୟମରେ ଦେଶ ତଥା ରାଜ୍ୟର କୃଷି ବ୍ୟବସ୍ଥା ଉପରେ ଆଲୋକପାତ କରାଇଥିଲେ । ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ବିଜୟ କୁମାର ପଟ୍ଟନାୟକ ଏହି ଆଲୋଚନା ଚକ୍ରରେ ଯୋଗ ଦେଇ ଆଜିର ଯୁବଗୋଷ୍ଠୀଙ୍କୁ କୃଷିକ୍ଷେତ୍ରକୁ ଗର୍ବର ସହ ଆପଣାଇବା ପାଇଁ ଆହ୍ୱାନ ଦେବା ସହ ନିଜକୁ ଚାଷୀ କହିବାକୁ ସଙ୍କୋଚ ନ କରିବା ପାଇଁ ଆହ୍ୱାନ ଦେଇଥିଲେ । ଜୈବିକ ଚାଷ ଏବଂ ଫୁଲଚାଷ କୁ ନେଇ ବର୍ତ୍ତମାନ ଜଣେ ନିଜର ଭବିଷ୍ୟତ ଗଠନ କରିପାରିବ ଏବଂ ଜୈବିକ ଚାଷର ଉପଯୁକ୍ତ ମାର୍କେଟିଙ୍ଗ କରିପାରିଲେ ଏହା ବେଶ୍ ଲାଭଦାୟୀ ହେବ ବୋଲି ମତପୋଷଣ କରିଥିଲେ ।
ଇକୋସିଏଟର ସହ ପ୍ରତିଷ୍ଠାତା କିତ୍ତୀ ପ୍ରସନ୍ନ ମିଶ୍ର ଆଲୋଚନାଚକ୍ରରେ ସ୍ୱାଗତ ସମ୍ଭାଷଣରେ କହିଥିଲେ ଯେ ଓଡିଶାରେ ପ୍ରାକୃତିକ ସମ୍ପଦ ଯଥେଷ୍ଟ ପରିମାଣରେ ରହିଛି ଏବଂ ରାଜ୍ୟ ସରକାର ସକ୍ରିୟ ଭାବେ କୃଷି କ୍ଷେତ୍ରର ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି । ଆମର ସ୍ଥାନୀୟ ବଜାର ବେଶ୍ ସୁଦୃଢ, ଉଦ୍ୟୋଗିତା କ୍ଷେତ୍ରକୁ ଗଢିବା ନିମନ୍ତେ ଆମର ଏକ ଉତ୍ତମ ଦୃଷ୍ଟିକୋଣ ରହିବା ଆବଶ୍ୟକ ବୋଲି ସେ କହିଥିଲେ ।
Comments are closed.