Latest Odisha News

BREAKING NEWS

ପାଲା ଜଗତର ଅନନ୍ୟ ପ୍ରତିଭାବାନ ଗାୟକ; ପଣ୍ଡିତ ମାୟାଧର ଶତପଥୀ

ଭୁବନେଶ୍ୱର: ରାଜ୍ୟରେ ଯେଉଁ କେତେଜଣ କେବଳ ସଂସ୍କୃତରେ ପାଲା ଗାୟନ କରିବାକୁ ସକ୍ଷମ ସେମାନଙ୍କ ମଧ୍ୟରେ ଅନ୍ୟତମ ବିଦ୍ଵାନ ଗାୟକ ହେଉଛନ୍ତି ପଣ୍ଡିତ ମାୟାଧର ଶତପଥୀ ।

କଟକ ଜିଲ୍ଲା ବଡ଼ମ୍ବା ଅନ୍ତର୍ଗତ ଗୋପିନାଥପୁର ଗ୍ରାମରେ ୧୯୬୮ ମସିହାରେ ମାୟାଧର ଶତପଥୀ ଜନ୍ମଗ୍ରହଣ କରିଥିଲେ । ମାୟାଧରଙ୍କ ମାଆ ହେଉଛନ୍ତି ଈଶ୍ଵର ଭକ୍ତି ପରାୟଣୀ କମଳାଦେବୀ ଏବଂ ବାପା ହେଉଛନ୍ତି ପୁରାଣ ଶାସ୍ତ୍ର ଓ ସଂସ୍କୃତ ସାହିତ୍ୟରେ ପାରଦର୍ଶିତା ଅର୍ଜନ କରିଥିବା ପଦ୍ମନାଭ ଶତପଥୀ ।

ପଦ୍ମନାଭଙ୍କ ବଡ଼ ଭାଇ ସୋମନାଥ ଶତପଥୀ ଜଣେ ପ୍ରତିଭା ସମ୍ପନ୍ନ ବିଦ୍ଵାନ ଥିଲେ । ବଡ଼ବାପା ପଦ୍ମନାଭଙ୍କ ଦ୍ଵାରା ପିଲାଟି ଦିନରୁ କଳା, ସାହିତ୍ୟ ପ୍ରତି ପ୍ରଭାବିତ ହୋଇଥିଲେ ମାୟାଧର ।
ଗୋପିନାଥପୁର ସ୍ଥିତ କୃପାସିନ୍ଧୁ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍ ପାସ୍ କରିବା ପରେ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ଅଧୀନସ୍ଥ ବଡ଼ମ୍ବା ରାଜ ବିଶ୍ଵମ୍ଭର ସଂସ୍କୃତ ଟୋଲ୍ ରେ ମାୟାଧର ପଢ଼ିଥିଲେ । ସେଠାରୁ ପଢ଼ା ଶେଷ ପରେ ଭୁବନେଶ୍ଵର ସ୍ଥିତ କୃଷ୍ଣଚନ୍ଦ୍ର ଗୁରୁକୁଳ ମହାବିଦ୍ୟାଳୟରେ ପଢ଼ିଲେ, ଏହାପରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ସଂସ୍କୃତରେ ଏମ.ଏ. ଶେଷ କଲେ ।

୧୯୮୭ ମସିହା ଦଶହରା ଦିନ ବିଖ୍ୟାତ ପଣ୍ଡିତ ତଥା ଗାୟକ ରାଜକିଶୋର ମିଶ୍ରଙ୍କୁ ଗୁରୁ କରି ତାଙ୍କଠାରୁ ଚାମର ଗ୍ରହଣ କରିଥିଲେ ମାୟାଧର ଶତପଥୀ । ସଂସ୍କୃତରେ ପାଣ୍ଡିତ୍ୟ ଅର୍ଜନ କରିଥିବା ଶ୍ରୀଯୁକ୍ତ ଶତପଥୀଙ୍କ ପାଲା ଅତ୍ୟନ୍ତ ପାଣ୍ଡିତ୍ୟପୂର୍ଣ୍ଣ ।

ଖୁବ୍ କମ ଦିନ ମଧ୍ୟରେ ସେ ପାଲା ଜଗତରେ ନିଜର ପରିଚୟ ସୃଷ୍ଟି କରିଥିଲେ । ବିଶେଷ କରି କାବ୍ୟ, କବିତା, ରାଗ ରାଗିଣୀ, ଛାନ୍ଦ, ଚୌପଦୀ ଆଦି ଗାୟନ କରିବା ସହ ନୀତିଶିକ୍ଷା, ଭକ୍ତି ସାହିତ୍ୟ ମାୟାଧର ଶତପଥୀଙ୍କ ପାଲାରେ ଦେଖିବାକୁ ମିଳେ ।

ଶ୍ରୀଯୁକ୍ତ ଶତପଥୀଙ୍କର ପେଶା ଶିକ୍ଷକତା ହୋଇଥିଲେ ମଧ୍ୟ ନିଶା ହେଉଛି ପାଲା ଗାୟନ । ନିର୍ଭୁଲ କାବ୍ୟ ଗାୟନ କରିବାରେ ସେ ବେଶ୍ ସିଦ୍ଧହସ୍ତ । ରାଜ୍ୟର ପୁର ପଲ୍ଲୀରେ ପାଲା ଗାୟନ କରି ସେ ଅନେକ ପୁରସ୍କାର, ସମ୍ମାନ ଓ ଉପାଧିରେ ଭୂଷିତ ହୋଇଛନ୍ତି ।

Leave A Reply

Your email address will not be published.