ଭୁବନେଶ୍ୱର: ବିଶ୍ୱ ପର୍ଯ୍ୟଟନ ସଂଗଠନ ପକ୍ଷରୁ ପ୍ରତିବର୍ଷ ସେପ୍ଟେମ୍ବର ୨୭ ତାରିଖକୁ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ଭାବେ ପାଳନ କରାଯାଏ ।
ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ହେଉଛି ସାରା ବିଶ୍ୱରେ ପର୍ଯ୍ୟଟନ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା । ବିଗତ ୧୯୮୦ ମସିହାରୁ ଏହି ଦିନକୁ ଆନ୍ତର୍ଜାତୀୟ ସ୍ତରରେ ପର୍ଯ୍ୟଟନ ଦିବସ ଭାବରେ ପାଳନ କରାଯାଇ ଆସୁଛି ।
ସାନଘାଗରା- ସାନଘାଗରା ହେଉଛି ଏକ ଚିରସ୍ରୋତା ଜଳପ୍ରପାତ । ଯାହାର ଅନନ୍ୟ ଶୋଭାରାଜି ପର୍ଯ୍ୟଟକଙ୍କୁ ଖୁବ୍ ଆକୃଷ୍ଟ କରିଥାଏ । ଓଡିଶାର ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ଏହା ଅନ୍ୟତମ । ଏଠାକୁ ଥରେ ଯିଏ ଆସିଛି ସେ ଏହାର ମନୋରମ ଦୃଶ୍ୟପଟ କେବେ ଭୁଲି ପାରିବ ନାହିଁ । ଏଠାରେ ଥିବା ସାନମାଛକାନ୍ଦଣା ନଦୀର ଜଳରାଶି ଏକ ବିଶାଳ ପ୍ରସ୍ତର ଉପରୁ କଳକଳ ନାଦ କରି ତଳକୁ ଖସିଥାଏ । ପରେ ଜଳ ପ୍ରପାତର ମଧୁର ଗର୍ଜନ ଓ ତଳେ ବିଛାରି ହୋଇ ପଡୁଥିବା ଜଳ ସେଠାକୁ ଯାଉଥିବା ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ ।
ବାଙ୍କୁଲି ଜଳପ୍ରପାତ- ମାଲକାନଗିରି ଜିଲ୍ଲାର ସପ୍ତଧାରର ଉପରପାଶ୍ୱର୍ରେ ରହିଛି ବାଙ୍କୁଲି ଜଳପ୍ରପାତ । ଏଠାରେ ଲୁକ୍କାୟିତ ଭାବେ ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ସବୁସମୟରେ ପର୍ଯ୍ୟଟକଙ୍କୁ ବିମୁଗ୍ଧ କରିପାରିବ । ବାଙ୍କୁଲିର ସୌନ୍ଦର୍ଯ୍ୟ ଉପଭୋଗ କରିବା ତଥା ପାହାଡ ଉପରୁ ସପ୍ତଧାରାକୁ ଦେଖିବା ଲାଗି କାହିଁ ଦୂରଦୂରାନ୍ତରୁ ଏଠାକୁ ପର୍ଯ୍ୟଟକମାନେ ଧାଇଁ ଆସିଥାନ୍ତି । ମାଳ ମାଳ ପାହାଡ ମଧ୍ୟଦେଇ ଲମ୍ଫ ପ୍ରଦାନ କରୁଥିବା ଝରଣା କଳକଳ ନାଦ ଏହାର ମୁଖ୍ୟ ଆକର୍ଷଣ ପାଲଟିଥାଏ ।
ମୁର୍ଗା ମହାଦେବ- କେନ୍ଦୁଝର ଜିଲ୍ଲା ସ୍ଥିତ ବିଲେଇପଦା ନିକଟରେ ଅନ୍ୟତମ ପର୍ଯ୍ୟଟନ ସ୍ଥଳୀଭାବେ ‘ମୁର୍ଗା ମହାଦେବ’ । ସାଧାରଣତଃ କେନ୍ଦୁଝର ଜିଲ୍ଲାରେ ଖଣି ଖାଦାନ ଭରି ରହିଥିବାରୁ ଆପଣଙ୍କ ଯାତ୍ରା ଟିକେ କଷ୍ଟ ହେଲେ ମଧ୍ୟ ମୁର୍ଗା ମହାଦେବରେ ପହଞ୍ଚିବା ପରେ ସବୁ କଷ୍ଟ ଲାଘବ ହୋଇଯିବ । ଏଠାରେ ଥିବା ଜଳପ୍ରପାତଟିର ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନ୍ତ୍ରମୁଗ୍ଧ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ସ୍ଥାନଟି ଖୁବ୍ ଲୋଭନୀୟ ମଧ୍ୟ । ଏହାର ଏପରି ନାମକରଣ ପଛରେ ମଧ୍ୟ ଏକ ରହସ୍ୟ ରହିଛି ।
ଖଣ୍ଡାଧାର- କେନ୍ଦୁଝର ଜିଲ୍ଲା ମଝିରେ ଅଧା ଅଧା ହୋଇ ରହିଛି। କେନ୍ଦୁଝର ପଟେ ଥିବା ଖଣ୍ଡାଧାର ଜଳପ୍ରପାତର ଅପରପାର୍ଶ୍ୱରେ ତଥା ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ନନ୍ଦାପାଣି ଅଞ୍ଚଳରେ ଆଉ ଏକ ଜଳପ୍ରପାତ ରହିଛି। ଯାହାର ନାମ ମଧ୍ୟ ଖଣ୍ଡାଧାର। ରାଉକେଲାଠାରୁ ଏହା ୧୦୪ କିମି ଏବଂ କେନ୍ଦୁଝରଠାରୁ ପ୍ରାୟତଃ ୧୦୦ କିମି ଦୂରରେ ରହିଛି ଏହି ଜଳପ୍ରପାତ।
ଗଣ୍ଡାହାତୀ ଜଳପ୍ରପାତ- ସୌନ୍ଦର୍ଯ୍ୟ ଓ ଇତିହାସରେ ଭରା ଏହି ଜଳପ୍ରପାତଟି ରହିଛି ଗଜପତି ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡି ଠାରୁ ପ୍ରାୟ ୨୮ କିମି. ଦୂରରେ । ଏଠାକୁ ସବୁସମୟରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ ।
Comments are closed.