Latest Odisha News

BREAKING NEWS

ମସ୍ତିଷ୍କ ପକ୍ଷାଘାତ (ସେରେବ୍ରାଲ ପାଲସି): କାରଣ, ଲକ୍ଷଣ, ନିରୂପଣ ଓ ଚିକିତ୍ସା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ସର୍ବେକ୍ଷଣ ଅନୁସାରେ ବିଶ୍ୱ ସମୁଦାୟର ହାରାହାରି ୧୦ ଭାଗ ଲୋକ କିଛି ନା କିଛି ଅକ୍ଷମତାର ଶିକାର ହୋଇଥାନ୍ତି । ଭାରତରେ ଏହା ଜନସଂଖ୍ୟାର ୩.୮ ପ୍ରତିଶତ. ବିଭିନ୍ନ ଅକ୍ଷମତା ମଧ୍ୟରୁ ମସ୍ତିଷ୍କ ପକ୍ଷାଘାତ ଅନ୍ୟତମ ଏବଂ ବିଶ୍ୱ ଅକ୍ଷମତାର ପାଖାପାଖି ୧୫ରୁ ୨୦ ପ୍ରତିଶତ ପ୍ରତିଶତ( ୧୭ ନିୟୁତ ) ଏଥିର ଆକ୍ରାନ୍ତ । ଭାରତରେ ପ୍ରତି ହଜାରେ ଜନସଂଖ୍ୟାରେ ପାଖାପାଖି ତିନିଜଣ ଏହାର ଶିକାର । ଓଡ଼ିଶାରେ ମଧ୍ୟ ଏହାର ଅନୁପାତ ଚିନ୍ତାର କାରଣ ଏବଂ ପ୍ରତି ହଜାରେ ଜନସଂଖ୍ୟାରେ ପାଖାପାଖି ତିନିରୁ ଚାରି ଜଣ ଏଥିରେ ପୀଡିତ ବୋଲି ଆକଳନରୁ ଜଣାପଡିଛି । ଅତ୍ୟାଧୁନିକ ଜ୍ଞାନ କୌଶଳ ଓ ଶୈଶବ ସୁରକ୍ଷା ଦିଗରେ ଅନେକ ଗୁରୁତ୍ୱ ଦିଆଯାଉଥିବାବେଳେ ସେରେବ୍ରାଲ ପାଲସିର ବର୍ଦ୍ଧିଷ୍ଣୁ ଭୟାଭୟତା ଚିନ୍ତାର କାରଣ ପାଲଟିଛି । ଏହାକୁ ଆଖି ଆଗରେ ରଖି ଏହି ସମସ୍ୟାର ଆଶୁ ସମାଧାନ ଓ ଲୋକ ସଚେତନତା ଉଦ୍ଦେଶ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ ଅକ୍ଟୋବର ୬ ତାରିଖକୁ “ବିଶ୍ୱ ମସ୍ତିଷ୍କ ପକ୍ଷାଘାତ ଦିବସ” ଭାବରେ ପାଳନ କରୁଛନ୍ତି ।

ମସ୍ତିଷ୍କ ପକ୍ଷାଘାତ (ସେରେବ୍ରାଲ ପାଲସି) କଣ?

ମସ୍ତିଷ୍କ ଆଘାତ ଜନିତ ବା ବିକାଶ ବୈକଲ୍ୟ ହେତୁ ଶାରୀରିକ ପରିଚାଳନା ତଥା ଅଂଗଭଂଗି ଵା ଅଙ୍ଗ ଚାଳନାରେ ହେଉଥିବା ବ୍ୟତିକ୍ରମ ସମୂହକୁ ମସ୍ତିଷ୍କ ପକ୍ଷାଘାତ କୁହାଯାଇଥାଏ, ଏହା ଏକ ରୋଗ ନୁହେଁ ବରଂ ଏକ ଅବସ୍ଥା ।  ସାଧାରଣତଃ ଏହି ଅବସ୍ଥାଟି ଅପରିବର୍ତ୍ତନୀୟ (permanent) କିନ୍ତୁ ଏହାର ଚିକିତ୍ସା ଦ୍ୱାରା ଶାରୀରିକ ସଂଚାଳନ ତଥା କାର୍ଯ୍ୟ କରିବା ଦିଗରେ ଉର୍ନତି ଅଣାଯାଇପାରେ ତଥା ଅନ୍ୟାନ୍ୟ ଅସୁବିଧାକୁ ଏଡାଇ ଦିଆଯାଇପାରେ ।

କାରଣ :

ଏହା ଜନ୍ମପୂର୍ବରୁ, ଜନ୍ମସମୟରେ ଵା ଜନ୍ମପରେ ହେଉଥିବା କେତେକ କାରଣ ଯଥା ମା’ଙ୍କର କେତେକ ଅବସ୍ଥା ( ଥାଇରଏଡ଼ ଜନିତ ଅସୁବିଧା, ସଂକ୍ରମଣ, ଥରାବାତ), ଜନ୍ମସମୟରେ ପିଲାଟି ନ କାନ୍ଦିବା, ମସ୍ତିଷ୍କକୁ ଆବଶ୍ୟକତା ଅନୁସାରେ ରକ୍ତ ତଥା ଅମ୍ଳଜାନ ନ ପହଂଚିବା, ମସ୍ତିଷ୍କରେ କୌଣସି ସଂକ୍ରମଣ ହେବା, ଗର୍ଭସ୍ଥ ଶିଶୁର ମସ୍ତିଷ୍କ ଠିକଭାବେ ବିକାଶ ହୋଇନପାରିବା, ଅଧିକ ସମୟ ଧରି ପ୍ରସବ ବ୍ୟଥା ହେବା, ମସ୍ତିଷ୍କ ଚାପିହୋଇ ରହିଯିବା, ଠିକ ସମୟରେ ପ୍ରସବ ନ ହୋଇପାରିବା, ଅତି କମ ଓଜନ ହେବା, ଜନ୍ମ ସମୟ ପୂର୍ବରୁ ପ୍ରସବ ହେବା ଅବା ଜନ୍ମପରେ ପିଲାର ମସ୍ତିଷ୍କରେ କିଛି ସଂକ୍ରମଣ, ବାତ, ମୁଣ୍ଡରେ ଆଘାତ ଲାଗିବା ଆଦି କାରଣ ପାଇଁ ହୋଇଥାଏ ।

ଲକ୍ଷଣ :

ସାଧାରଣ ଶିଶୁଟିଏ ଯେପରି ଭାବେ ନିଜ ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ନିୟନ୍ତ୍ରଣ ଵା ସମନ୍ୱୟ କରି ଚଳାଇବାରେ ସକ୍ଷମ ହୋଇଥାନ୍ତି, ମସ୍ତିଷ୍କ ପକ୍ଷାଘାତଥିବା ପିଲାମାନେ ସେଭଳି କରିପାରିନଥାନ୍ତି ।

ମସ୍ତିଷ୍କ ପକ୍ଷାଘାତର ଗମ୍ଭୀରତା ଭିନ୍ନ ଭିନ୍ନ ପ୍ରକାରର ଓ ଏହା ଅତି ସରଳଠାରୁ ଆରମ୍ଭ କରି ଅତି ଜଟିଳ ପର୍ଯ୍ୟନ୍ତ ହୋଇଥାଏ । ଅବସ୍ଥାର ଗମ୍ଭୀରତା ମସ୍ତିଷ୍କର ସେହି ନିର୍ଦ୍ଧିଷ୍ଟ ଅଂଶକୁ ହୋଇଥିବା ଆଘାତର ଆକାର ଓ ଗଭୀରତା ଅନୁସାରେ ହୋଇଥାଏ । ଚିକିତ୍ସା ଦ୍ୱାରା ପରବର୍ତୀ ସମୟରେ କିନ୍ତୁ ଆଘାତ ପାଇଥିବା ଅଂଶଟିର ଆଉ ବୃଦ୍ଧି ଘଟି ନଥାଏ ।

ଶାରୀରିକ ପରିଚାଳନାଗତ ଅସୁବିଧା ବିଭିନ୍ନ ପ୍ରକାରର ହୋଇଥାଏ । ଯଥା : ନବଜାତ ଶିଶୁ ଠିକ ସମୟରେ ଗୁରୁଣ୍ଡି ପାରେନାହିଁ, ବେକ ସିଧା କରିପାରି ନଥାଏ, ବସିବା ବିଳମ୍ବ ହୁଏ ବା ବସିପାରିନଥାଏ, ଡେରିରେ ଚାଲେ ବା ସମବୟସ୍କ ପିଲାଙ୍କ ଭଳି ଚାଲିନଥାଏ, ଗୋଡ ଛନ୍ଦି ହୋଇଥାଏ, କଡ ଲେଉଟାଇବାରେ ଅସୁବିଧା ହୋଇଥାଏ, ନିଜ ହାତ ଗୋଡ ତାଳ ମେଳ ଓ ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇଥାଏ ।

ସେମାନଙ୍କର ଅଙ୍ଗପ୍ରତ୍ୟଙ୍ଗ ଚଳାଇବା ନିୟନ୍ତ୍ରଣ ନଥାଏ । ଅଧିକାଂଶଙ୍କର ମାଂସପେଶୀଗୁଡିକ ଅତିଶକ୍ତ ହୋଇଥାଏ ଓ ହାଡଗୋଡ଼ମାନ ଛନ୍ଦି ହୋଇ ରହିଥାନ୍ତି । କେତେକଙ୍କର ମାଂସପେଶୀ ରବର କଣ୍ଢେଇ ଭଳି ନରମ ଆଉ ନିଶ୍ଚଳ ହୋଇଥାଏ ।

ଶାରୀରିକ ପରିଚାଳନାଗତ ଅସୁବିଧା ବ୍ୟତୀତ କଥା କହିବାରେ ଅସୁବିଧା ତଥା ଶ୍ୱାସକ୍ରିୟାରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ ।

ଏହାବାଦ ସେମାନଙ୍କର ଦେଖିବା, ଶୁଣିବା ତଥା ବୌଦ୍ଧିକ ବିକାଶରେ ବିଶୃଙ୍ଖଳା ଦେଖାଯାଇପାରେ  ।ଅନେକଙ୍କଠାରେ ଅପସ୍ମାର ବାତ ଦେଖାଯାଇଥାଏ । କେତେକଙ୍କର ବୌଦ୍ଧିକସ୍ଥିତି କିନ୍ତୁ ସାଧାରଣ ଥାଏ ।

ପ୍ରକାର :

ଶରୀରର ପରିଚାଳନା ତଥା ନିୟନ୍ତ୍ରଣକୁ ଆଖି ଆଗରେ ରଖି, ସେରେବ୍ରାଲ ପାଲସିକୁ ମୁଖ୍ୟତଃ ଚାରି ଭାଗରେ ବିଭକ୍ତ କରାଯାଇଥାଏ । ଯଥା :

୧. ସ୍ପାଷ୍ଟିକ(Spastic): ମାଂସପେଶୀୟ ଗତିବିଧିରେ ସଂକୀର୍ଣ୍ଣତା ବା ଟାଇଟନେସ
୨. ଆଟାକସିକ(Ataxic): ମାଂସପେଶୀୟ ଥରହରତା ଓ ଭାରସାମ୍ୟ ଅସନ୍ତୁଳନତା
୩. ଡ଼ିସକାଇନେଟିକ(Dyskinetic): ମାଂସପେଶୀୟ ଗତିବିଧି ଓ ସ୍ୱୟଂପ୍ରକ୍ରିୟାରେ ଦୁର୍ବଳତା
୪. ମିଶ୍ରିତ (Mixed): ଇଚ୍ଛାକୃତ ବା ଅନିଚ୍ଛାକୃତ ମାଂସପେଶୀୟ ଅସନ୍ତୁଳନତା

ନିରୂପଣ :

ସେରେବ୍ରାଲ ପାଲସିର ଲକ୍ଷଣ ସମୂହକୁ ବିଚାରକୁ ନେଇ ନିରୀକ୍ଷଣ(Observation), ସ୍ନାୟବିକ ପରୀକ୍ଷଣ (Neurological Examination), ମାଂସପେଶୀୟ ପର୍ଯ୍ୟବେକ୍ଷଣ(Physical Examination) ଏବଂ ବିକାଶ ସମ୍ବନ୍ଧୀୟ ସତର୍କ ସୂଚନା ଆଦିକୁ ବୁଝି ସମସ୍ୟାର ନିରୂପଣ କରାଯାଇଥାଏ । ଅନେକ କ୍ଷେତ୍ରରେ ଇଇଜି, ସିଟି ସ୍କାନ, ଏମ ଆର ଆଇ ଆଦି ପରୀକ୍ଷଣ ସେରେବ୍ରାଲ ପାଲସି ନିରୂପଣ କ୍ଷେତ୍ରରେ ସହଯୋଗୀ ହୋଇଥାଏ ।

ଚିକିତ୍ସା :

ମସ୍ତିଷ୍କ ପକ୍ଷାଘାତ (ସେରେବ୍ରାଲ ପାଲସି) ଏକ ଦୁରାରୋଗ୍ୟ ବ୍ୟାଧି ହେଲେମଧ୍ୟ ପିଲାର ଚିକିତ୍ସା ଓ ଦକ୍ଷତା ସବୁର ବିକାଶ ସମ୍ଭବପର  ଚିକିତ୍ସା କ୍ଷେତ୍ରରେ ବିଶେଷଜ୍ଞମାନଙ୍କର ଯଥା ଅକ୍ୟୁପେସନାଲ ଥେରାପିଷ୍ଟ , ଫିଜିଓଥେରାପିଷ୍ଟ, ଅସ୍ଥିଶଲ୍ୟ ବିଶେଷଜ୍ଞ, ଡେଭେଲପମେଣ୍ଟାଲ ପେଡ଼ିଆଟ୍ରିସିଆନ, ନ୍ୟୁରୋଲୋଜିଷ୍ଟ, ସ୍ପିଚଥେରାପିଷ୍ଟ ଆଦିଙ୍କ ସମ୍ମିଳିତ ପ୍ରଚେଷ୍ଟାରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସାମାଜିକ ମୁଖ୍ୟସ୍ରୋତରେ ସାମିଲ କରାଯାଇପାରେ । ତେଣୁ ଉପର ବର୍ଣିତ ଲକ୍ଷଣ ଏବଂ ବ୍ୟତିକ୍ରମ ଲକ୍ଷ୍ୟକଲେ ଯଥାଶୀଘ୍ର ବିଶେଷଜ୍ଞଙ୍କର ପରାମର୍ଶ ନେବା ଉଚିତ । ଶାରୀରିକ ବ୍ୟାୟାମ, ଅଙ୍ଗଭଙ୍ଗି ସଠିକ କରିବାର ତାଲିମ, ବିଭିନ୍ନ ସହାୟକ ଉପକରଣ ଯଥା ଗେଟର, କାଲିପର, ଏ ଏଫ ଓ, ଏସ ଏମ ଓ ଆଦିର ଉପଯୋଗ, ସ୍ଥଳ ବିଶେଷରେ ଔଷଧିୟ ଏବଂ ଶଲ୍ୟ ଚିକିତ୍ସା ଆଦି ଆଧୁନିକ ଚିକିତ୍ସା ଶାସ୍ତ୍ରର ଉପଯୋଗ ଦ୍ୱାରା ତଥା ସାହାଯ୍ୟନେଇ ଜଣେ ମସ୍ତିଷ୍କ ପକ୍ଷାଘାତଥିବା ବ୍ୟକ୍ତି ନିଜର ଶାରୀରିକ ଅବସ୍ଥାକୁ ଅନେକ ମାତ୍ରାରେ ସୁଧାରି ପାରିବେ ଏବଂ ସ୍ୱାଧୀନ ଭାବେ ଜିବନ ବିତାଇ ଜୀବନ ଧାରଣର ମାନକୁ (କ୍ୱାଲିଟି ଅଫ ଲାଇଫ) ବଢ଼ାଇ ପାରିବେ ।

(କନସଲଟାଣ୍ଟ ଅକ୍ୟୁପେସନାଲ ଥେରାପିଷ୍ଟ, ଏସଭି ନିରତାର, କଟକ)

Leave A Reply

Your email address will not be published.