Latest Odisha News

କରୋନା ଏକ ଅହେତୁକ ଭୟ !

“ତା’ହେଲେ, କ୍ଷୁଦ୍ର ସତାଗୁଡିକର ଯଦି ଏକ ଦଳ ରହିଛି, ତେବେ ସେମାନେ ନିଜ ନିଜ ଭିତରେ ବିରୋଧାଚରଣ କରିପାରନ୍ତି, କାରଣ ସେମାନଙ୍କ ପାରସ୍ପରିକ ଜୀବନ ଖୁବ୍‌ ଶାନ୍ତିପୂର୍ଣ୍ଣ ନୁହେଁ, ସେମାନେ ପରସ୍ପର ସହିତ ଦ୍ୱନ୍ଦ୍ୱ କରନ୍ତି, ଯୁଦ୍ଧ କରନ୍ତି, ପରସ୍ପରକୁ ନଷ୍ଟ କରନ୍ତି, ଧ୍ୱଂସ କରିଦିଅନ୍ତି । ଏହିଠାରୁ ହିଁ ସୂକ୍ଷ୍ମାଣୁର ଉତ୍ପତି । ସେମାନେ ବିଭଞ୍ଜନର ଶକ୍ତିରାଜି । କିନ୍ତୁ ସେମାନଙ୍କର ବିଭାଜିତ ଆକାର ଭିତରେ ମଧ୍ୟ ସେମାନେ ବଂଚି ରହିବାରେ ଲାଗିଥା’ନ୍ତି, ଏବଂ ଏହାରି ଭିତରୁ ହିଁ ଜୀବାଣୁ ଓ ସୂକ୍ଷ୍ମାଣୁରାଜିର ଉତ୍ପତି । ତେଣୁ ଅଧିକାଂଶ ସୂକ୍ଷ୍ମାଣୁଙ୍କ ପଛରେ ଏକ ଅସଦ୍ଦିଚ୍ଛା ରହିଥାଏ ଏବଂ ଏହା ହିଁ ସେମାନଙ୍କୁ ଏପରି ବିପଜ୍ଜନକ କରିଥାଏ । ଯଦି ଜଣେ ଅସଦ୍ଦିଚ୍ଛାର ଗୁଣ ଓ ପ୍ରକାରକୁ ଜାଣି ନ ଥାଏ ଏବଂ ଏହା ଉପରେ କାର୍ଯ୍ୟ କରିବା ଲାଗି ସକ୍ଷମ ହୋଇ ନଥାଏ, ତେବେ ଏହାର ପ୍ରକୃତ ଓ ସଂପୂର୍ଣ୍ଣ ପ୍ରତିକାରକୁ ଖୋଜି ନ ପାଇବାର ସମ୍ଭାବନା ଶତକଡା ଅନେଶତ ଭାଗ ଥାଏ ।

ସୂକ୍ଷ୍ମାଣୁ ହେଉଛି ସୂକ୍ଷ୍ମ ଭୌତିକ ଜଗତରେ ବାସ କରୁଥିବା କୌଣସି ଏକ ଅସ୍ତିତ୍ୱର ଅତ୍ୟନ୍ତ ସ୍ଥୂଳ ଏକ ଅଭିବ୍ୟକ୍ତି, ଏବଂ ସେଥିପାଇଁ ଏହି ସୂକ୍ଷ୍ମାଣୁମାନେ ……. ଯେଉଁମାନେ ସର୍ବଦା ତୁମକୁ ଘେରି ରହିଛନ୍ତି, ତୁମ ଭିତରେ ହିଁ ଅଛନ୍ତି, ବର୍ଷବର୍ଷ ଧରି ତୁମକୁ ଆଘାତ କରନ୍ତି ନାହିଁ, ତା’ପରେ ହଠାତ୍ ଦିନେ ଅତର୍କିତ ଭାବେ ସେମାନେ ତୁମକୁ ଅସୁସ୍ଥ କରିଦିଅନ୍ତି ।

ତହିଁରେ ଅନ୍ୟ ଏକ କାରଣ ଅଛି । ଏହା ହେଉଛି ଯେ ଏକ ଅସଙ୍ଗତି ରହିଛି, ବିରୋଧୀଶକ୍ତି ପ୍ରତିସତାରେ ଏକ ଗ୍ରହଣଶୀଳତା ରହିଛି । ଏହା ହିଁ ହେଉଛି ସୂକ୍ଷ୍ମାଣୁଗୁଡିକର ଉତ୍ପତିସ୍ଥଳ ଏବଂ ସେଗୁଡିକର ସହାୟକ । ମୁଁ ତୁମକୁ କାହାଣୀଟିଏ କହିବି ……. କାରଣ ଏହା ତୁମକୁ ଗୋଟିଏ ଉଦାହରଣ ଦେବ ।”—ଶ୍ରୀମା’(ନବଜ୍ୟୋତି କାର୍ଯ୍ୟାଳୟ, ଶ୍ରୀ ଅରବିନ୍ଦ ଆଶ୍ରମ, ପଣ୍ଡିଚେରୀ – ୨ ରୁ ପ୍ରକାଶିତ ‘ନବଜ୍ୟୋତି’ ପତ୍ରିକାର “ସୂକ୍ଷ୍ମାଣୁ :ସେମାନଙ୍କର ଉତ୍ପତି” – ୧୫ ଅଗଷ୍ଟ, ୨୦୨୦ ସଂଖ୍ୟା – ପୃଷ୍ଠା – ୧୪)

ଏହାପରେ ଶ୍ରୀମା ଯେଉଁ କାହାଣୀଟି କହିଛନ୍ତି, ତାହା ଏକ ବାସ୍ତବ ଘଟଣା, ଯାହା ସେ ନିଜେ ଅଙ୍ଗେ ନିଭାଇଛନ୍ତି । ଏହା ୧୯୧୯ ମସିହାର ଘଟଣା, ଯେତେବେଳେ ଶ୍ରୀମା’ ଜାପାନରେ ବାସ କରୁଥିଲେ । ତାଙ୍କ ରହଣୀକାଳରେ ଜାପାନରେ ଇନ୍‌ଫ୍ଲୁଏଞ୍ଜା ମହାମାରୀ ଭୀଷଣ ରୂପେ ବ୍ୟାପିଥିଲା ଏବଂ ଶହଶହ ହଜାର ହଜାର ବ୍ୟକ୍ତି ପ୍ରାଣ ହରାଇଥିଲେ । ଶ୍ରୀମା’ ନିଜେ ଏହି ରୋଗାକ୍ରାନ୍ତ ହୋଇଥିଲେ । ସେ ଏହି ମହାମାରୀର ଉତ୍ପତି, କାରଣକୁ ଖୋଜିଖୋଜି ଯାହା ପାଇଛନ୍ତି ଏବଂ ନିଜକୁ କିପରି ନିଜରଗୁହ୍ୟ ଆଧ୍ୟାତ୍ମିକଶକ୍ତି ଦ୍ୱାରା ରୋଗମୁକ୍ତ କରିଛନ୍ତି, ତାହା ବର୍ଣ୍ଣନା କରିଛନ୍ତି । ଏହି ବର୍ଣ୍ଣନାଟି ଖୁବ୍ ‌କୌତୁହଳ ଓ ଭାବୋଦ୍ଦିପକ ଅଟେ । ସୁଯୋଗ ପାଇଲେ ପଢିବା ଉଚିତ୍ ।

ଶ୍ରୀମା ଯେପରି ଜୀବାଣୁ ଓ ସୂକ୍ଷ୍ମାଣୁଗୁଡିକୁ ଏବଂ ସେଗୁଡିକର ଉତ୍ପତି ଓ କାର୍ଯ୍ୟକଳାପ ବିଷୟରେ ଉଲ୍ଲେଖ କରିଛନ୍ତି, ସେହି ପ୍ରଚ୍ଛଦପଟରେ ବର୍ତମାନ ସମଗ୍ର ବିଶ୍ୱକୁ ଅସ୍ତବ୍ୟସ୍ତ ଚିନ୍ତିତ ବିବ୍ରତ କରି ପକାଇଥିବା କୋଭିଡ୍‌-୧୯ ବା କରୋନା ପାଣ୍ଡେମିକ୍‌କୁ ଦୃଷ୍ଟିପାତ କଲେ, ଅନେକଭ୍ରମ, ଅହେତୁକଭୟ ଦୂର ହେବା ସଂଗେ ସଂଗେ ଏହାର ଦ୍ରୁତବ୍ୟାପକ ବିସ୍ତାରକୁ ରୋକିବାରେ ସହାୟକ ଉପାୟ ମଧ୍ୟ ମିଳିଯାଇପାରେ ।

ଏହା ଏକ କାଳତାଳିକ ନ୍ୟାୟରେ ହେଉ ବା କୌଣସି ଅଦୃଶ୍ୟ କାରଣରୁ ହେଉ- ୧୯୧୯ରେ ଇନ୍‌ଫ୍ଲୁଏଞ୍ଜା ମହାମାରୀ ଓ ୨୦୨୦ରେ କରୋନା ପାଣ୍ଡେମିକ୍‌ର ଆବିର୍ଭାବ,- ସ୍ୱତଃମନକୁ ପ୍ରଶ୍ନକରେ ୨୦୨୧ କ’ଣ !!! ସେ ଯାହାହେଉ, ଆମେ ଅଙ୍ଗେ ନିଭାଇ ଥିବା ମହାମାରୀକୁ ତର୍ଜମା କଲେ ଜାଣିପାରିବା ଯେ ଗତ ଶତାଦ୍ଦିଟି ବସନ୍ତ ମହାମାରୀରେ ଛାଇ ହୋଇ ରହିଥିଲା । ଜନସ୍ୱାସ୍ଥ୍ୟ ବିଭାଗର ଜଣେ କର୍ମଚାରୀ (ସେବା ନିବୃତ) ଭାବେ ବସନ୍ତ, ହଇଜାକୁ ମୁଁ ସାମ୍ନାସାମ୍ନି ଦେଖିଛି, ଲଢିଛି, ଆଉ ଗର୍ବ ଅନୁଭବ କରୁଛି ଯେ ଯେତେ କ୍ଷୁଦ୍ର ପରିମାଣରେ ହେଉ ପଛକେ ବସନ୍ତ ପରି ଦୁର୍ଦ୍ଦାନ୍ତ ମହାମାରୀକୁ ପୃଥିବୀରୁ ଲୋପ କରି ଦେବାରେ ମୁଁ ଜଣେ ସୈନିକ ହୋଇ ମୋର କର୍ତବ୍ୟ କରିଛି । ଅବଶ୍ୟ ହଇଜା ଜଳ ଓ ମାଛି ଦ୍ୱାରା ବ୍ୟାପୁଥିବାରୁ ତତ୍‌କାଳୀନ ସ୍ୱାସ୍ଥ୍ୟସେବାରେ କ୍ରମଶଃ ଉନ୍ନତି ଘଟିବା ସଂଗେସଂଗେ ତାହା ଏବେ ନାହିଁ କହିଲେ ଚଳେ । କିନ୍ତୁ ବସନ୍ତ ବାୟୁ ଦ୍ୱାରା ବ୍ୟାପୁଥିଲା, ତା’ର ପ୍ରତିଷେଧକ ଟୀକା ଡେରିରେ ବାହାରିଥିଲା । ହେଲେବି, ବସନ୍ତର ଇରାଡିକେଶନ୍‌ ବା ମୂଳୋତ୍ପାଟନ କରାଯାଇ ପାରିଛି ।

ଏ ଦୁଇଟି ମହାମାରୀ ତୁଳନାରେ ବର୍ତମାନର ପାଣ୍ଡେମିକ୍‌ କରୋନା ଏତେ ଭୟଙ୍କର ଓ ଦୁଃସାଧ୍ୟ ବୋଲି ମୋର ମନେ ହୁଏନା । କାରଣ, ଆମରବୈଜ୍ଞାନିକ ଓ ଭୂତାଣୁ ରୋଗ ବିଶେଷଜ୍ଞମାନେ ସ୍ପଷ୍ଟ ରୂପେ ଜାଣି ପାରିଛନ୍ତି ଯେ କୋଭିଡ-୧୯ ବାକରୋନା ‘ଡ୍ରପ୍‌ଲେଟ୍‌ଇନ୍‌ଫେକସନ୍‌’ ଦ୍ୱାରା ବ୍ୟାପେ; ଅର୍ଥାତ୍‌ କରୋନା ରୋଗୀର କାଶ, ଛିଙ୍କ, କଥା କହିବା ବେଳେ ବାହାରୁ ଥିବା ଛେପ ବିନ୍ଦୁ ବା ଲାଳ ଦ୍ୱାରା ଭୂତାଣୁଗୁଡିକ ବାହାରକୁ ଆସନ୍ତି ଏବଂ ଅତିବେଶୀରେ ୩/୪ ଫୁଟ୍ ପର୍ଯ୍ୟନ୍ତ ପ୍ରସାରିତହୋଇପାରନ୍ତି । ସେଗୁଡିକ ଅତିବେଶୀରେ ସାତଘଂଟା ବାହାରେ ରହି ପାରନ୍ତି । ଏହି ସମୟ ମଧ୍ୟରେ ଯଦି ହାତ ଦ୍ୱାରା ବା କୌଣସି ମାଧ୍ୟମରେ ତାହା ସୁସ୍ଥବ୍ୟକ୍ତିର ପାଟି, ନାକ ମାଧ୍ୟମରେ ଏପରିକି ଆଖିର ତରଳ ପଦାର୍ଥ ସହିତ ମିଶି ସୁସ୍ଥଲୋକର ଶରୀର ଭିତରକୁ ପ୍ରବେଶକରନ୍ତି, ତେବେ ସେମାନେ ରୋଗ ଉତ୍ପନ୍ନ କରିପାରନ୍ତି ।

ତେଣୁ, ଯଦି ଆମଶରୀର-ଦୂର୍ଗର ମୁଖ୍ୟଦ୍ୱାର ସହିତ ସମ୍ଭାବ୍ୟ ଦ୍ୱାରଗୁଡିକୁ ବନ୍ଦ କରିଦେଇ ପାରନ୍ତି, ତା’ ହେଲେ କରୋନା ଭୂତାଣୁର ପ୍ରବେଶ ସମ୍ଭବ ହେବ ନାହିଁ । ଏହା ଏକ ନୂଆ ରୋଗ ହୋଇଥିବାରୁ ଏହାର ଆରୋଗ୍ୟ, ପ୍ରତିକାର ପାଇଁ ସଫଳ ଔଷଧ ବା ପ୍ରତିଷେଧକ ପାଇଁ ସଫଳଟୀକା ଏ ପର୍ଯ୍ୟନ୍ତ ବାହାରି ନାହିଁ । ବୈଜ୍ଞାନିକ ତଥା ବିଶେଷଜ୍ଞମାନଙ୍କ ନିର୍ଭର ପ୍ରତିଶୃତି ଓ ଆପାତ ମଧୁର ଘୋଷଣା ଶୁଣିଲେ ମଧ୍ୟ ନିକଟ ଭବିଷ୍ୟତରେ ଏହାର ଟୀକା ପ୍ରସ୍ତୁତି ନେଇ ବ୍ୟକ୍ତିଗତ ଭାବେ ମୁଁ ନିଶ୍ଚିନ୍ତ ହୋଇ ପାରୁନାହିଁ; ତଥାପି ଆଧୁନିକ ବିଜ୍ଞାନର ଦ୍ରୁତ ଅଗ୍ରଗତି ଯୋଗୁଁ ଚିକିତ୍ସା କ୍ଷେତ୍ରରେ ଯେଉଁ ଅଭୂତପୂର୍ବ ସଫଳତା ପ୍ରାପ୍ତ ହୋଇଛି, ତାହାହିଁ ନିରାଶାର ଅନ୍ତଚିରି ଆଶାର ଏକ କିରଣରେଖା ଦେଖାଉଛି । ଭଗବାନ କରନ୍ତୁ, ଖୁବ୍‌ଶୀଘ୍ରକରୋନା ପ୍ରତିଷେଧକ ଟୀକା ଉପଲବ୍ଧ ହେଉ, ବିଶ୍ୱକୁ ଏକ ଆତଙ୍କିତ ଅବସ୍ଥାରୁ ଉଦ୍ଧାର କରୁ ।

ତଥାପି, ଦୃଢବିଶ୍ୱାସର ସହିତ ଅନୁଭବ କରୁଛି ଯେ ଯଦି ଆମେ ଅତି କମ୍‌ରେ ତିନୋଟି ଉପାୟ ଅବଲମ୍ବନ କରନ୍ତି, ତେବେ କରୋନା ବ୍ୟାପିବା ନିଶ୍ଚିତ ଭାବେ ସମାପ୍ତ ହୋଇଯିବ । (୧) ନିୟମିତ ମାସ୍କ ପିନ୍ଧିବା :- ଏହା ଦ୍ୱାରା ବାହାର ଜୀବାଣୁ, ଭୂତାଣୁ ଆମ ଶରୀର ଭିତରକୁ ପଶି ପାରିବେ ନାହିଁ । ଆମଠାରୁ ବାହାରକୁ ଯାଇ ପାରିବେ ନାହିଁ । (୨) ସାମାଜିକ ଦୂରତା :- ଅତି କମ୍‌ରେ ୧ ମିଟରବା ଦୁଇ ଗଜ ବା ଛ’ଫୁଟ୍ ଦୂରତାରେ ରହି କାରବାର କଲେ, ଏହା ଜଣକଠାରୁ ଅନ୍ୟ ଜଣକ ପାଖକୁ ଯାଇପାରିବ ନାହିଁ, ଫଳତଃ ଶୃଙ୍ଖଳା ବା ଚେନ୍‌ ଛିଡି ଯିବ । (୩) ବାରମ୍ବାର ସାନିଟାଇଜର ଦ୍ୱାରାହାତ ଧୋଇବା :- ଏହାଦ୍ୱାରା ଆମ ଅଜାଣତରେ ଆସି ଯାଇଥିବା ଜୀବାଣୁ, ଭୂତାଣୁ ନଷ୍ଟ ହୋଇଯିବେ ।

ଏଠାରେ ସାମାଜିକ ଦୂରତା ବା ସୋସିଆଲ୍ ‌ଡିଷ୍ଟାନସିଂ କଥା ମନକୁ ଆସିଲେ, ଆମ ଓଡିଆ ସମାଜର ଚଳଣୀକୁ ଧନ୍ୟବାଦ ଦେଉଛି । ଆମର ପୂର୍ବ ସମାଜବିଜ୍ଞାନୀମାନେ କେତେ ଦୂରଦୃଷ୍ଟିର ସହିତ ଏହାକୁ ପ୍ରଚଳନ କରିଛନ୍ତି !! ସମ୍ଭାବିତ ବିପଦକୁ ଆଖି ଆଗରେ ରଖି ସେମାନେ କହିଛନ୍ତି :- ଭାଇବୋହୂ (ସାନଭାଇର ପତ୍ନୀ) – ଦେଢଶୁର (ସ୍ୱାମୀଙ୍କରବଡଭାଇ), ଦେଢଶାଶୁ (ସ୍ତ୍ରୀରବଡଭଉଣୀ) – ଭଉଣୀଜ୍ୱାଇଁ (ସାନଭଉଣୀରସ୍ୱାମୀ), ଭଣଜାବୋହୂ (ଭଣଜାର ପତ୍ନୀ), ମୌଳାଶୁର (ସ୍ୱାମୀଙ୍କମାମୁଁ) ପରସ୍ପରକୁ ଛୁଇଁବେ ନାହିଁ । କାରଣ, ଏମାନଙ୍କ ମଧ୍ୟରେ ବୟସର ତଫାତ୍ ‌କମ୍ ଥାଏ; ମଣିଷର ସହଜାତ ପ୍ରବୃତି ଯୋଗୁଁ ବିପଦ ଆସିପାରେ । ଆହୁରି ବଡ କଥା, ଏକ ଜୀବନ୍ତ ଓଡିଆ ସମାଜ ଆଜି ପର୍ଯ୍ୟନ୍ତ ଏହା ମାନି ଚଳି ଆସୁଛି । ଜୀବନ ରକ୍ଷା ପାଇଁ, ଏକ ମାରାତ୍ମକ ରୋଗରୁ ରକ୍ଷା ପାଇବା ପାଇଁ ଆମେ କାହିଁକି ସାମାଜିକ ଦୂରତା ରକ୍ଷା କରି ପାରିବା ନାହିଁ ? ଏହା ସହିତ ଆଉ ଗୋଟିଏ କଥା ନିୟମ ପରି ସମସ୍ତେ ମାନିବା – ଅତି ଦରକାର ନଥିଲେ, ଘରୁ ବାହାରିବା ନାହିଁ ।

ଶେଷରେ ଏତିକି କହିବି ଯେ ଯଦି ଆମେ ଆମର ପ୍ରକୃତ ଆତ୍ମବଳକୁ ଚିହ୍ନିପାରୁ ଓ ପ୍ରୟୋଗ କରି ପାରୁ, ତେବେ କରୋନା ତ ତୁଚ୍ଛ, ଆହୁରି ମହାମହା ବେମାରୀ ଆମ ଭିତରକୁ ପ୍ରବେଶ କରିପାରିବେ ନାହିଁ । କରୋନା ଯୋଦ୍ଧା ! ଆପଣଙ୍କୁ ଶତଶତ ଆନ୍ତରିକ ଧନ୍ୟବାଦ । ସର୍ବେସନ୍ତୁ ନିରାମୟାଃ

ସା : ତରାପୁର, ପୋ.ଅ.: ଲକ୍ଷ୍ମୀନଗର, ଜିଲ୍ଲା : ଯାଜପୁର, ମୋ : ୯୯୩୭୫୯୩୪୯୩

Comments are closed.