Latest Odisha News

BREAKING NEWS

ନିଆରା ଦୀପାବଳି, ଯେଉଁଠି ପୂଜା ପାଆନ୍ତି କୁକୁର !

ଭୁବନେଶ୍ୱର: ହିନ୍ଦୁ ସଭ୍ୟତାରେ ଦୀପାବଳିକୁ ବେଶ ଧୁମ୍‌ଧାମ୍‌ରେ ଲୋକେ ପାଳନ କରିଥାନ୍ତି । ଘର ଧୋଇବାଠାରୁ ଆରମ୍ଭ କରି ରାତିରେ ଦୀପ ଓ ଆଲୋକ ସଜ୍ଜା କରିଥାନ୍ତି । ଉପହାର ଆଦାନପ୍ରଦାନ ସହ ସମସ୍ତଙ୍କ ମୁହଁରେ ଥାଏ ଉତ୍ସବର ଝଲକ । ଖାସ କରି ମା’ ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କୁ ଏହି ଦିନ ପୂଜା କରାଯାଇଥାଏ । ସମଗ୍ର ବିଶ୍ୱରେ ହିନ୍ଦୁମାନେ ଯେଉଁଠି ବି ଥାଆନ୍ତୁ ନା କାହିଁକି । ଦୀପାବଳିକୁ ପାଳନ କରିବା ପାଇଁ କେହି ବି ଭୁଲିନଥାନ୍ତି । ତେବେ ଲୋକ ଓ ସ୍ଥାନକୁ ନେଇ ଏହି ଉତ୍ସବର ପ୍ରଥା ବି ସାମାନ୍ୟ ଭିନ୍ନ ରହିଛି ।

ଜାଣି ଆଶ୍ଚର୍ଯ୍ୟ ହେବେ ଭାରତର ପଡୋଶୀ ଦେଶ ନେପାଳରେ ଦୀପାବଳି ପାଳନରେ ରହିଛି ଚକିତକର ପ୍ରଥା । ଏଠି ଦୀପାବଳିରେ କୁକୁରଙ୍କୁ ପୂଜା କରାଯାଇଥାଏ । ପଢିବାକୁ ଅବିଶ୍ୱାସ ଲାଗୁଥିଲେ ବି ଏହା ସତ । ତେବେ ଏହା ପଛର କାରଣ ଜାଣିଲେ ଆପଣଙ୍କ ମନର ସମସ୍ତ ଦ୍ୱନ୍ଦ ନିଶ୍ଚିତ ଭାବେ ଦୂରେଇଯିବ ।

ନେପାଳରେ ଭାରତ ଭଳି ଦୀପାବଳି ପାଳନ ହେଉଥିଲେ ବି ଏହାକୁ ତିହାର ଉତ୍ସବ ଭାବେ ନାମିତ କରାଯାଇଛି । ଏହିଦିନ ନେପାଳର ଲୋକେ ଘରକୁ ଆଲୋକରେ ସଜ୍ଜିତ କରିଥାନ୍ତି । ହେଲେ ଏକମାତ୍ର ବ୍ୟତିକ୍ରମ ଭାବେ କୌଣସି ଦେବାଦେବୀ ନୁହେଁ ବରଂ କୁକୁରକୁ ପୂଜା କରିବା ସହ ୫ଦିନ ଧରି ଦୀପାବଳି ପାଳନ କରିଥାନ୍ତି ।

ଯେଉଁଠି ଭାରତରେ ମାତ୍ର ଗୋଟିଏ ଦିନ ଦୀପାବଳି ପାଳନ କରାଯାଇଥାଏ, ସେଠି ନେପାଳରେ ୫ଦିନ ଧରି ଏହି ଉତ୍ସବ ଜାରି ରହିଥାଏ । ତେବେ ଏହା ପଛରେ ରହିଛି ଭିନ୍ନ କିଛି କାରଣ । ଏହି ୫ଦିନରେ ଲଗାତାର ଭାବେ ଗାଇ, କୁକୁର, କାଉ ଓ ଷଣ୍ଢଙ୍କୁ ପୂଜା କରାଯାଇଥାଏ ।

ପ୍ରଥମ ଦିନରେ ଯମରାଜାଙ୍କ ବାର୍ତ୍ତାବାହକ ଭାବେ କାଉକୁ ପୂଜା କରାଯାଇଥାଏ । ଦ୍ୱିତୀୟ ଦିନରେ ଭଗବାନ ଭୈରବ ଭାବେ କୁକୁର ପୂଜା, ମା’ ଲକ୍ଷ୍ମୀ ଭାବେ ତୃତୀୟ ଦିନରେ ଗାଇ ପୂଜା, ଚତୁର୍ଥ ଦିନରେ ପ୍ରଭୁଙ୍କ ଶକ୍ତି ଭାବେ ଷଣ୍ଢକୁ ପୂଜା କରାଯାଇଥାଏ । ଶେଷ ଦିନରେ ଭଉଣୀମାନେ ନିଜ ଭାଇମାନଙ୍କୁ ପୂଜା କରିଥାନ୍ତି ।

ତେବେ କୁକୁର ତିହାର୍‌ରେ କିଛି ସ୍ୱତନ୍ତ୍ର ବ୍ୟଂଜନ ପ୍ରସ୍ତୁତ କରାଯାଇଥାଏ । ତିଳକ ଓ ଫୁଲ ହାର ଦେଇ କୁକୁରଙ୍କୁ ପୂଜା କରାଯାଇଥାଏ । ଖାଇବାକୁ ଦହି, ଅଣ୍ଡା ଓ କ୍ଷୀର ଦିଆହୁଏ । ନେପାଳି ଲୋକଙ୍କ ଅନୁଯାୟୀ ମୃତ୍ୟୁ ପରେ ବି କୁକୁରମାନେ ନିଜ ମାଲିକଙ୍କ ସୁରକ୍ଷା କରିଥାନ୍ତି । ଏହି କାରଣରୁ ନେପାଳରେ କାହିଁ କେବେଠୁ ଚାଲିଆସିଛି କୁକୁର୍ ତିହାରର ପରମ୍ପରା ।

Leave A Reply

Your email address will not be published.