Latest Odisha News

BREAKING NEWS

କାଲି ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟି-୨୦: ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ସିଡନୀ: ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-୨୦ । ସିଡନୀରେ ମ୍ୟାଚ୍ ଅନୁଷ୍ଠିତ ହେବ । ସିଡନୀର ଏହି ଗ୍ରାଉଣ୍ଡରେ ଦୁଇଟି ଦିନିକିଆ ଖେଳିଥିଲା ଭାରତ । ଏହି ଦୁଇ ମ୍ୟାଚରେ ଅଷ୍ଟ୍ରେଲିଆ ବିଶାଳ ସ୍କୋର କରିଥିଲା । ଫଳରେ ଭାରତ ପରାସ୍ତ ହୋଇଥିଲା । ପୁଣି ଥରେ ଏହି ଗ୍ରାଉଣ୍ଡରେ ଟି-୨୦ ଖେଳିବ ଭାରତ । ପିଚ୍ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ ବୋଲି କୁହାଯାଉଛି । ତେଣୁ ଦ୍ବିତୀୟ ଟି-୨୦ରେ ଏକ ବଡ଼ ସ୍କୋର ଦେଖିବାକୁ ମିଳିପାରେ ।

ଦିନିକଆ ସିରିଜ୍ ଜିତିଥିବାରୁ ଅଷ୍ଟ୍ରେଲିଆର ମନୋବଳ ଦୃଢ ରହିଛି । ହେଲେ ଆହତ ସମସ୍ୟା ଦଳ ପାଇଁ ଚିନ୍ତାର କାରଣ ହୋଇଛି । ପୂର୍ବରୁ ଆହତ ଯୋଗୁ ଡେଭିଡ୍ ୱାର୍ଣ୍ଣର ସିରିଜରୁ ବାହାରିଯାଇଛନ୍ତି । ଅଧିନାୟକ ଫିଞ୍ଚଙ୍କୁ ମଧ୍ୟ ପ୍ରଥମ ଟି-୨୦ରେ ଆଘାତ ଲାଗିଥିଲା । ତେଣୁ ସେ ଆସନ୍ତାକାଲିର ମ୍ୟାଚ୍ ଖେଳିବେ କି ନାହିଁ, କିଛି ସ୍ପଷ୍ଟ ହୋଇନାହିଁ । ଫିଞ୍ଚ ନଖେଳିଲେ ଅଷ୍ଟ୍ରେଲିଆ ଟିମ୍ ପାଇଁ ବଡ଼ ଝଟକା ହେବ । ଷ୍ଟିଭ୍ ସ୍ମିଥଙ୍କ ଉପରେ ବ୍ୟାଟିଂ ଅଧିକ ନିର୍ଭର କରିବ ।

ପ୍ରଥମ ଟି-୨୦ରେ ଶୀଘ୍ର ୱିକେଟ୍ ହରାଇଥିଲା ଘରୋଇ ଦଳ । ତେଣୁ କାଲିର ମ୍ୟାଚରେ ଭୁଲ ସୁଧାରିବାକୁ ଚେଷ୍ଟା କରିବ । ଶେଷ ଓଭର ବେଳକୁ ଅଧିକ ରନ୍ ଦେଇଥିଲେ ବୋଲର । ଆହତ ଯୋଗୁ ରବିନ୍ଦ୍ର ଜାଡେଜା ବାଦ୍ ପଡ଼ିଥିବାରୁ ଅଷ୍ଟ୍ରେଲିଆ ବୋଲରଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଜାଡେଜା ବାଦ୍ ପଡ଼ିବା ଅଷ୍ଟ୍ରେଲିଆ ପାଇଁ ଆଶ୍ବସ୍ତିକର ଖବର ହୋଇଥିବା ବେଳେ ଭାରତ ପାଇଁ ଚିନ୍ତାର କାରଣ ହୋଇଛି । ଶିଖର ଧାୱନ, ଲୋକେଶ ରାହୁଲ ଓ ଜାଡେଜାଙ୍କ ଯୋଗୁ ଭାରତ ୧୬୧ର ସମ୍ମାନ ଜନକ ସ୍କୋର କରିପାରିଥିଲା ।

ଆହତ ଯୋଗୁ ଜାଡେଜାଙ୍କ ସ୍ଥାନରେ ସାର୍ଦ୍ଦୁଲ ଠାକୁରଙ୍କୁ ନିଆଯିବ ବୋଲି ଜଣାପଡ଼ିଛି । ପ୍ରଥମ ଟି-୨୦ ଜିତିଥିବାରୁ କାଲିର ମ୍ୟାଚ୍ ଜିତି ସିରିଜ୍ କବଜା କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ବିରାଟ ବାହିନୀ । ଆସନ୍ତାକାଲି ଭାରତୀୟ ସମୟ ଦିନ ୧ଟା ୪୦ରେ ମ୍ୟାଚ୍ ଆରମ୍ଭ ହେବ ।

Leave A Reply

Your email address will not be published.