ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ ଏନସିପି ମୁଖ୍ୟ ଶରଦ ପାୱାର । କୃଷକଙ୍କ ଆନ୍ଦୋଳନକୁ ନେଇ ଆସନ୍ତା ୯ ତାରିଖରେ ପାୱାର ରାଷ୍ଟ୍ରପତିଙ୍କୁ ଭେଟିବେ । ଏନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦିନ କୃଷକ ନେତା ଓ ସରକାରଙ୍କ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ହେବାର ଅଛି ।
କୃଷକଙ୍କ ଆନ୍ଦୋଳନକୁ ନେଇ ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି, ସରକାରଙ୍କ ତରବରିଆ ନିଷ୍ପତ୍ତି ଯୋଗୁ ଏପରି ସମସ୍ୟା ଉପୁଜିଛି । ସରକାର କୃଷକଙ୍କ କଥା ଶୁଣୁନଥିବା ସେ ଅଭିଯୋଗ କରିଛନ୍ତି । ତୁରନ୍ତ ଏହାର ସମାଧାନ ନହେଲେ ସାରା ଦେଶର କୃଷକ ପଞ୍ଜାବ ଓ ହରିୟାଣାର କୃଷକଙ୍କ ସହ ଏହି ଆନ୍ଦୋଳନରେ ସାମିଲ ହୋଇଯିବେ ବୋଲି କହିଛନ୍ତି ଶରଦ ପାୱାର ।
ଲଗାତର ୧୧ ଦିନ ହେବ ଚାଷୀମାନେ ଆନ୍ଦୋଳନ କରୁଛନ୍ତି । କୃଷକ ନେତା ଓ ସରକାରଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରୁନାହିଁ । ଗତକାଲି ପଞ୍ଚମ ପର୍ଯ୍ୟାୟ ଆଲୋଚନାରୁ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା । ତେଣୁ ୯ ତାରିଖରେ ପୁଣି ଥରେ ଆଲୋଚନା ହେବ ବୋଲି ସ୍ଥିର କରାଯାଇଛି ।
Comments are closed.