Latest Odisha News

BREAKING NEWS

ପର୍ଯ୍ୟଟକଙ୍କ ପାଇଁ ସ୍ବର୍ଗ ପାଲଟିଛି କେନ୍ଦୁଝର ଜିଲ୍ଲାର ଏହି ଦୁଇ ଜଳପ୍ରପାତ

ଭୁବନେଶ୍ୱର: ସ୍ୱାଗତର ଦ୍ୱାର ଦେଶରେ ନବବର୍ଷ। ବର୍ଷ ତମାମ ଅନେକ ଘାତ ପ୍ରତିଘାତ ଦେଖିଥିବା ଲୋକେ ଏହି ବାହାନାରେ ଟିକିଏ ମଉଜ କରିନେବେ। କୋଭିଡ ଗାଇଡ଼ଲାଇନ ସହ ସରକାର ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ଖୋଲିବାକୁ ଅନୁମତି ମଧ୍ୟ ଦେଇଛନ୍ତି।

ଏହି ୨୦୨୦ ବର୍ଷକୁ ବିଦାୟ ଦେବା ସହିତ ନୂତନ ବର୍ଷର ଭରପୂର ମଜା ନେବାକୁ ଆମ ରାଜ୍ୟରେ ରହିଛି ଅନେକ ଆକର୍ଷଣୀୟ ସ୍ଥାନ। ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା ପରିବାର ବର୍ଗଙ୍କ ସହ ମଉଜ ମଜଲିସ କରିବା ପାଇଁ ଭ୍ରମଣରେ ବାହାରି ପଡନ୍ତି ବିଭିନ୍ନ ଦର୍ଶନୀୟ ସ୍ଥାନ ତଥା ପର୍ଯ୍ୟଟନ ସ୍ଥଳୀକୁ ।

ଆମେ ଆଜି ଆପଣଙ୍କୁ ବୁଲେଇ ନେବୁ ସବୁଜ ବନାନୀ ସାଙ୍ଗକୁ ପର୍ବତ ଶିଖର ଏବଂ ଝରଣାର କୁଳୁକୁଳୁ ଶବ୍ଦ ସଭିଁଙ୍କ ମନରେ ରୋମାଞ୍ଚ ଭରି ଦେଉଥିବା କେନ୍ଦୁଝର ଜିଲ୍ଲାର ସାନଘାଗରାକୁ। ଏଠାରେ ଜଳପ୍ରପାତ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ବନାନୀକୁ ରମଣୀୟ କରି ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କୁ ବର୍ଷସାରା ଆକର୍ଷିତ କରିଥାଏ।

ତ୍ରିକୋଣ ଭୂମି ଓ ସଂକୀର୍ଣ୍ଣ ଉପତ୍ୟକାର ସୁନ୍ଦର ସମାହାରର ଏହି ସ୍ଥାନ ପର୍ଯ୍ୟଟକଙ୍କୁ ବିମୋହିତ କରେ। ଏହି ସ୍ଥାନରେ ପାଦ ପଡ଼ିଲେ ସଭିଏଁ ନିଜକୁ ପ୍ରକୃତିର କୋଳରେ ହଜାଇ ଦିଅନ୍ତି।

ଶୀତଦିନେ ଏଠାରେ ଭୀଷଣ ଥଣ୍ଡା ଅନୁଭୂତ ହୋଇଥାଏ। ନିଜ ସୁନ୍ଦର ରୂପ ପାଇଁ ଏହି ଜଳପ୍ରପାତଟି ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି। ବହୁ ଉଚ୍ଚରୁ ତଳକୁ ବହୁଥିବା ଜଳର ଦୃଶ୍ୟ ଖୁବ ଆକର୍ଷିତ କରିଥାଏ। ଏଠାରେ ଲୋକେ ବଣଭୋଜିର ମଧ୍ୟ ମଜା ନେଇଥାଆନ୍ତି। ବଣଭୋଜିର ମଜା ସାଙ୍ଗକୁ ଝରଣାରେ ଗାଧୋଇ ପର୍ଯ୍ୟଟକ ବେଶ ଆନନ୍ଦିତ ହୋଇଥାଆନ୍ତି।

ଏହାସହ ଓଡିଶାର ପର୍ଯ୍ୟଟନୀସ୍ଥଳୀ ମଧ୍ୟରେ ଗୁଣ୍ଡିଚା ଘାଇ ଅନ୍ୟତମ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ବଣଚକୁଳିଆ ଗ୍ରାମ ନିକଟରେ ରହିଛି ଏହି ଗୁଣ୍ଡିଚାଘାଇ ଜଳପ୍ରପାତ । ବଣ ପାହାଡ ଦେଇ ଅଙ୍କାବଙ୍କା ପଥର ସଜ୍ୟାରେ କଳ କଳ ନାଦ କରି ବୋହୁ ଆସୁଥିବା ମୁଷଳୀ ନଦୀ ଏହିଠାରେ ପ୍ରାୟ ୫୦ ଫୁଟ ତଳକୁ ଖସି ସୃଷ୍ଟି କରିଛି ପ୍ରକୃତିର ମନୋରମ ଦୃଶ୍ୟ ।

ଗୁଣ୍ଡିଚା ମୂଷା ପୀଠି ଭଳି ପଥର ଶର୍ଯ୍ୟାରୁ ୩ ଧାରାରେ ଧଳା ରଙ୍ଗର ଜଳ ଖସୁଥିବା ଯୋଗୁଁ ଏହା ଗୁଣ୍ଡିଚା ଘାଇ ନାମରେ ପରିଚିତ । ସବୁଜ ବନାନୀ ମଧ୍ୟରେ ଜଳପ୍ରପାତର ଅନ୍ୟତମ ଅପୂର୍ବ ସୌନ୍ଦର୍ଯ୍ୟ ତଥା ବଣଭୋଜିର ମଜା ଉଠାଇବା ପାଇଁ ଧାଇଁ ଆସିଥାନ୍ତି ।

Leave A Reply

Your email address will not be published.