Latest Odisha News

BREAKING NEWS

ସୁନ୍ଦରଗଡ଼ରେ ପୁଷ୍ଟିଶସ୍ୟ ଖାଦ୍ୟ ଉତ୍ସବ ଆୟୋଜିତ, ମା‌ଣ୍ଡିଆ ଖାଦ୍ୟରେ ମହକିଲା ପରିସର

ସୁନ୍ଦରଗଡ଼: ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ପକ୍ଷରୁ ବାଲିଶଙ୍କରା ବ୍ଲକ ପରିସରରେ ଗୁରୁବାର ଦିନ ଆୟୋଜିତ ହୋଇଯାଇଛି ‘ପୁଷ୍ଟିଶସ୍ୟ ଖାଦ୍ୟ ଉତ୍ସବ’।

ଏହି ଉତ୍ସବକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଲକ୍ଷ୍ମୀ ନାରାୟଣ ଦାଶ ଉଦଘାଟନ କରିଛନ୍ତି।

ମାଣ୍ଡିଆରୁ ତିଆରି ହେଉଛି ଭଳିକି ଭଳି ସୁଆଦିଆ ଓ ପୁଷ୍ଟିକର ଖାଦ୍ୟ। ସହଯୋଗୀ ସଂସ୍ଥା ସେବକ ତରଫରୁ ଆୟୋଜିତ ଏହି ଉତ୍ସବରେ ମାଣ୍ଡିଆ ଜାତୀୟ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ହୋଇଥିବା ୧୭ ପ୍ରକାର ଖାଦ୍ୟ ସାମିଲ କରାଯାଇଥିଲା।

ଯେଉଁଥିରେ ମାଣ୍ଡିଆରୁ ପକୁଡ଼ି, ଗୋଲାପଜାମୁ, ଟିଖୁର, ସରବତ, ସେଉ, ଗଜା, ରସଗୋଲା, ଇଟିଲି ଓ ଲଡ଼ୁ ସାମିଲ ହୋଇଥିଲା। ସେହିପରି କାଙ୍ଗୁ ଚକୁଳି, କୋଦ ଚକୁଳି ଏବଂ କାଙ୍ଗୁ ଦୋସା ମଧ୍ୟ ଏହି ଉତ୍ସବରେ ସ୍ଥାନ ପାଇଥିଲା। ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ଏହି ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରିଥିଲେ।

‘‘ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ୮ଟି ବ୍ଲକରେ ମାଣ୍ଡିଆ ଚାଷ କରାଯାଉଛି। ଆସନ୍ତା ବର୍ଷ ବାଲିଶଙ୍କରା ବ୍ଲକରେ ୨୦୦ ହେକ୍ଟର ଜମିରେ ଏହି ଚାଷ କରିବାକୁ ଲକ୍ଷ୍ୟ ରହିଛି। ଏହା ସହ ମାଣ୍ଡିଆରୁ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରି ମା’ମାନେ ସେମାନଙ୍କ ଜୀବିକା କିପରି ସୁନିଶ୍ଚିତ କରିପାରିବେ ସେ ଦିଗରେ ପଦକ୍ଷେପ ନିଆଯାଉଛି’’ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଲକ୍ଷ୍ମୀ ନାରାୟଣ ଦାଶ।

ଏହି କାର୍ଯ୍ୟକ୍ରମରେ ବାଲିଶଙ୍କରା ବିଡିଓ ବାସନ୍ତୀ ଲାକ୍ରା, ଓଡ଼ିଶା ପୁଷ୍ଟିଶସ୍ୟ ମିଶନର ଜିଲ୍ଲା ସଂଯୋଜକ ଅର୍ପଣ ଦାସ, ଡିଏମଏଫ ଜୀବିକା ବିଶେଷଜ୍ଞ ଅଞ୍ଜନ କୁମାର ପଣ୍ଡା, ବ୍ଲକ କୃଷି ଅଧିକାରୀ ସଞ୍ଜିବ କୁମାର ମୁର୍ଦ୍ଧଳୀ ପ୍ରମୁଖ ଯୋଗ ଦେଇଥିଲେ।

 

Leave A Reply

Your email address will not be published.