Latest Odisha News

BREAKING NEWS

IIM ସମ୍ୱଲପୁର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ସମ୍ୱଲପୁର: ଆଇଆଇଏମ୍‌ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଆଜି ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ସେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ଶ୍ରୀଜଗନ୍ନାଥ ଓ ମାଆ ସମଲେଇଙ୍କୁ ପ୍ରଣାମ କରି ସମ୍ବୋଧନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ଏହି ସମୟ ବିଶ୍ୱରେ ଭାରତର ସାମର୍ଥ୍ୟ ପ୍ରଦର୍ଶନ ସମୟ । ସମ୍ବଲପୁର ଏକ ଏଜୁକେସନ ହବ୍ ହେବାକୁ ଯାଉଛି ।

ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକାଲକୁ ଭୋକାଲ କରିବା ଓଓଗ ଛାତ୍ରଙ୍କ ଦାୟିତ୍ୱ । ଛାତ୍ରଙ୍କୁ ନୂଆ ଜ୍ଞାନକୌଶଳ ସହିତ କାମ କରିବାକୁ ପଡିବ । ସ୍ଥାନୀୟ ଉତ୍ପାଦକୁ ନେଇ ବିଶ୍ୱସ୍ତରୀୟ କରିବାକୁ ହେବ । ସେହିପରି ଓଡିଶାର ପର୍ୟ୍ୟଟନ ସ୍ଥଳୀକୁ ଆହୁରି ବିଶ୍ୱବ୍ୟାପୀ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେହିପରି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ସମ୍ବୋଧନରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ଭାରତରେ ଓଡ଼ିଶା ଶିକ୍ଷା ହବ୍ ହେବାକୁ ଯାଉଛି । ଆଇଆଇଏମ୍ ସମ୍ବଲପୁର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ନବୀନ ପଟ୍ଟନାୟକ । ଶିଳାନ୍ୟାସ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କ ସମତେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ ।
ଗୋଶାଳା ନିକଟସ୍ଥ ବସନ୍ତପୁରରେ ଆଇଆଇଏମର ନିଜସ୍ୱ କ୍ୟାମ୍ପସ ତିଆରି ହେବ । ଏଥିପାଇଁ ୨୦୦ ଏକର ଜମି ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ଆସନ୍ତା ୨୦୨୨, ଏପ୍ରିଲ ସୁଦ୍ଧା ଆଇଆଇଏମ୍ କ୍ୟାମ୍ପସର ର୍ନିମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । କ୍ୟାମ୍ପସ ନିର୍ମାଣର ଖର୍ଚ୍ଚ ହେବ ୪୦୦ କୋଟି ଟଙ୍କା । ବର୍ତ୍ତମାନ ଆଇଆଇଏମ୍ ସମ୍ୱଲପୁର ବୁର୍ଲା ଜ୍ୟୋତି ବିହାର ୟୁନିଭର୍ସିଟି ସ୍ଥିତ ଅସ୍ଥାୟୀ କ୍ୟାମ୍ପସରେ ଚାଲୁଛି ।

Leave A Reply

Your email address will not be published.