ସମ୍ପ୍ରତି ଓଡ଼ିଆ ସାହିତ୍ୟର ଏକ ସୁପରିଚିତ ଲେଖକ ଭୀମ ପୃଷ୍ଟି । ତାଙ୍କ ସ୍ୱର ଖୁବ ଶାଣିତ । ବାସ୍ତବତାକୁ ନିଜେ ଅନୁଭବ କରି ସେଥିରେ କଳ୍ପନାର ରଙ୍ଗ ଭରି ସେ ସାହିତ୍ୟ ସୃଷ୍ଟି କରନ୍ତି। ତାଙ୍କ ସୃଷ୍ଟିର କ୍ଷେତ୍ର ଖୁବ ପରିବ୍ୟାପ୍ତ । ନିତିଦିନିଆ ଜୀବନର ଘଟଣାବଳି ସବୁ ତାଙ୍କ କଲମ ମୁନରେ ରୂପ ରଙ୍ଗ ନେଇ ଜୀବନ୍ତ ହୋଇ ଉଠନ୍ତି ।
ପ୍ରଥମ ବହି, ହେ ମଣିଷ ମାନେ , ଅଧେ ମଣିଷ, ଗପର ହାତଗୋଡ଼, ଲଛମନିଆ, ମାନନୀୟ ଶ୍ରୀଯୁକ୍ତ , ଶ୍ରେଷ୍ଠ ଗଳ୍ପ , ମୁହାଣ , କବିତାର ଉପନ୍ୟାସ, ପ୍ରିୟନାରୀ , ସମୁଦ୍ର ମଣିଷ , ଓଁ , ପେଟ ଓ ପେଟତଳ ,୪ଉପନ୍ୟାସ, କୁଆଡ଼େ ଚାଲିଛ ରୁହ ପଞ୍ଚଭୂତ ଏବଂ ଜମ୍ବୁଲୋକ ଇତ୍ୟାଦି ପୁସ୍ତକର ସେ କାଳଜୟୀ ସ୍ରଷ୍ଟା ।
ଚନ୍ଦ୍ରଭାଗା କହ୍ନେଇ କଥା ପୁରସ୍କାର, ନିର୍ମାତା ପୁରସ୍କାର, ବିବର୍ତ୍ତନ ସମ୍ମାନ, ଓଡ଼ିଆ ଯୁବ ଲେଖକ ସମ୍ମାନ, ଗୋକର୍ଣ୍ଣିକା ସମ୍ମାନ, ଅଦ୍ଵେତ କଥା ସମ୍ମାନ, ସ୍ୱର ଓ ସ୍ବାକ୍ଷର ସମ୍ମାନ, ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ , ଶିବରାମ ପାତ୍ର ସ୍ମୃତି ସମ୍ମାନ, ଗୋପବନ୍ଧୁ ସାରସ୍ୱତ ସମ୍ମାନ , ଆନନ୍ଦପୁର ସାହିତ୍ୟ ସମ୍ବର୍ଦ୍ଧନା, ଗାଳ୍ପିକ ଚିନ୍ତାମଣି ସାହୁ ପୁରସ୍କାର, ଅଖିଳ କଥା ସମ୍ମାନ, ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର , ବିରୂପା ସାହିତ୍ୟ ସଂସଦ,ପଶ୍ଚିମା ଉପନ୍ୟାସ ସମ୍ମାନ, ଫକୀର ମୋହନ ସାହିତ୍ୟ ସଂସଦ ସମ୍ବର୍ଦ୍ଧନା, ରଙ୍ଗରାଜ ପୁରସ୍କାର, କାଦମ୍ବିନୀ ଗଳ୍ପ ସମ୍ମାନ, ଅନ୍ୱେଷା ସାହିତ୍ୟ ସମ୍ମାନ ଏବଂ ତପସ୍ୟା ସୃଜନ ପୁରସ୍କାରରେ ସେ ସମ୍ମାନିତ।
ଲେଖକ ଭୀମ ପୃଷ୍ଟିଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ।
୧. ଆପଣ ଲେଖିବା ଆଗରୁ ଯାହା ବିଷୟରେ ଲେଖନ୍ତି, ତାଙ୍କ ବିଷୟରେ ଗଭୀର ଗବେଷଣା କରନ୍ତି। ବିନା ଗବେଷଣା ଓ କ୍ଷେତ୍ର ଅଧ୍ୟୟନରେ ଲେଖା ଦୁର୍ବଳ ହୋଇଯାଏ ବୋଲି ଆପଣ ଭାବନ୍ତି କି?
ଉତ୍ତର : ଲେଖିବା ଆଗରୁ କ୍ଷେତ୍ରପରିଦର୍ଶନ ଉପରେ ମୁଁ ଗୁରୁତ୍ୱ ଦିଏ।କ୍ଷେତ୍ର ପରିଦର୍ଶନ ପରେ ଯେଉଁ ଚରିତ୍ର,ସେମାନଙ୍କ ସମସ୍ୟା ଓ ଜୀବନଯାପନ ଯଦି ମୋତେ ଆକ୍ରାନ୍ତ କରେ ,ସେହି ଅନୁଭୂତିକୁ ନେଇ ଗପ ଓ ଉପନ୍ଯାସରେ ସ୍ଥାନ ଦିଏ। ମୁଁ ମନେକରେ ବାସ୍ତବ ଘଟଣା ଓ ଜିଅନ୍ତା ଚରିତ୍ରକୁ ନେଇ ଲେଖାଲେଖି କଲେ ସେ ସଂପର୍କ ରେ ଅତୀତ ଓ ବର୍ତ୍ତମାନକୁ ନେଇ ପୁଙ୍ଖାନୁପୁଙ୍ଖ ପର୍ଯ୍ୟାଲୋଚନା କରିବା ଆବଶ୍ଯକ।କାରଣ ଗପ କେବଳ ସାମୟିକ ମନୋରଞ୍ଜନର ମାଧ୍ୟମ ନୁହେଁ ,ଏହା ଆଗାମୀକାଲି ପାଇଁ ଏକ ଐତିହାସିକ ସନନ୍ଦ ହେବା ଆବଶ୍ୟକ।
୨. ଆପଣ ସମାଜର ସବୁଠାରୁ ଗରିବ ଓ ଶୋଷିତ ଲୋକଙ୍କ କଥା ଲେଖି ଆସୁଛନ୍ତି। ଏହା ଏକ ରାଜନୈତିକ ବିଚାରର ପରିଣତି କି?
ଉତ୍ତର : ସମାଜରେ ଶୋଷିତ,ଦଳିତ ଓ ଆଦିବାସୀ ଜନସମୁଦାୟ ସହିତ ଗ୍ରାମାଞ୍ଚଳ ଓ ସହରୀ ଜୀବନ କାହାଣୀ ମୋ ଗପରେ ସ୍ଥାନ ଦିଏ।ଏହା ଭୋଟ ରାଜନୀତି କି ଦଳୀୟ ରାଜନୀତିର ଆଦର୍ଶ ଉପରେ ଆଧାରିତ ନୁହେଁ।ବ୍ୟକ୍ତିର ସାମାଜିକ ଜୀବନରେ ରାଜନୈତିକ ହକ୍ ଉପରେ ଆଧାରିତ।
୩. ଓଡ଼ିଶାରେ ପେଶାଦାର ସାହିତ୍ୟର ପରିବେଶ ନାହିଁ। ଆପଣ କିନ୍ତୁ ନିଜ ଉପନ୍ୟାସ ଲେଖା ପାଇଁ ମାସ ମାସ ବୁଲନ୍ତି ଓ ଲୋକଙ୍କ ସାଙ୍ଗରେ ସମୟ ବିତାନ୍ତି। ତେବେ ଏଥିପାଇଁ ଯେଉଁ ଶ୍ରମ ଓ ଅର୍ଥ ଖର୍ଚ୍ଚ ହୁଏ, ତାହା ସାହିତ୍ୟରେ ଭରଣା ହୁଏ କି?
ଉତ୍ତର : କ୍ଷେତ୍ର ଅନୁଧ୍ୟାନ ଓ ତୃଣମୂଳ ଜୀବନ କଥା ଗପ ଓ ଉପନ୍ଯାସରେ ଲେଖିବାକୁ ହେଲେ ଅର୍ଥ,ସମୟ ଓ ପଠନର ଆବଶ୍ୟକତା ରହିଛି।ଏହା କସ୍ମିନ କାଳେ ଓଡିଶା ସାହିତ୍ଯର ପତ୍ରପତ୍ରିକା ସମ୍ପାଦକ କି ପ୍ରକାଶକ ଭରଣା କରିବାର ନଜିର ନାହିଁ।ସାହିତ୍ୟରେ ବାସ୍ତବତା ଓ ନୂତନତା ଆଣିବାକୁ ହେଲେ କୈାଣସି ଲାଭ ଓ ଲୋଭ ନ କରି ଲେଖକ ତାର ସାରସ୍ୱତ ଦାୟିତ୍ୱ ଜାରି ରଖିବା ଆବଶ୍ୟକ।
୪. ଆପଣ କଳ୍ପନା ଆଧାରରେ କୌଣସି ଚରିତ୍ର ନିର୍ମାଣ କରିଛନ୍ତି କି?
ଉତ୍ତର : ବାସ୍ତବ ଘଟଣା ଓ ଚରିତ୍ରକୁ ନେଇ ଗପ ଉପନ୍ଯାସ ଲେଖିଲାବେଳେ ଅତିରଂଜିତବର୍ଜିତ କଳ୍ପନା ବର୍ଣ୍ଣନାରେ ଦେବାକୁ ହୁଏ।ନଚେତ ତାହା ସାହିତ୍ୟ ନ ହୋଇ ଡକୁ୍ୟମେଣ୍ଟ ହୋଇଯିବ।ପାଠକୀୟତାକୁ ଲେଖା ସହିତ ସଂପୃକ୍ତ କରିବା ପାଇଁ ଅତିବାସ୍ତବତା ସହିତ ଅନୁଭୂତିଲବ୍ଧ କାଳ୍ପନିକତାର ସମ୍ମିଶ୍ରଣ ଆବଶ୍ୟକ।
୫. ଓଡ଼ିଶାର ଜନଜୀବନକୁ ନେଇ ଆଉ କେଉଁ ପ୍ରସଙ୍ଗ ରହିଛି ଯାହାକୁ ନେଇ ଆପଣ ଲେଖିବାକୁ ବ୍ୟାକୁଳ?
ଉତ୍ତର : ଓଡିଶାର ଜନଜୀବନରେ ଅନେକ ଘଟଣା ଓ ସମସ୍ୟା ରହିଛି। ସମ୍ବାଦପତ୍ରରେ ପ୍ରକାଶିତ ବିଷୟ ମଧ୍ୟ ଅର୍ଦ୍ଧସତ୍ୟ ଓ କେତେକ ଉଦ୍ଧେଶ ଉଦ୍ଦେଶ୍ୟ ପ୍ରଣୋଦିତ ।ପ୍ରକୃତ କଥା କେବଳ ଲେଖକର ପ୍ରତ୍ୟକ୍ଷ କ୍ଷେତ୍ର ପ୍ରଦର୍ଶନ ଯୋଗୁ ସମ୍ଭବ ।ସେହି ଲୋକ ଅଜଣା କଥା ପାଠକ ପାଖରେ ପହଞ୍ଚାଇବାକୁ ମୋର ବ୍ୟାକୁଳତା ରହିଛି।ଅଜଣା ଅଶୁଣା ଜନଜୀବନ କଥା ବି ଅସରନ୍ତି ।ସେଥି ପାଇଁ ଜଣେ ଲେଖକର ସୀମାବଦ୍ଧ ଜୀବନ ବି ଅକୁଳାଣ।
୬.ଓଡ଼ିଆ ସାହିତ୍ୟରେ ଭୀମ ପୃଷ୍ଟି କାହାକୁ ନିଜର ମାର୍ଗଦର୍ଶକ ବୋଲି ଭାବନ୍ତି?
ଉତ୍ତର : ନିଜ ଲେଖାଲେଖିର ମାର୍ଗଦର୍ଶକ ଭାବେ ମୁଁ ସର୍ବଦା ଜନପଦର ସାଧାରଣ ମଣିଷକୁ ଗ୍ରହଣ କରେ।ସେମାନେହିଁ ପ୍ରକୃତରେ ମଣିଷରୁ ଗପ ମଣିଷ ।ସେମାନେ ମୋର ମହାନାୟକ।ତା’ଛଡା ଡ୍ରଇଁରୁମ ଓ କଳ୍ପନାର ଜଗତ ଛାଡି ଯେଉଁ ବିଶ୍ୱସାହିତ୍ୟିକ ମାନେ ଫିଲ୍ଦ ଷ୍ଟଡି କରି ସାହିତ୍ୟ ସର୍ଜନା କରନ୍ତି ସେମାନେ ମୋର ଆଦର୍ଶ ଓ ପ୍ରେରଣା।
୭. ଆପଣ ଯେଉଁ ମାନଙ୍କ ପାଇଁ ଲେଖନ୍ତି, ସେମାନେ ଆପଣଙ୍କୁ ପଢୁଛନ୍ତି ବୋଲି ଆପଣ ଭାବନ୍ତି କି?
ଉତ୍ତର : ମୋ ସାହିତ୍ୟ ଯେଉଁ ପାଠକ ପାଖରେ ଅପହଞ୍ଚ, ମୁଁ ବିଶ୍ୱାସ କରେ ସେମାନେ ନଚେତ ସେମାନଙ୍କ ପରବର୍ତ୍ତି ପିଢି ସାହିତ୍ୟ ସେମାନଙ୍କ ପାଖରେ ପହଞ୍ଚିବେ ।ତେବେ ସାହିତ୍ୟର ପାଠକ ସାର୍ବଜନୀନ।କେଉଁ ନା କେଉଁ ପାଠକ ଅନ୍ୟମାନଙ୍କ କଥା ଜାଣନ୍ତୁ , ସମ୍ବେଦନଶୀଳ ହୁଅନ୍ତୁ , ହୁଏତ ପ୍ରତିକ୍ରିୟା ପ୍ରକାଶ କରନ୍ତୁ ।ମଣିଷ ସହିତ ମଣିଷର ଭାବଗତ ସମ୍ପର୍କ ତିଆରି ହେଉ ଏହା ହିଁ ତ ଜଣେ ସ୍ରଷ୍ଟା ଆଶା କରେ।
୮. ଓଡ଼ିଆ ପାଠକ ଯାହା ପଢ଼ିବା ପାଇଁ ଚାହୁଁଛନ୍ତି, ସେମିତି ଲେଖା ହେଉ ନ ଥିବାରୁ, ଆମର ଲୋକପ୍ରିୟ ସାହିତ୍ୟ ନାହିଁ ବୋଲି କହିବା ଠିକ ହେବ କି?
ଉତ୍ତର : ସାହିତ୍ଯ କୈାଣସି କାଳରେ କ୍ଷଣିକ ମନୋରଞ୍ଜନର ସାମଗ୍ରୀ ନୁହେଁ।ଏହା ମଧ୍ୟ ତତ୍କାଳ ଫଳାଫଳର ବିଷୟ ନୁହେଁ।ମାନବିକ ଆବେଦନ ସବୁବେଳେ ଦୀର୍ଘକାଳ ପରେ ବି ଦୀର୍ଘକାଳ ପର୍ଯ୍ୟନ୍ତ ତିଷ୍ଠି ରହେ।ଅତିକାଳ୍ପନିକ ଓ ଅବାସ୍ତବ ବର୍ଣ୍ଣନାର ହଟଚମଟ କରି ଲୋକପ୍ରିୟତାର ଲେଖାର ଆୟୁଷ ମଧ୍ୟ ସାମୟିକ।ପୂର୍ବ ଲେଖାମାନଙ୍କ ଠାରୁ ନୂଆଚିନ୍ତା ,ନୂଆ ଚେତନା,ନୂଆ ଶୈଳୀ ମାଧ୍ୟମରେ ପାଠକକୁ ଷ୍ଟେରିଓ ଟାଇପ ମନୋଟନରୁ ମୁକ୍ତି ଦେବା ହିଁ ଲେଖକର ଦାୟିତ୍ୱ।ପାଠକ ଲେଖକ ତିଆରି କରେ ନାହିଁ।ଲେଖାର ନୂତନତ ହିଁ ବହୁଳ ପାଠକ ତିଆରି ହୁଏ।
୯. ଆପଣ ଅନେକ ରାଜନୈତିକ ଚରିତ୍ରଙ୍କୁ ନେଇ ଲେଖିଛନ୍ତି। ସେଥିପାଇଁ କେବେ ଆପଣଙ୍କୁ ଡର ଲାଗିନି?
ଉତ୍ତର : ରାଜନୈତିକ ଚରିତ୍ର ମାନଙ୍କ ମୁଖାକୁ ଅପସାରଣ କରି ପାଠକକୁ ନିଜ ରାଜନୈତିକ ସ୍ୱାଧୀନତା ଉପରେ ଦିଗଦର୍ଶନ ଦେଇପାରିଲେ ହିଁ ଜନ-ମନ ପରିବର୍ତ୍ତନ ପାଇଁ ଲେଖା ଆଧାରଶୀଳା।ସେଥିପାଇଁ ଲେଖକ ପାଇଁ ଯେଉଁ ରାଜନୈତିକ ଆକ୍ରୋଶର ଶୀକାର ହେବାକୁ ପଡିବ ତାକୁ ସାମ୍ନା ହେବାକୁ ଲେଖକକୁ ଭୟ ଠାରୁ ଯୁକ୍ତି ଓ ମାନସିକ ଆତ୍ମବଳ ଆବଶ୍ୟକ।ସତ୍ୟବଦ୍ଧତା ଯଦି ସାହିତ୍ୟର ଆତ୍ମା ହୁୃଏ,ତା’ର ପାଶ୍ୱପ୍ରତିକ୍ରିୟାକୁ ଭୟ କରି ସାହିତ୍ୟ କରିବା ଯାହା,ନ କରିବା ଭଲ।
୧୦. ଭୀମ ପୃଷ୍ଟି ଯଦି ଗାଳ୍ପିକ ହୋଇ ନ ଥାନ୍ତେ ତା ହେଲେ ଆଉ କଣ ହେବାକୁ ଚାହିଁଥାନ୍ତେ?
ଉତ୍ତର : ଯଦି ଗାଳ୍ପିକ ହୋଇ ଏତେ ଗୁଡିଏ ପାଠକ ରୂପି ସହୃଦୟୀ ମଣିଷକୁ ଲେଖକ ପାଇପାରେ,ଏତେଗୁଡାଏ ମଣିଷଙ୍କ ନିର୍ଭେଜାଲ ଭଲପାଇବା ,ସମର୍ଥନ ଓ ପ୍ରେରଣା ପାଇପାରେ।ତେବେ ଗାଳ୍ପିକ ବାରମ୍ବାର ଗାଳ୍ପିକ ହୋଇ ବଞ୍ଚି ରହିବାକୁ ଚାହିଁବ।ଜଣେ ଜନ ନେତାଠୁ ଜଣେ ଜନ ଲେଖକ ହେବା ଗୁରୁତ୍ୱପୂର୍ଣ୍ଣ।କାରଣ ଲେଖକ ପାଠକ ମନରେ କ୍ରାନ୍ତି ଭରେ ,ତା ମସ୍ତିଷ୍କର ଅବଧାରଣାକୁ ବଦଳାଇ ପାରେ।
Comments are closed.