କବିତା : ଜୀବନ ଯୁଦ୍ଧ

ହିମାଂଶୁ ଆଚାରୀ

ଗୋଟେ ହାତରେ ମୋ ଦମ୍ଭର ଧ୍ବଜା ତ ଆର ହାତ ମୋର ହାତୀ
ସାହସର ଏଇ ଅଥଳ ସାମ୍ରାଜ୍ଯେ ସମୁଦ୍ର ପ୍ରାୟେ ମୋ ସ୍ଥିତି,
ଆସ ହେ ମୋ ଶତ୍ରୁ ଚରିବ ବୋଲି ମୋ ଭୂମିକୁ ଦେଇଛି ବିଞ୍ଚି
ଶ୍ରଦ୍ଧା ଓ ସ୍ନେହର ମାଟି ଖଣ୍ଡ ଛଡା ପାଇବନି କିନ୍ତୁ କିଛି !

ଭୟର ବିଗୁଲ ଶୁଣେଇ ଶୁଣେଇ ବଧିରା ହେଲାଣି ମୋହ
ଡରେଇ ଥରେଇ ପଥର କଲଣି ସୁଖ ଛାଞ୍ଚଦିଆ ଦେହ,
ଜୀବନ ଯେଉଁଠି ଯୁଦ୍ଧ ବି ସେଇଠି ଏହା ଚିରନ୍ତନ ସତ୍ଯ
ତଥାପି କାହିଁ ଏ କଠୋର କୁହାଟ ଦେଖାଅ ଏ ଆଧିପତ୍ଯ ?

ଭାଙ୍ଗିବାର ଥିଲେ ଭାଙ୍ଗିବ ନିଶ୍ଚିତ ଭାବର ଏ ଭଗ୍ନଶିଳା
ଭୟ ନାହିଁ ବୋଲି ବୋଳି ହେଇଛି ମୁଁ ବେଦନାର ସବୁ ଜ୍ବାଳା,
ମସ୍ତକ ଥୋଇଛି ମଥାନ ଉପରେ ପାଦରେ ବାନ୍ଧିଛି ବେଡ଼ି
ଛାତିରେ ଅଛି ମୋ ଅର୍ଜିତ ପ୍ରାର୍ଥନା ପାରିବ ତ ନିଅ କାଢି !

ଜୀବନ ଯେଉଁଠି ସ୍ବର୍ଣ୍ଣିମ ସକାଳ ମୃତ୍ଯୁ ପରା ସଂଜ ତାରା,
ସୁଖ ଓ ଦୁଃଖର ମଝି ଇଲାକାରେ ଚାଲୁ ଏ ଯୁଦ୍ଧର ନାରା ।