Latest Odisha News

BREAKING NEWS

ରମାଦେବୀ ଛାତ୍ରୀ ମୃତ୍ୟୁ ମାମଲା: ଜବତ ହେଲା ସ୍କୁଟି, ମିଳିନି ଝରାଫୁଲଙ୍କ ମୋବାଇଲ୍ ଫୋନ୍

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ଏଯାଏ ହଟିନି ପରଦା । ଗିରଫ ବୟଫ୍ରେଣ୍ଡ ରାକେଶ ସ୍ୱାଇଁଙ୍କୁ ରିମାଣ୍ଡରେ ନେଇ ତଥ୍ୟ ହାସଲ କରୁଛି ଯାଜପୁର ପୋଲିସ । ଏହାରି ଭିତରେ ଆଜି ମିଳିଛି ସ୍କୁଟି । ସେହି ସ୍କୁଟିରେ ଝରାଫୁଲଙ୍କ ମୃତଦେହ ନେଇ ଯାଜପୁରରେ ଫିଙ୍ଗିଥିଲା ରାକେଶ ଓ ସହଯୋଗୀ ଶେଖର । ଗାଏବ ସ୍କୁଟିକୁ ଭୁବନେଶ୍ୱର ସୁନ୍ଦରପଦା ନିକଟରୁ ଠାବ କରିଛି ପୋଲିସ ।

ସ୍କୁଟିର ନମ୍ବର ରହିଛି 0D-02- BP- 7885 । ସ୍କୁଟି ଝରାଫୁଲଙ୍କ ବୟଫ୍ରେଣ୍ଡ ରାକେଶ ସ୍ୱାଇଁର ବୋଲି ଜଣାପଡ଼ିଛି । ସିସିଟିଭିରେ ନାଲି ରଙ୍ଗର ସ୍କୁଟିରେ ଝରାଫୁଲଙ୍କୁ ମଝିରେ ବସାଇ ଭୁବନେଶ୍ୱରରୁ ଯାଜପୁର ଅଭିମୁଖେ ନେଇଥିଲା ରାକେଶ ।

ସେହିପରି ୨୬ ତାରିଖ ଦିନ ଝରାଫୁଲଙ୍କୁ ବସାଇ ରାକେଶ ଯେଉଁ ସ୍କୁଟିରେ ବୁଲାଇଥିଲା ସେହି ସ୍କୁଟିର ରଙ୍ଗ ବି ନାଲି ଥିଲା । ସ୍କୁଟି ମିଳିଥିବା ବେଳେ ଏଯାଏ ଝରାଫୁଲଙ୍କ ମୋବାଇଲ୍ ଫୋନ୍ ମିଳିନି । ସେହିପରି ରାକେଶର ବନ୍ଧୁ ଶେଖର ଏଯାଏ ପୋଲିସ ପାଇଁ ଅପହଞ୍ଚ । ମୋବାଇଲ୍ ମିଳିବା ଓ ଶେଖର ଗିରଫ ହେବା ପରେ ପୋଲିସକୁ ଝରାଫୁଲ ମୃତ୍ୟୁ ମାମଲାରେ ଅଧିକ ତଥ୍ୟ ମିଳିପାରିବ ।

ଗତକାଲି ଗିରଫ ବୟଫ୍ରେଣ୍ଡ ରାକେଶ ସ୍ୱାଇଁକୁ ଭୁବନେଶ୍ୱର ଆଣିଥିଲା ଯାଜପୁର ପୋଲିସ । ଜାନୁଆରୀ ୨୬ ତାରିଖ ରାତିରେ ସେ ଓ ଝରାଫୁଲ ଯେଉଁ ହୋଟେଲରେ ରହିଥିଲେ ସେଠାରେ ସିନ୍ ରି-କ୍ରିଏସନ୍ କରିଥିଲା ଅଭିଯୁକ୍ତ । ଆଜି ତାର ରିମାଣ୍ଡ ଅବଧିର ଶେଷ ଦିନ । ଏହି ତିନି ଦିନିଆ ପଚରାଉଚରାରେ ପୋଲିସକୁ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଥିବା କୁହାଯାଉଛି । ତେବେ ମୃତ୍ୟୁର ପ୍ରକୃତ କାରଣ କଣ ଖୋଜି ବାହାର କରିବା ପୋଲିସ ଆଗରେ ଚ୍ୟାଲେଞ୍ଜ ।

Leave A Reply

Your email address will not be published.