ଝାରସୁଗୁଡ଼ା: ଅଭୁତ ସମ୍ପର୍କ । କୁକୁରର ଜୀବନ ବଞ୍ଚାଇବାକୁ ମାଲିକ ନିଜ ମୁହଁରେ ଫୁଙ୍କି ଅକ୍ସିଜେନ ଦେଇଛନ୍ତି । ଝାରସୁଗୁଡ଼ାର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁସାରେ, ଝାରସୁଗୁଡ଼ାର ଜଣେ କୁକୁର ମାଲିକ ତାଙ୍କ କୁକୁରର ଦେହ ଖରାପ ହେବା ପରେ ତାକୁ ଝାରସୁଗୁଡ଼ା ପ୍ରାଣୀ ଚିକିତ୍ସାଳୟ ନେଇଥିଲେ । ପ୍ରାଣୀ ଚିକିତ୍ସାଳୟରେ କୁକୁରକୁ ନିମୋନିଆ ହୋଇଥିବା ଜଣାପଡ଼ିଥିଲା । ତାକୁ ସାଲାଇନ୍ ଲଗାଯାଇଥିଲା । କିନ୍ତୁ ହଠାତ୍ କୁକୁରର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବା ସହ ତାହାର ଶ୍ୱାସକ୍ରିୟାରେ ଅସୁବିଧା ହୋଇଥିଲା ।
ମାତ୍ର ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଅକ୍ସିଜେନ୍ର ସୁବିଧା ନଥିବାରୁ କୁକୁରର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା । ଏଭଳି ସ୍ଥିତିରେ ମାଲିକ ନିରୁପାୟ ହୋଇ ଶେଷରେ କୁକୁର ମୁହଁରେ ଏକ ପାଇପ୍ ଖଞ୍ଜି ନିଜେ ଅପରପାଶ୍ୱର୍ରୁ ଫୁଙ୍କି ତାକୁ ଅକ୍ସିଜେନ ଦେବାକୁ ଚେଷ୍ଟା କରିଥିଲେ ।
ସେହି ସମୟରେ ପ୍ରାଣୀ ଚିକିତ୍ସାଳୟର କର୍ମଚାରୀ ଓ ଉପସ୍ଥିତ ତମାମ୍ ଲୋକ ଏହି ଦୃଶ୍ୟକୁ ଦେଖି ଅବାକ୍ ହୋଇଯାଇଥିଲେ । ସୌଭାଗ୍ୟବଶତଃ ଏହି ଘଟଣା ପରେ କୁକୁରଟିର ଶ୍ୱାସକ୍ରିୟଜନିତ ସମସ୍ୟା ବି ଲାଘବ ହୋଇଯାଇଥିଲା । କିଛି ସମୟ ଡାକ୍ତରଖାନାରେ ରଖିବା ପରେ ମାଲିକ ତାକୁ ନିଜ ଘରକୁ ନେଇ ଆସିଥିଲେ । ତେବେ କୁକୁରଟିର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ଥିବା ଜଣାପଡ଼ିଛି । ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
Comments are closed.