ଦୀର୍ଘ ଚାରି ଦଶନ୍ଧି ଧରି ଓଡ଼ିଆ ସାହିତ୍ୟକୁ ନିଜ ଲେଖନୀ ନିଃସୃତ ସୃଷ୍ଟି ସମ୍ଭାର ଉପହାର ଦେଇ ଆସିଛନ୍ତି ଅପର୍ଣ୍ଣା ମହାନ୍ତି ।ପାରିପାର୍ଶ୍ଵିକ ଘଟଣାବଳୀ ତଥା ଜୀବନର ତିକ୍ତ ମଧୁର ଅନୁଭୂତିକୁ ନେଇ ସେ ଓଡ଼ିଆ ବାଣୀ ଭଣ୍ଡାରକୁ ରୁଦ୍ଧିମନ୍ତ କରିଚାଲିଛନ୍ତି ।ଭାବ ଓ ଭାଷାର ଚମତ୍କାରିତାକୁ ତାଙ୍କର ପ୍ରତିଟି ରଚନାରେ ଅନୁଭବ କରିହୁଏ ।ଜୀବନ୍ତ ଲାଗେ ପ୍ରତିଟି ଶବ୍ଦ ,ବିଭୋର ହୋଇଯାଏ ମନ ଓ ପ୍ରାଣ ।
ମା’ର କାନ୍ଦଣା ଗୀତ , ଝିଅ ପାଇଁ ଝର୍କା ଟିଏ , ଓଡ଼ିଆ ଉପନ୍ୟାସରେ ନାରୀ ଚରିତ୍ର ,ନାରୀମନ , ଅନ୍ତରଙ୍ଗ ଆଲୋଚନା, ଅସ୍ମିତାର ପରମ୍ପରା , ଯୋଗିନୀ ଗୀତ ,ଅଗ୍ନି କମଳିନୀ , ନିଃସଙ୍ଗ ଈଶ୍ୱରୀ ଓ ଅନ୍ୟାନ୍ୟ କବିତା , ନଷ୍ଟ ନାରୀ ,ପୋଖରାଜ ( ଅନୁବାଦ ) ଇତ୍ୟାଦି ଅନେକ ପୁସ୍ତକର ସେ ସ୍ରଷ୍ଟା ।
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର , ଝଙ୍କାର ପୁରସ୍କାର ,ସାହିତ୍ୟ ଭାରତୀ ଭାନୁଜୀ ରାଓ ପୁରସ୍କାର , ଗୋକର୍ଣ୍ଣିକା ପୁରସ୍କାର , ବସନ୍ତ ମୁଦୁଲି ପୁରସ୍କାର , କାଦମ୍ବିନୀ ପୁରସ୍କାର , ସୁଚରିତା ଶ୍ରେଷ୍ଠ କବୀ ପୁରସ୍କାର , ଲେଖିକା ସଂସଦ ସମ୍ମାନ ଏବଂ ସୁଧନ୍ୟା ସମ୍ମାନ ଇତ୍ୟାଦି ଆହୁରି ଅନେକ ପୁରସ୍କାର ଓ ସମ୍ମାନରେ ସେ ପୁରସ୍କୃତ ଓ ସମ୍ମାନିତ ।
ଓଡ଼ିଆ ସାହିତ୍ୟର କାଳଜୟୀ ସ୍ରଷ୍ଟା ଅପର୍ଣ୍ଣା ମହାନ୍ତିଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ ।
୧. ସୃଷ୍ଟିର ସଂଜ୍ଞା କଣ ?
ଉତ୍ତର : ସୃଷ୍ଟିର ସଂଜ୍ଞା ତ ଖୁବ ବ୍ୟାପକ। ତେବେ ସାରସ୍ୱତ ସୃଷ୍ଟି କହିଲେ ମୁଁ ଏତିକି ବୁଝେ ଯେ ଆତ୍ମବୋଧ ଓ ବିଶ୍ୱବୋଧର ସମନ୍ମୟରେ ମାନବର ଅନ୍ତର ଯେଉଁ ଦିବ୍ୟ ଉଦ୍ବେଳନକୁ ପ୍ରକାଶ କରିଥାଏ ତାହା ହିଁ ସାରସ୍ୱତ ସ୍ରଷ୍ଟା ମାନଙ୍କର ସୃଷ୍ଟି ।
୨. ଲେଖା ଲେଖି କେବେ ଆରମ୍ଭ କଲେ ?
ଉତ୍ତର : ସନ୍ଥ କବି ବାବା ବୈକୁଣ୍ଠ ନାଥଙ୍କ ଆଶ୍ରମରେ ମୋର ଶୈଶବ କଟିଛି ବାବାଙ୍କୁ ଲେଖା ଲେଖି କରୁଥିବାର ଦେଖି ମୁଁ ମଧ୍ୟ ଛୋଟ ଛୋଟ ଭଜନ ଜଣାଣ ଲେଖିଥିଲି । ମୋର ପ୍ରଥମ ଜଣାଣ ଟି ପ୍ରାୟ ୧୦ ୧୨ ବର୍ଷ ବୟସରେ ଜୈଲୌକା ବାଣୀ ପତ୍ରିକାରେ ପ୍ରକାଶିତ ହୋଇଥିଲା ତେବେ ସଚେତନ ଭାବରେ ମୁଁ ସତୁରି ଦଶକରୁ କବିତା ଲେଖା ଆରମ୍ଭ କରିଥିଲି।
୩. ଲେଖିଲା ବେଳେ ଅନୁଭୁତିର ଆଶ୍ରୟ ନିଅନ୍ତି କି ?
ଉତ୍ତର : ଅନୁଭୂତି କେବଳ ହିଁ ମୋ କବିତା ଲେଖାର ଏକମାତ୍ର ଆଶ୍ରୟ।
୪. ଜୀବନ ସହିତ ସାହିତ୍ୟ କେତେଦୂର ପ୍ରଭାବିତ ହୋଇପାରେ ?
ଉତ୍ତର : ପ୍ରଶ୍ନ ଟିରେ ଜୀବନ ସାହିତ୍ୟକୁ ବା ସାହିତ୍ୟ ଜୀବନକୁ କେତେ ପ୍ରଭାବିତ କରେ ବୋଲି ଆପଣ ପଚାରୁଛନ୍ତି ।ତେବେ ଉଭୟ ଉଭୟଙ୍କୁ ପ୍ରଭାବିତ କରନ୍ତି। ଜୀବନ ହିଁ ସାହିତ୍ୟର ଭିତ୍ତିଭୂମି ଓ ସାହିତ୍ୟ ଜୀବନର ନିର୍ଯ୍ୟାସ।
୫. ଏଯାବତ ଆପଣଙ୍କର ସର୍ବଶ୍ରେଷ୍ଠ ସୃଷ୍ଟି କ’ଣ ?
ଉତ୍ତର : ଶ୍ରେଷ୍ଠତା ନିର୍ଦ୍ଧାରଣ କରିବାର ଦାୟିତ୍ୱ ପାଠକ ମାନଙ୍କର , ଲେଖକଙ୍କର ନୁହେଁ । ତେବେ ଅତିଥି ,ନଷ୍ଟ ନାରୀ ଓ ଯୋଗିନୀ ଗୀତ ଏହି ତିନୋଟି କବିତା ସଙ୍କଳନ ମତେ ଖୁବ ଆତ୍ମସନ୍ତୋଷ ଦେଇଛି ।
୬.ସୃଜନଶୀଳତା ସହ ପରିବାରର ଦାୟିତ୍ୱର ସମନ୍ୱୟ କିପରି ରଖନ୍ତି?
ଉତ୍ତର : ଲେଖିକା ମାନକ ପାଇଁ ଏହିପ୍ରଶ୍ନ ଟି ଖୁବ ଗରୁତ୍ବପୁର୍ଣ୍ଣ । ମତେ ଆସି ଅଣସ୍ତରି ବର୍ଷ ବୟସ ହେଲା ।କିନ୍ତୁ ପରିବାରର ଦାୟିତ୍ୱ କ୍ରମଶଃ ବଢି ଚାଲିଛି । ୯୩ ବର୍ଷୀୟ ବାପାଙ୍କ ଠାରୁ ୩ ବର୍ଷର ନାତି ଯାଏଁ ଆଜିବି ମୋ ଉପରେ ଖୁବ ସ୍ନେହ ମମତାର ସହ ନିର୍ଭରଶୀଳ। ଏଇ ମଧୁର ଦାୟିତ୍ୱ ତୁଲାଇବା ପାଇଁ ମତେ ଅନେକ ସମୟରେ କବିତାର ନିରବ ଡାକରା ଏଡାଇ ଯିବାକୁ ହୋଇଥାଏ ।କିନ୍ତୁ ସାଂସାରିକ କର୍ତବ୍ୟ ମୋର ଆତ୍ମିକ ମୁକ୍ତିବୋଧକୁ କେବେ ଆବଦ୍ଧ କରିପାରିନାହିଁ , ମୁଁ ତାହା ହେବାକୁ ଦେଇନାହିଁ । ଏହାହିଁ ଉଭୟ ଭିତରେ ଏକ ବିରଳ ସମନ୍ବୟରେ ରଖି ପାରିଛି।
୭. ଓଡ଼ିଆ ସାହିତ୍ୟରେ ଗପର ପ୍ରଭାବ କେମିତି?
ଉତ୍ତର : ଓଡ଼ିଆ ସାହିତ୍ୟରେ କବିତା ଅପେକ୍ଷା ଗଳ୍ପର ପାଠକ ଗୋଷ୍ଟି ଅଧିକ । ଗଳ୍ପର ପ୍ରଭାବ ମଧ୍ୟ ଅଧିକ ଶକ୍ତିଶାଳୀ।
୮. ନାରୀବାଦ କହିଲେ ଆପଣ କଣ ବୁଝନ୍ତି ?
ଉତ୍ତର : ଏକ ପିତୃକୈନ୍ଦ୍ରିକ ସମାଜ ବ୍ୟବସ୍ଥାରେ ବହୁ ନାରୀ ବିରୋଧୀ ମାନସିକତାରୁ ମୁକୁଳିବାକୁ ତଥା ନାରୀର ସମ୍ମାନ ଓ ସ୍ବାଧୀକାରକୁ ସାବ୍ୟସ୍ତ କରିବାକୁ ନାରୀର ନିରବଛିନ୍ନ ସଂଗ୍ରାମକୁ ହିଁ ମୁଁ ନାରୀବାଦ ବୋଲି ଭାବେ।
୯. ଯଦି ପାଠକ ନକରାତ୍ମକ ମତ ରଖନ୍ତି ଆପଣଙ୍କ ପ୍ରତିକ୍ରିୟା କଣ ହେବ ?
ଉତ୍ତର : ଆରମ୍ଭରୁ ହିଁ ମୋ କବିତା ନକାରାତ୍ମକ ମତାମତର ଶରବ୍ୟ ହୋଇଛି ।କିନ୍ତୁ ଏହା ମୋ କବିତାର ସତ୍ତ୍ୱାକୁ ଅଧିକ ଜାଗ୍ରତ ଓ ବଳିଷ୍ଠ କରିଛି । ବାସ୍ତବରେ ନିନ୍ଦୁକ ମାନେ ହିଁ ସର୍ଜନା ପ୍ରକ୍ରିୟାକୁ ଅଧିକ ଦୃଢ ଓ ସଚେତନ କରିଥାନ୍ତି ତେଣୁ ମୁଁ ସେମାନଙ୍କ ପାଖରେ କୃତଜ୍ଞ ଓ ଋଣୀ ମଧ୍ୟ।
୧୦ ଜଣେ ସଫଳ ଲେଖକ( ଲେଖିକା) କେମିତି ହୋଇ ପାରିବ ?
ଉତ୍ତର : ସଫଳ ବିଫଳ କଥା ଲେଖକ ନିଜେ ନିର୍ଦ୍ଧାରଣ କରିପାରେ ନାହିଁ ।ସମ୍ପ୍ରତି ଲେଖକ ପଣର ଯେଉଁ ଉଗ୍ର ଆତ୍ମ ବିପଣନ ଚାଲିଛି ସେଥିରେ ଜଣେ ରାତାରାତି ସଫଳ ହୋଇଯାଇପାରେ ।ମାତ୍ର ସାର୍ଥକ ହୋଇ ପାରିବ ନାହିଁ । ଲେଖକର ମୃତ୍ୟର ଶହେ ବର୍ଷ ପରେ ଯେତେବେଳେ ତାର ସମସ୍ତ ପାର୍ଥିବ ଉଦ୍ୟମ ମହାଶୂନ୍ୟରେ ମିଳାଇଯାଇଥିବା ସେତିକିବେଳେ ହିଁ ପାଠକ ଶ୍ରେଣୀର ଅନନ୍ତରରେ ଳେଖକଟିଏ ସଫଳତାର ଶିଖର ଆରୋହଣ କରିବ। ଆମ ସାହିତ୍ୟରେ ସାରଳା ଦାସ ,ଜଗନ୍ନାଥ ଦାସ, ବଳରାମ ଦାସ, ଗଙ୍ଗାଧର ମେହେର, ଫକୀର ମୋହନ ସେନାପତି ,ଗୋପୀନାଥ ମହାନ୍ତି କି ମାନସିଂଙ୍କ ପରେ ।
୧୧. ଓଡ଼ିଆ ସାହିତ୍ୟର ଭବିଷ୍ୟତକୁ ଆପଣ କିପରି ଭାବରେ ଦେଖନ୍ତି ?
ଉତ୍ତର : ଓଡ଼ିଆ ସାହିତ୍ୟର ଭବିଷ୍ୟତକୁ ବିପୁଳ ସମ୍ଭାବନାମୟ ଦେଖେ।
୧୨. ନୂଆ ଲେଖକଙ୍କ ପାଇଁ ଆପଣଙ୍କ ବାର୍ତ୍ତା କଣ ?
ଉତ୍ତର : ସତ୍ୟ , ସାହସ ପ୍ରେମ ଓ ପ୍ରତିବାଦ ତଥା ଆତ୍ମବିଶ୍ୱାସ, ଆତ୍ମସମ୍ମାନ ସହିତ ଆତ୍ମଚେତନା, ସେମାଙ୍କର ସୃଷ୍ଟି ସତ୍ତାର ଆଧାରଶିଳା ହେଉ ।
Comments are closed.