Latest Odisha News

ଆସନ୍ତୁ ଜାଣିବା ଟି୨୦ର ଶ୍ରେଷ୍ଠ ଟିମ୍ ସମ୍ପର୍କରେ

ମୁମ୍ବାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ମାର୍ଚ୍ଚ ୧୨ରୁ ଆରମ୍ଭ ହୋଇଯିବ । ଆଇସିସି ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିବାକୁ ହେଲେ ଟିମ୍ ଇଣ୍ଡିଆକୁ ୪-୧ରେ ସିରିଜ ଜିତିବାକୁ ପଡିବ । ଆଗକୁ ଟି୨୦ ବିଶ୍ୱକପ ହେବାକୁ ଯାଉଥିବାରୁ ଏହି ସିରିଜ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ତେବେ କାଗଜ କଲମରେ ଏବଂ ବିଜୟ ହାର ପ୍ରତିଶତରେ ନିଃସନ୍ଦେହ ଭାରତ ଶ୍ରେଷ୍ଠ ଟିମ୍ । ଆନ୍ତର୍ଜାତୀୟ ମୁକାବିଲାରେ ଭାରତ ୧୩୭ ମ୍ୟାଚ ଖେଳି ୮୫ ବିଜୟ ହାସଲ କରିଛି । ବିଜୟ ହାର ୬୨.୦୪ ପ୍ରତିଶତ ରହିଛି ।

ପାକିସ୍ତାନ ୧୬୩ ମୁକାବିଲାରେ ୯୯ ମ୍ୟାଚ ଜିତି ୫୫.୯୦ ଆଭରେଜରେ ଭାରତ ପଛକୁ ରହିଛି । ଦକ୍ଷିଣ ଆଫ୍ରିକା (୫୫.୯୦), ଅଷ୍ଟ୍ରେଲିଆ (୫୨.୨୦), ଇଂଲଣ୍ଡ (୫୦.୭୯), ନ୍ୟୁଜିଲାଣ୍ଡ (୪୭.୮୮), ଶ୍ରୀଲଙ୍କା(୪୫.୮୦) ଓ ୱେଷ୍ଟଇଣ୍ଡିଜ(୪୩.୦୭) ତୃତୀୟରୁ ୮ମ ସ୍ଥାନ ମଧ୍ୟରେ ରହିଛନ୍ତି । ଘରୋଇ ପରିବେଶରେ ଭାରତ ୫୯ ପ୍ରତିଶତ ମ୍ୟାଚ ଜିତିଛି । ଟି୨୦ରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରଦର୍ଶନ ଚମତ୍କାର ରହିଛି । କୋହଲି ୮୫ ମ୍ୟାଚରେ ୨୯୨୮ ଓ ରୋହିତ ୧୦୮ ମ୍ୟାଚରେ ୨୭୭୩ ରନ ସଂଗ୍ରହ କରିଛନ୍ତି । ସେହିପରି ଯଶପ୍ରୀତ ବୁମରାହ(୫୯ ଉଇକେଟ), ୟୁଜଭେନ୍ଦ୍ର ଚହଲ(୫୯) ଓ ରବିଚନ୍ଦ୍ରନ ଅଶ୍ୱିନ (୫୨) ଉଇକେଟ ଅକ୍ତିଆର କରିଛନ୍ତି ।

Comments are closed.