Latest Odisha News

BREAKING NEWS

ପାରାଦୀପରେ ପ୍ରତିଷ୍ଠା ହେବ ବିଶାଳ ପ୍ଲାଷ୍ଟିକ ପାର୍କ

ଭୁବନେଶ୍ବର : ପାରାଦୀପରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ । ଏନେଇ ଆଜି ଇଣ୍ଡିଆନ ଅଏଲ୍ ଓ ଇଡକୋ ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି । ଆୟୋଜିତ ଭର୍ଚୁଆଲ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ୧୦୬ କୋଟି ଟଙ୍କା ବିନିଯୋଗରେ ୧୨୦ ଏକର ଜମିରେ ଏହି ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ ନିର୍ମାଣ ହେବ ।

ଏହି ପ୍ଲାଷ୍ଟିକ୍ ଶିଳ୍ପ ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ଭାରତରେ ପ୍ରଥମ । ଏହି ପ୍ଲାଷ୍ଟିକ୍ ପାର୍କରେ ପାରାଦୀପ ବିଶୋଧନାଗାରରେ କମ୍ପ୍ଲେକ୍ସରୁ ଉତ୍ପାଦିତ ପଲିପ୍ରୋପିଲିନ ଓ ଇଥାଇଲିନର ବ୍ୟବହାର କରାଯିବ । ଏହି ପ୍ଲାଷ୍ଟିକ୍ ପାର୍କ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏବେ ପ୍ଲାଷ୍ଟିକ ପାର୍କ ହେଲେ ପ୍ଲାଷ୍ଟିକ ଆମଦାନି ବହୁମାତ୍ରାରେ କମିବ । ବିଶେଷ କରି ଏଠାରେ ସିମେଣ୍ଟ ବ୍ୟାଗ ଅନ୍ୟାନ୍ୟ ଘରୋଇ ପ୍ଲାଷ୍ଟିକ ସାମଗ୍ରୀ ସହିତ ଟେକ୍ସଟାଇଲ ଶିଳ୍ପ ମଧ୍ୟ ଗଢ଼ି ଉଠିବ । ପ୍ଲାଷ୍ଟିକ ଶିଳ୍ପରେ ମନୋ ନିବେଶ କରିବାକୁ ଚାହୁଁଥିବା ଓଡ଼ିଆ ଉଦ୍ୟୋଗୀଙ୍କ ପାଇଁ ମଧ୍ୟ ଏହା ସହାୟକ ହୋଇପାରିବ । ଓଡ଼ିଆ ଶିଳ୍ପୋଦ୍ୟୋଗୀଙ୍କୁ ଟନ ପିଛା ୨ ହଜାର ଟଙ୍କା ଶସ୍ତାରେ କଞ୍ଚାମାଲ ଯୋଗାଇବ ଇଣ୍ଡିଆନ ଅଏଲ ।

ଆଇଓସିଏଲ-ଇଡକୋ ମଧ୍ୟରେ ପାରାଦୀପରେ ପ୍ଲାଷ୍ଟିକ ପାର୍କ ସ୍ଥାପନ ନେଇ ଏମଓୟୁ ସ୍ୱାକ୍ଷର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି । ପାରାଦୀପ ପ୍ଲାଷ୍ଟିକ ପାର୍କ ଲାଗି ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଇସିଓଏଲର ପେଟ୍ରୋଲିୟମ ଓ ପେଟ୍ରୋ କେମିକାଲ୍ ପ୍ରକଳ୍ପ ଲାଗି ସମସ୍ତ ସହଯୋଗ ରାଜ୍ୟ ଯୋଗାଇ ଦିଆଯିବ । ଡାଉନ୍ ଷ୍ଟ୍ରିମ୍ ପଲିମରକୁ ପାରାଦୀପ ପ୍ଲାଷ୍ଟିକ ପାର୍କ ଭଲ ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । କେବଳ ପ୍ଲାଷ୍ଟିକ ନୁହେଁ, ରାଜ୍ୟରେ ପେଟ୍ରୋକେମିକାଲ୍‌ ଶିଳ୍ପର ବିକାଶ ପାଇଁ ମଧ୍ୟ ଅଧିକ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଇଣ୍ଡିଆନ ଅଏଲ ରାଜ୍ୟରେ ୨୬ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଜାରି ରଖିଛି । ଏବେ ବିଶୋଧନାଗାରର ଉତ୍ପାଦନ କ୍ଷମତା ୨୫ ମିଲିୟନ ଟନକୁ ବୃଦ୍ଧି କରାଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

Comments are closed.