Latest Odisha News

BREAKING NEWS

ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ ଘଟଣା: ୧୨ ବର୍ଷ ପରେ ୫ମ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ସଂଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ଘଟଣା । ଏହି ମାମଲାରେ ଫେରାର ଥିବା ୫ମ ଅଭିଯୁକ୍ତକୁ ଗିରଫ କରାଯାଇଛି । ଘଟଣାର ୧୨ ବର୍ଷ ପରେ ଅଭିଯୁକ୍ତ ଗିରଫ କରିଛି କମିଶନରେଟ୍ ପୋଲିସ । ଆଜି ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ଗିରଫ ଅଭିଯୁକ୍ତର ନାଁ ବିକ୍ରମାଦିତ୍ୟ ଜେନା । ୨୦୦୮ରେ ସୁମନ୍ତଙ୍କ ହତ୍ୟାକାଣ୍ଡ ପରେ ସେ ଫେରାର ହୋଇ ଯାଇଥିଲା ।

ସିପିଙ୍କ ସୂଚନା ଅନୁଯାୟୀ, ବିକ୍ରମାଦିତ୍ୟ ଫେରାର ହୋଇ ପୁନେରେ ରହୁଥିଲା । ୨୦୧୭ରେ ତାଙ୍କ ମା’ଙ୍କ ଦେହ ଖରାପ ହୋଇଥିଲା । ତା’ପରଠାରୁ ସେ ତାଙ୍କ ପରିବାର ସହ ଯୋଗାଯୋଗରେ ଥିଲା । ସେ ପୁନେରେ ଜଣେ ଜିମ୍ ଟ୍ରେନ୍‌ର ଭାବେ କାର୍ଯ୍ୟ କରୁଥିଲା । ଏହି ସୂଚନା ପାଇବା ପରେ କମିଶନରେଟ୍ ପୋଲିସ ପକ୍ଷରୁ ଖୋଳତାଡ଼ ଆରମ୍ଭ କରାଯାଇଥିଲା ଓ ତାଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା । ଶେଷରେ ତାଙ୍କୁ ସ୍ପେଶାଲ ସ୍କ୍ୱାଡ୍‌ ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରୁ ଗିରଫ କରିଛି ।

ସୂଚନାଯୋଗ୍ୟ, ପୂର୍ବରୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ସହ ଆଉ ୩ ଜଣଙ୍କୁ ଗିରଫ କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତ ପୂର୍ବ ଶତ୍ରୁତାରୁ ସୁମନ୍ତଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲା । ସୁମନ୍ତ ସଂଗୀତ ମହାବିଦ୍ୟାଳୟର ଛାତ୍ର ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ମଧ୍ୟ ସେଠାରେ ପଢ଼ୁଥିଲେ । ତେବେ ସୁମନ୍ତଙ୍କ ଅଭିଯୋଗ କ୍ରମେ ତାଙ୍କୁ କଲେଜରୁ ବହିଷ୍କାର କରାଯାଇଥିଲା । ସେହି ରାଗରୁ ସେ ସୁମନ୍ତଙ୍କୁ ହତ୍ୟା କରିଥିଲେ । ଅଭିଯୁକ୍ତମାନେ ସୁମନ୍ତଙ୍କୁ ହତ୍ୟା କରି ତାଙ୍କ କାରରେ ଭର୍ତ୍ତି କରି ଚକେଇଶିଆଣୀ କେନାଲରେ ଛାଡ଼ି ଦେଇଥିଲେ ।

Leave A Reply

Your email address will not be published.