କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ନିଜର ଘୋଷଣା ପତ୍ର ଜାରି କରିଛି ତୃଣମୂଳ କଂଗ୍ରେସ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗାମୀ ନିର୍ବାଚନ ପାଇଁ ଇସ୍ତାହାର ଉନ୍ମୋଚନ କରିଛନ୍ତି । ଇସ୍ତାହାରରେ ବର୍ଷକ ମଧ୍ୟରେ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପ୍ରତିଶ୍ରୁତି ଦେଇଛି ଟିଏମସି । ସେହିପରି ୬୮ ଲକ୍ଷ ଚାଷୀଙ୍କୁ ସହାୟତା ମିଳିବ ବୋଲି ଘୋଷଣା କରିଛି ଟିଏମସି ।
ଘୋଷଣା ପତ୍ରରେ ମମତା କହିଛନ୍ତି, ତୃଣମୂଳ କଂଗ୍ରେସ ଲୋକଙ୍କୁ ରୋଜଗାର ଦେଇଛି । ମୁଁ ବଙ୍ଗର ଝିଅ, ଆଉ ଏହି ଘୋଷଣା ପତ୍ର ମା’, ମାଟି, ମାନୁଷ ପାଇଁ ବୋଲି କହିଛନ୍ତି ଦିଦି । ଏଥିସହ ନିଜ ଘୋଷଣା ପତ୍ରରେ ମେ ମାସରୁ ବିଧବା ମହିଳାଙ୍କ ପାଇଁ ୧ ହଜାର ଟଙ୍କା ଲେଖାଏଁ ଦେବାକୁ ପ୍ରତିଶ୍ରୁତି ଦେଇଛି ଟିଏମସି । ଟିଏମସି କ୍ଷମତାକୁ ଆସିଲେ ଲୋକଙ୍କୁ ମାଗଣାରେ ରାସନ ଦିଆଯିବ । ଏହାସହ ଗରିବଙ୍କୁ ବାର୍ଷିକ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ। ଏହି ଯୋଜନା ଅଧୀନରେ ସାଧାରଣ ଜାତି ହିତାଧିକାରୀମାନେ ବାର୍ଷିକ ୬,୦୦୦ ଟଙ୍କା ଆର୍ଥିକ ସହାୟତା ପାଇବେ । ସେହିପରି ଅନୁସୂଚିତ ଜାତି ବର୍ଗଙ୍କୁ ବାର୍ଷିକ ୧୨ ହଜାର ଟଙ୍କା ଯୋଗାଇ ଦିଆଯିବ । ତାଛଡ଼ା ଛାତ୍ରଙ୍କ ପାଇଁ କ୍ରେଡିଟ୍ କାର୍ଡର ବ୍ୟବସ୍ଥା କରାଯିବ ବୋଲି ଇସ୍ତାହାରରେ ଘୋଷଣା କରିଛନ୍ତି ମମତା ବାନାର୍ଜୀ ।
Comments are closed.