Latest Odisha News

BREAKING NEWS

ପରିସଂଖ୍ୟାନ ମାୟାଜାଲରେ ଶିକ୍ଷାବ୍ୟବସ୍ଥା

କରୋନା ମହାମାରୀ ଯୋଗୁଁ ସବୁ ବର୍ଗର ଲୋକମାନେ ବିପର୍ଯ୍ୟସ୍ତ ହୋଇପଡ଼ିଛନ୍ତି । ଏପରିକି ଦେଶର ଭବିଷ୍ୟତ କୁହାଯାଉଥିବା ଛାତ୍ରଛାତ୍ରୀମାନେ ନିଜର ପାଠପଢ଼ା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । କିନ୍ତୁ କରୋନା ସମୟରେ କୌଣସି ବିଦ୍ୟାର୍ଥୀ ଅନଲାଇନ ଶିକ୍ଷାଦାନରୁ ବଞ୍ଚିତ ହୋଇନାହାନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡ଼କର ଲୋକସଭାରେ କହିଛନ୍ତି । ଏପରିକି ଯେଉଁ ଅଞ୍ଚଳରେ ଇଣ୍ଟରନେଟ୍‍ର ବ୍ୟବସ୍ଥା ନ ଥିଲା ସେଠାରେ ଚାଟଶାଳୀ ମାଧ୍ୟମରେ ଶିକ୍ଷାଦାନ କରାଯାଇଛି ବୋଲି ମନ୍ତ୍ରୀ ବିବୃତି ଦେଇଛନ୍ତି ।

କିନ୍ତୁ ମନ୍ତ୍ରୀଙ୍କ ଏହି ବିବୃତି ସତ କି ମିଛି ବେସରକାରୀ ସଂଗଠନ ଅକ୍ସଫାମ୍‍ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟକୁ ଦେଖିଲେ ସହଜରେ ଜଣାପଡୁଛି । ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର ଓ ଉତ୍ତରପ୍ରଦେଶକୁ ନେଇ ଅକ୍ସଫାମ୍‍ ଇଣ୍ଡିଆ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟ ଅନୁସାରେ କରୋନା କାଳରେ ଲାଗୁ କରାଯାଇଥିବା ଲକ୍ ଡାଉନ ଯୋଗୁଁ ୮୦ ପ୍ରତିଶତ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା ପ୍ରଦାନ କରାଯାଇପାରି ନାହିଁ । ଏହି ୫ଟି ରାଜ୍ୟର ୮୦ ପ୍ରତିଶତ ପିତାମାତାଙ୍କ ବୟାନ ଅନୁସାରେ ଲକ୍ ଡାଉନ ସମୟରେ ସେମାନଙ୍କ ପିଲାମାନଙ୍କୁ ଶିକ୍ଷାଦାନ କରାଯାଇନାହିଁ । ଏପରିକି ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପାଠ୍ୟପୁସ୍ତକ ମିଳିନାହିଁ । ଏଭଳି ପରିସ୍ଥିତିରେ ବିଦ୍ୟାର୍ଥୀମାନେ କିପରି ପାଠପଢ଼ିବେ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି । ଏପରିକି କେଉଁ ଉପାୟରେ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷାଦାନ ଦିଆଯିବ ପରିବାରର ଅଭିଭାବକମାନେ ଜାଣି ନ ଥିଲେ ବୋଲି ଦର୍ଶାଇଛନ୍ତି । ଅକ୍ସଫାମ୍‍ ଇଣ୍ଡିଆର ରିପୋର୍ଟ ଅନୁସାରେ କରୋନା ସମୟରେ ସରକାରୀ ଶିକ୍ଷାଦାନ ବ୍ୟବସ୍ଥାରେ ଡିଜିଟାଲ ଉପକରଣର ଅଭାବ ସହିତ ପାଠ୍ୟପୁସ୍ତକ ନ ମିଳିବା କାରଣରୁ ଗୁଣାତ୍ମକ ଶିକ୍ଷା ପାଇବା ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି ।

ଋିପୋର୍ଟ ଅନୁସାରେ କରୋନା ମହାମାରୀ ଯୋଗୁଁ ଲକ୍ ଡାଉନ ସମୟରେ କେବଳ ସରକାରୀ ସ୍କୁଲ ନୁହେଁ ବେସରକାରୀ ସ୍କୁଲଗୁଡ଼ିକରେ ମଧ୍ୟ ଶିକ୍ଷାଦାନ ପ୍ରକ୍ରିୟା ଆଦୌ ଉତ୍ସାହଜନକ ନ ଥିଲା । ସର୍ଭେରେ ଭାଗ ନେଇଥିବା ଲୋକମାନଙ୍କ ମତାମତ ଅନୁସାରେ ମାତ୍ର ୪୧ ପ୍ରତିଶତ ବିଦ୍ୟାର୍ଥୀ ଶିକ୍ଷାଦାନର ସୁବିଧା ପାଇଥିବାବେଳେ ବାକି ୫୯ ପ୍ରତିଶତ ବିଦ୍ୟାର୍ଥୀ ଏହି ସମୟରେ ଶିକ୍ଷାଦାନରୁ ବଞ୍ଚିତ ହୋଇଛନ୍ତି । ଯେଉଁ ବିଦ୍ୟାର୍ଥୀମାନେ ଡିଜିଟାଲ ମାଧ୍ୟମରେ ଶିକ୍ଷାଲାଭ କରିବାକୁ ସକ୍ଷମ ହୋଇଥିଲେ ସେମାନଙ୍କ ମଧ୍ୟରୁ ୮୨ ପ୍ରତିଶତ ଦୁର୍ବଳ ଇଣ୍ଟରନେଟ୍‍ ବ୍ୟବସ୍ଥାକୁ ସବୁଠାରୁ ବଡ଼ ପ୍ରତିବନ୍ଧକ ବୋଲି ମତ ଦେଇଛନ୍ତି । ଦେଶର ଗ୍ରାମାଞ୍ଚଳରେ ବସବାସ କରୁଥିବା ପରିବାର ମଧ୍ୟରୁ ମାତ୍ର ୧୫ ପ୍ରତିଶତଙ୍କ ଇଣ୍ଟରନେଟର ସୁବିଧା ଥିବାରୁ ବାକି ୮୫ ପ୍ରତିଶତ ପରିବାରର ବିଦ୍ୟାର୍ଥୀମାନେ ଡିଜିଟାଲ ପ୍ରକ୍ରିୟାରେ ସରକାରଙ୍କ ମୌଳିକ ଶିକ୍ଷାଦାନରୁ ବଞ୍ଚିତ ହୋଇଛନ୍ତି । କିନ୍ତୁ ସରକାରଙ୍କ ତଥ୍ୟ ଅନୁସାରେ ଏହାର ବିପରୀତ କଥା କୁହାଯାଇଛି । ସରକାରଙ୍କ ତଥ୍ୟରେ ଦଳିତ, ଜନଜାତି, ମୁସଲମାନ ପରି ଦଳିତ ସାମାଜିକ ଗୋଷ୍ଠୀ ମଧ୍ୟରେ ଥିବା ବହୁତ କମ୍‍ ଲୋକମାନଙ୍କ ପାଖରେ ଇଣ୍ଟରନେଟର ବ୍ୟବସ୍ଥା ନ ଥିବା ଦର୍ଶାଯାଇଛି । କିନ୍ତୁ ଅକ୍ସଫାମ୍‍ ଇଣ୍ଡିଆ ରିପୋର୍ଟ ଅନୁସାରେ ଦେଶର ଇଣ୍ଟରନେଟ୍‍ ବ୍ୟବହାରକାରୀଙ୍କ ମଧ୍ୟରୁ ମାତ୍ର ୨୯ ପ୍ରତିଶତ ମହିଳା ଅଛନ୍ତି ବୋଲି ଦର୍ଶାଯାଇଛି । ଏଥିରୁ ଅନୁମାନ କରାଯାଇପାରେ ଯେ ଗ୍ରାମାଞ୍ଚଳ ତଥା ଗରିବ ସୀମାରେଖା ତଳେ ଥିବା ବିଦ୍ୟାର୍ଥୀମାନେ କିପରି ସରକାରଙ୍କ ଡିଜିଟାଲ ଶିକ୍ଷାଦାନ ବ୍ୟବସ୍ଥାରୁ ଲାଭବାନ ହୋଇଥିବେ ।

ପ୍ରାଥମିକରୁ ମାଧ୍ୟମିକ ଶ୍ରେଣୀ ପର୍ଯ୍ୟନ୍ତ ୨୮କୋଟି ୬୦ ଲକ୍ଷ ବିଦ୍ୟାର୍ଥୀଙ୍କର ପାଠପଢ଼ା କରୋନା ମହାମାରୀ ଜନିତ ଲକ୍ ଡାଉନ ଯୋଗୁଁ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା । ଏଥିରେ ୪୯ ପ୍ରତିଶତ ଛାତ୍ରୀ ଅଛନ୍ତି । ମହାମାରୀ ପୂର୍ବରୁ ୬୦ ବିଦ୍ୟାର୍ଥୀ ପାଠପଢ଼ା ଛାଡ଼ି ଦେଇଥିବା ୨୦୨୦ ସେପ୍ଟେମ୍ବର ମାସରେ ପ୍ରକାଶିତ ୟୁନିସେଫ୍‍ ରିପୋର୍ଟରୁ ଜଣାପଡ଼ିଛି । ସାମାଜିକ ଦୁର୍ବଳ ଗୋଷ୍ଠୀଭାବେ ପରିଚିତ ବାଳିକା, ଭିନ୍ନକ୍ଷମ ପିଲା, ପ୍ରବାସୀ ଶିଶୁ ଓ ଅସୁରକ୍ଷିତ ଗୋଷ୍ଠୀର ପିଲାମାନେ ଭଲ ଅଞ୍ଚଳରେ ରହୁଥିଲେ ମଧ୍ୟ ସାମାଜିକ ପ୍ରତିବନ୍ଧକ ହେତୁ ଏହି ସମୟରେ ଶିକ୍ଷାଦାନରୁ ବଞ୍ଚିତ ହୋଇଥିବା ୟୁନିସେଫ୍‍ ରିପୋର୍ଟରେ କୁହାଯାଇଛି ।

ଭାରତ ସରକାର ‘ଦିକ୍ଷା ପୋର୍ଟାଲ’, ‘ଷ୍ଟଡି ୱେବ୍‍ ୟଙ୍ଗ ଆକ୍ଟିଭ ମାଇଣ୍ଡସ୍‍(ସ୍ୱୟମ)’, ‘ଓପନ ଏଜୁକେସନ ରିସୋର୍ସ’ ସମେତ ଅନେକ ଡିଜିଟାଲ ପ୍ଳାଟଫର୍ମ ଜରିଆରେ ଦେଶର ଗ୍ରାମାଞ୍ଚଳରେ ଥିବା ବିଦ୍ୟାର୍ଥୀମାନଙ୍କ ନିକଟରେ ଶିକ୍ଷା ପହଞ୍ଚାଇବା ପାଇଁ ଗୁରୁତ୍ୱ ଦେଇଛନ୍ତି । କିନ୍ତୁ ୟୁନେସ୍କୋର ପ୍ରାଥମିକ ରିପୋର୍ଟ ଅନୁସାରେ ଭାରତରେ ୩୨ କୋଟିରୁ ଅଧିକ ଛାତ୍ରଛାତ୍ରୀ କରୋନା ମହାମାରୀ ଯୋଗୁଁ ଲଗାଯାଇଥିବା ଲକ୍ଡାସଉନ ଯୋଗୁଁ ପ୍ରଭାବିତ ହୋଇଛନ୍ତି । ଏପରିକି ୧୯୧ଟି ଦେଶର ୯୧ ପ୍ରତିଶତ ବିଦ୍ୟାର୍ଥୀ କରୋନା ମହାମାରୀ ଲକ୍ଡାଇଉନ ଯୋଗୁଁ ପାଠପଢ଼ାରୁ ବଞ୍ଚିତ ହୋଇଥିବା ୟୁନେସ୍କୋ ରିପୋର୍ଟରେ ଦର୍ଶଯାଇଛି ।

ଏଭଳି କ୍ଷେତ୍ରରେ କରୋନା ମହାମାରୀ ସମୟରେ ବିଦ୍ୟାର୍ଥୀମାନଙ୍କର ଶିକ୍ଷାଦାନ ନେଇ କିଏ ସତ କହୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Comments are closed.