Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ : କରୋନା କାଳରେ ଶେଷ ବିକଳ୍ପ ହେଉ ଲକଡାଉନ୍

ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ, ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବୋଧନ ମାଧ୍ୟମରେ ଲୋକଙ୍କ ଜୀବନ ଜୀବିକାକୁ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଲକଡାଉନ କରୋନା ମୁକାବିଲାର ଶେଷ ଅସ୍ତ୍ର ହେଉ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନକୁ ତରବରିଆ ଭାବେ ଲାଗୁ ନକରିବାକୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

କରୋନାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ତେଣୁ ଏଭଳି ଏକ କଠିନ ପରିସ୍ଥିତିରେ ଦେଶବାଶୀ ଧୈର୍ଯ୍ୟ ନ ହରାଇ ମିଳିମିଶି ଲଢ଼େଇ କରିବାକୁ ପଡ଼ିବ । ଦିନକୁ ଦିନ ସଂକ୍ରମଣ ବଢୁଥିବା ବେଳେ, ଅମ୍ଳଜାନ ଅଭାବ ପାଇଁ କେନ୍ଦ୍ର ସରକାର ରାଜ୍ୟ ଏବଂ ବିଭିନ୍ନ ଘରୋଇ ସଂସ୍ଥା ସହ ମିଶି କାମ କରୁଛନ୍ତି । ମେଡିକାଲ ଭିତ୍ତିଭୂମିକୁ ନେଇ ଥିବା ସମସ୍ୟା ମଧ୍ୟ ଖୁବଶୀଘ୍ର ଦୂର ହେବ । ରାଜ୍ୟରେ ନୂଆ ଅମ୍ଳଜାନ ପ୍ଲାଣ୍ଟ ପ୍ରତିଷ୍ଠା ଠାରୁ ଆରମ୍ଭ କରି ସବୁ ପ୍ରକାରର ବ୍ୟବସ୍ଥା ଆପଣା ଯାଉଛି। କରୋନା ସଂକ୍ରମଣ ବଢ଼ିବାରୁ ଔଷଧ ଉତ୍ପାଦନ ବୃଦ୍ଧି ପାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସେହିପରି ପ୍ରବାସୀମାନେ ନିଜ ରାଜ୍ୟକୁ ନଫେରି ଯେଉଁଠି ଅଛନ୍ତି, ସେଠାରେ ରହିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରମାନେ ନିଜ ନିଜ ଅଞ୍ଚଳରେ କାମ କରୁଥିବା ବାହାର ରାଜ୍ୟର ଶ୍ରମିକଙ୍କୁ ସମସ୍ତ ପ୍ରକାରର ସହଯୋଗ କରିବାକୁ ଆହ୍ବାନ କରିଛନ୍ତି ମୋଦି । ସେହିପରି କରୋନା ଟିକା ପ୍ରସ୍ତୁତ କରିବାରେ ଭାରତ ବିଶ୍ବରେ ଅଗ୍ରଣୀ ରହିଛି । ଭାରତରେ ସବୁଠୁ କମ୍ ଦାମରେ କରୋନା ଟିକା ମିଳୁଛି । ଆସନ୍ତା ମେ ୧ ତାରିଖରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ । ତେଣୁ କରୋନା ଭଳି ସାଂଘାତିକ ସ୍ଥିତିରେ ବ୍ୟସ୍ତ ବିବ୍ରତ ନହୋଇ ମିଳିମିଶି ଏହାର ମୁକାବିଲା କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

କୋଭିଡ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ସ୍ବଚ୍ଛତାକୁ ବଜାୟ ରଖିବାକୁ ପଡ଼ିବ । କରୋନା ଭଳି ସ୍ଥିତିରେ ରାଜ୍ୟ ସରକାରମାନେ ବ୍ୟସ୍ତ ବିବ୍ରତ ନହୋଇ ଏହାର ମୁକାବିଲା କରିବା ସହ ଲକଡାଉନକୁ ଅନ୍ତିମ ବିକଳ୍ପ ଭାବେ ବାଛନ୍ତୁ । ମାଇକ୍ରୋ କଣ୍ଟେନମେଣ୍ଟକୁ ଅଧିକ ଗୁରୁତ୍ୱ ଦିଅନ୍ତୁ । ଜୀବନ ଜୀବିକ ସହ ଅର୍ଥନୀତିକୁ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ । ତେଣୁ ରାଜ୍ୟ ସରକାରମାନେ ଲକଡାଉନ ଲାଗୁ କରିବା ପୂର୍ବରୁ ଏସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.