Latest Odisha News

ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଆଡ଼କୁ ସମସ୍ୟାରୁ ସମ୍ଭାବନା ଆଡ଼କୁ କବିତାର ଯାତ୍ରା : ଚିନ୍ମୟ ବିବେକ

ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତ ବ୍ୟକ୍ତିତ୍ୱ ଚିନ୍ମୟ ବିବେକ । କବିତା , ଗଳ୍ପ ଓ ପ୍ରବନ୍ଧ ରଚନା , ପତ୍ରିକା ସମ୍ପାଦନା ଓ ସମାଜ ସେବା ପ୍ରତିଟି କ୍ଷେତ୍ରରେ ସେ ଖୁବ ପାରଙ୍ଗମ । ତାଙ୍କର ରଚିତ ପ୍ରତିଟି  ରଚନାରେ ଝରେ ବିଦ୍ରୋହର ସ୍ୱର,  ପୁଣି ସମାନତାର ରାଗ  ।  ନିଜ ଜନ୍ମମାଟିର ପ୍ରତିଟି ଅଣୁକଣାରେ ଅନୁପ୍ରାଣିତ ତାଙ୍କ ସାହିତ୍ୟ ସୃଷ୍ଟି, ଚିରସ୍ରୋତା ନଈଟେ ପରି ସର୍ବଦା ଚଳଚଞ୍ଚଳ ।

ପୂର୍ଣ୍ଣପାଦ , ଚିତ୍ରରେଖା , ଶୁଣ ମଣି , ରସସୂକ୍ତ ଓ ଆରତ ସୁରେ ଆଦି ପୁସ୍ତକର ସେ କାଳଜୟୀ ସ୍ରଷ୍ଟା ।ଏହାସହ ସିଂହଦ୍ୱାର ପତ୍ରିକାର ସେ ସମ୍ପାଦକ ।

ତାଙ୍କର ଅନବଦ୍ୟ ସାହିତ୍ୟ ସାଧନା ପାଇଁ ସେ ଅଭିନନ୍ଦନୀକା ସମ୍ମାନ , ଶ୍ରୀକ୍ଷେତ୍ରଶ୍ରୀ ସମ୍ମାନ , ଶ୍ରୀକ୍ଷେତ୍ର ଲେଖକ ସାମ୍ମୁଖ୍ୟ ସମ୍ମାନ , ପ୍ରିୟପତ୍ର ସମ୍ମାନ , ସମାରୋହ ପୁରସ୍କାର ଓ ସମ୍ମାନ , ଯୋଡ଼ାଲିଙ୍ଗ ସାହିତ୍ୟ ସମ୍ମାନ , କବି ସମ୍ରାଟ ସାହିତ୍ୟ ସଂସଦ ସମ୍ମାନ , ଆନନ୍ଦପୁର ସାହିତ୍ୟ ସମ୍ମାନ ସହ ଆହୁରି ଅନେକ ଅନୁଷ୍ଠାନରୁ ସେ ସମ୍ମାନିତ ଓ ସମ୍ବର୍ଦ୍ଧିତ ।

ଲେଖକ ଚିନ୍ମୟ ବିବେକଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ ।

୧) ବଡ଼ ପଲ୍ଲୀ ଭଳି ଗ୍ରାମାଞ୍ଚଳରୁ ଆପଣଙ୍କ କବିତାର ଯାତ୍ରା ସମ୍ଭବ ହେଲା କିପରି ?

ଉତ୍ତର : ପୁରୀ ସଦର ବ୍ଲକର ଏହା ଏକ ସୀମାନ୍ତ ପଞ୍ଚାୟତ ବାଲିପୁଟର ନିପଟ ମଫସଲ ଗାଁ । ଏହାର ଚାରିପଟେ ଭାର୍ଗବୀ, କୁଶଭଦ୍ରା, ଧନୁଆ ଓ ଏଗୁଡ଼ିକର ଉଦଗତ ଜଳ ନିଷ୍କାସନ ପଥ ଯଥା ସିଆର୍ କଟ ଓ ଗବକୁଣ୍ଡ କଟ ଯାହାକି ଭିନ୍ନ ଭିନ୍ନ ସ୍ଥାନ ଦେଇ ସରହ୍ରଦର ନୂଆନଈରେ ପଡିଛନ୍ତି। ଅର୍ଥାତ୍ ଆମର ଅବିଭକ୍ତ ବାଲିପୁଟ ପଞ୍ଚାୟତ ଚାରିପଟୁ ଉକ୍ତ ନଈ ଗୁଡ଼ିକ ଦ୍ଵାରା ଆବଦ୍ଧ। ଜୁନ୍ ଅଧ ତଥା ରଜ ପରଠାରୁ ଚତୁର୍ମାସ୍ୟା ଆରମ୍ଭ ହୋଇଯାଏ। ଏହି ସମୟରେ ମଫସଲର ଦୁଇଟି ପ୍ରମୁଖ ଗମନାଗମନ ବ୍ୟବସ୍ଥା,ଗୋଟିଏ ସାଇକେଲ ଓ ଅନ୍ୟଟି ହେଲା ଶଗଡ଼। ଏଗୁଡ଼ିକ ମଧ୍ୟ ସମସ୍ତଙ୍କ ଘରେ ନଥିଲା। ଯାହା ଘରେ ଏସବୁ ଥିଲା , ସେମାନେ ଏଗୁଡ଼ିକୁ ଧୁଆପୋଛା କରି ତେଲ ଲଗେଇ ପାଣି ପଡୁନଥିବା ଜାଗାରେ ଘୋଡେ଼ଇ ରଖୁଥିଲେ। ଚାଷକାମ ଛଡ଼ା ଅନ୍ୟ କୌଣସି ଗମନାଗମନ ହୋଇପାରେ ନାହିଁ। ଯୁଆଡେ ଯିବ ଆଣ୍ଠୁଏ ପଙ୍କ। ଅତଏବ ସେତେବେଳେ ବନ୍ଧୁବାନ୍ଧବ ଘର ଗଲେ ସେହିଦିନ ଆଉ ଫେରିବା ସମ୍ଭବ ହୁଏନା।କୁଣିଆ ମୈତ୍ରଙ୍କୁ ସେତେବେଳେ ପାଣିଢାଳରେ ପାଦ ଧୁଆ ଯାଉଥିଲା। ଶକ୍ତି ମୁତାବକ ଖାଦ୍ୟପେୟ ,ପାନ, ବିଡି, ଗୁଡ଼ାଖୁ ଇତ୍ୟାଦି ଦେଇ ସେମାନଙ୍କର ସେବା କରାଯାଉଥିଲା। ତେଣୁ ଅତିଥିମାନେ ପ୍ରକୃତ ଆଦର, ସେବା, ଯତ୍ନ ଓ ସମ୍ମାନ ପାଉଥିଲେ, ଯାହା ଏବେ ବିରଳ। ସେତେବେଳ ରୋଗୀ ବୋଇଲେ ଝାଡା ରୋଗୀ ଓ ଅନ୍ତଃସତ୍ତ୍ୱା ମହିଳାଙ୍କ ପ୍ରସବ ଜନିତ ସମସ୍ୟା। ଉପଯୁକ୍ତ ଚିକିତ୍ସା ସେବା ଅଭାବରୁ ଆମ୍ଭ ଗ୍ରାମ ସହିତ ଅନ୍ୟାନ୍ୟ ନିକଟବର୍ତ୍ତୀ ଗ୍ରାମଗୁଡିକର ଅନେକ ଗର୍ଭବତୀ ମହିଳା ଅକାଳରେ ମଶାଣୀରେ ଲୋଟି ପଡ଼ିଛନ୍ତି। ମୃତ୍ୟୁ ଅନ୍ତେ ସେମାନଙ୍କୁ ଆମେ ପିତାଶୁଣୀ ବୋଲି କହୁଥିଲୁ। ଖରାଦିନ ଦ୍ବିପ୍ରହରରେ ବା ସଞ୍ଜବେଳେ ସେଇ ମଶାଣୀ ବାଟ ଦେଇ ଯିବା ଆସିବାକୁ ଅନେକ ଭୟ କରୁଥିଲେ। ମହିଳା ମାନଙ୍କର ଏଭଳି ଅସମୟରେ ଯନ୍ତ୍ରଣାଦାୟକ ମୃତ୍ୟୁ ମତେ ମାନସିକ ଭାବେ ବିଚଳିତ କରିଥିଲା। ଯାହା ପରବର୍ତ୍ତୀ ସମୟରେ ମୋ କବିତାରେ ରୂପାୟିତ ହୋଇଛି। ବର୍ଷାଦିନେ ଏହି ଅଞ୍ଚଳ ଜିଲ୍ଲା ସଦର ମହକୁମା ଠାରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ରହେ।୧୦/୧୨ କିମି.ଚାଲି ଚାଲି ଗଲେ ଛଇତନା ବା ଯାଉଁଳି ପୋଖରୀ ଠାରେ ବସକୁ ଅପେକ୍ଷା କରିବାକୁ ପଡେ। ବସ୍ ଯଦି ଚାଲି ଯାଇଥାଏ,ତେବେ ଅନେକ ସମୟ ଅପେକ୍ଷା କରିବାକୁ ପଡେ ନତୁବା ପୁନଶ୍ଚ ଫେରିଯିବାକୁ ପଡ଼େ ଗାଁକୁ,ନଈ ପାରି ହୋଇ।ଏହା ହେଉଛି ଆମ ଅଞ୍ଚଳର ତତ୍କାଳୀନ ଗମନାଗମନ ଓ ସ୍ଵାସ୍ଥ୍ୟ ସମ୍ବନ୍ଧିତ ଦୁରାବସ୍ଥାର ସମ୍ୟକ ପ୍ରତିବେଦନ।

ଦୁର୍ଗାପୂଜା ପରେ ପରେ ପାଗ ଟିକେ ଶୁଖିଲା ହେଲା ପରେ ଗାଁ ଗାଁରେ ବିଭିନ୍ନ ନାଟ ତାମସା ଯଥା – ଡ୍ରାମା, କେଳାକେଲୁଣୀ ,ଦାସକାଠିଆ,ପାଲା,ଘୋଡାନାଚ, ମେଳା ଗୁଡ଼ିକର ଯାତ୍ରା ସଙ୍କୀର୍ତ୍ତନ ଓ କଣ୍ଢେଇ ନାଚ,ଦୋଳଗୁଡ଼ିକର ସାଜସଜ୍ଜା, ବାଣଫୁଟା ପ୍ରଭୃତି ପରିବେଷିତ ହୁଏ। ଦୋଳପୁନିଅଁ ଠାରୁ ଗାଆଁଦୋଳ ବିମାନ ବିଭିନ୍ନ ମେଲଣକୁ ନିମନ୍ତ୍ରଣ ପାଇ ଯାଇଥାନ୍ତି। ଗାଆଁର ପ୍ରାୟ ପ୍ରତ୍ୟେକ ଘରୁ ଅତି କମରେ ଜଣେ ଲେଖାଏଁ ବ୍ୟକ୍ତି ଏହି ଦୋଳ ବିମାନ ସହିତ ଯାଇ ଖୁସିରେ ସାମିଲ ହୁଅନ୍ତି। ଦୋଳ ସହିତ ଆମ ଗାଁର ସଙ୍କୀର୍ତ୍ତନ ମଣ୍ଡଳୀ ବି ଯାଏ। ବାପା ସେ ସମୟର ଜଣେ ପ୍ରସିଦ୍ଧ ସଙ୍କୀର୍ତ୍ତନ ଗାୟକ ହୋଇଥିବାରୁ ମତେ ମଧ୍ୟ ତାଙ୍କ ସହିତ ମେଲଣ ବୁଲି ଯିବାର ଏକ ବାହାନା ମିଳିଯାଏ। ବେଲୁନ୍ ମୋର ଭାରି ପ୍ରିୟ। ମେଲଣ ପଡ଼ିଆରେ ବିଭିନ୍ନ ମିଠା ଦୋକାନ,କାଗଜ ଓ ପ୍ଲାଷ୍ଟିକ ଖେଳଣା ଦୋକାନ,ମନୋହରୀ ଦୋକାନ ଗୁଡିକରେ ସଜ୍ଜିତ ବିଭିନ୍ନ ରଙ୍ଗବେରଙ୍ଗର ଜିନିଷ ଦେଖିଦେଖି ମନ ଭରିଯାଏ।ବିଭିନ୍ନ ବର୍ଗ ଓ ବୟସର ଲୋକଙ୍କୁ ନାନା ବେଶଭୂଷାରେ ଦେଖି ଜୀବନର ବୈଚିତ୍ର୍ୟକୁ ଉପଭୋଗ କରିହୁଏ। ଏଗୁଡ଼ିକ ସହିତ ଗ୍ରାମ୍ୟ ଜୀବନର ସରଳ ନିରୀହତା, ଦାରିଦ୍ର୍ୟ ଓ ଆତ୍ମୀୟତା ଅନେକ ଭାବରେ ପ୍ରଭାବିତ କରିଛନ୍ତି ମତେ। ପିଲାଦିନର ସେଇ ରହସ୍ୟମୟ ସମୟରେ ଗ୍ରାମରେ ଅବସ୍ଥାପିତ କେତୋଟି ନିରନ୍ନ ପରିବାରର ଆର୍ଥିକ ଦୂରାବସ୍ଥା ମୋର ଆଦ୍ୟ କୈଶୋର ମନରେ ଗଭୀର କ୍ଷତ ସୃଷ୍ଟି କରିଥିଲା। ସେମାନେ ମୂଲ ଖଟି ଯେତିକି ଧାନ ଚାଉଳ ପାରିଶ୍ରମିକ ବାବଦକୁ ପାଉଥିଲେ ତାହା ସେମାନଙ୍କର ସର୍ବନିମ୍ନ ଆର୍ଥିକ ଆବଶ୍ୟକତା ପୂରଣ କରିପାରୁନଥିଲା।ସେତେବେଳେ ଚାଉଳ ଥିଲା ଥିଲାବାଲାଙ୍କ ଖାଦ୍ୟ। ନାହିଆ, ମାଣ୍ଡିଆ ଜାଉ ଖାଉଥିବା ଲୋକଗୁଡ଼ାକ ସତେ ଯେମିତି ଇତର ସମ୍ପ୍ରଦାୟର।ଏହି ଖାଦ୍ୟ ବିଭେଦ ଜନିତ ସ୍ତର ନିର୍ଦ୍ଧାରଣ ମତେ ସେଇ କଞ୍ଚା ବୟସରୁ ଖୁବ୍ ବିଚଳିତ କରୁଥିଲା।ମୋ ଭିତରେ ସାମାଜିକ ବିସଙ୍ଗତି ବିରୁଦ୍ଧରେ ଏକ ତୀବ୍ର ଅଥଚ ନରମ ସ୍ୱର ମୁଣ୍ଡ ଟେକୁଥିଲା।

ସେତେବେଳର ମାଟି ଥିଲା ସୁଜଳା ସୁଫଳା। ନଦୀ ସଂଲଗ୍ନ ପଟୁ ପୋଷିତ ଉର୍ବର ଜମିରେ ଫଳୁଥିଲା ନାନା କିସମର ପରିବା, ଆଖୁ, ତୈଳବୀଜ।ଚାଷ ଥିଲା ଗ୍ରାମୀଣ ଜୀବନର ଭୂମି ପର୍ବ।ପିଲାଦିନେ ହଳ ପଛେ ପଛେ  ଧାଇଁବା, ଖତ ବୁହା ଶଗଡ଼ ଗାଡ଼ିରେ ଓଦର ଭିତରେ ବସି ଘରକୁ ଫେରିବା, ନଈ କୂଳେ କୂଳେ ତାଟ ଶଗଡ଼ରେ ବଳଦଙ୍କ ବେକରେ ନିନାଦିତ ଘାଗୁଡ଼ି ଶବ୍ଦ ଭିତରେ ଚନ୍ଦ୍ର ବିଧୌତ ରଜନୀର ରହସ୍ୟ ଯାତ୍ରା ସତେ ଯେମିତି ପରୀ ରାଇଜ କାହାଣୀର କଥା। ସବୁଠୁ ସୁଖକର ଥିଲା ହିଡମୁଣ୍ଡରେ ବାପାଙ୍କ ସହିତ ପଖାଳ ଖିଆ।

ସେ ସମୟରେ ଗାଆଁ ଥିଲା ଗଭୀର ମାନବୀୟ ଆନୁରାଗର କ୍ରୀଡା ଭୂମି।ଗାଆଁରେ ଜୀବନ ଥିଲା। ପ୍ରଚଳିତ ଗ୍ରାମ୍ୟ ସୁଲଭ ନୀତି ନିୟମରେ ବନ୍ଧା ଥିଲେ ଗ୍ରାମ୍ୟଜନ। ଗ୍ରାମସଭାରେ ସମାଧାନ ହେଉଥିଲା ଛୋଟମୋଟ କଳି-ତକରାଳ। ଗାଁରେ ତିମିରିତ ସନ୍ଧ୍ୟାରେ ଶୁଣାଯାଉଥିଲା ଭାଗବତ ଧାଡ଼ି।

ଚଉରା ମୂଳେ ଜୀବନ ମାଗୁଥିଲା ଲୁହବତୁରା ଆଖି ହଳେ। ଗୃହ ସଂଲଗ୍ନ ବାରଣ୍ଡା ଉପରୁ ନାତିକୁ ନୀତିବାଣୀ ଶୁଣାଉଥିଲା ବୁଢ଼ା ଲୋକ ଜଣେ। ସେତେବେଳେ ନାନା ମାନବୀୟ, ଦୈବୀକୃତ ସମସ୍ୟା ସତ୍ତ୍ୱେ ଜୀବନ ଥିଲା ଝରଣା ପରି ଚଞ୍ଚଳ ଓ ନିନାଦିତ। ୟା ସତ୍ତ୍ୱେ ଗାଆଁରେ ପ୍ରଚଳିତ ଥିଲା ନାନା ସାମାଜିକ କୁସଂସ୍କାର।ଜାତିଗତ ବିଭେଦ। ମେଳା ମଉଛବରେ ଅସବର୍ଣ୍ଣ ଲୋକମାନଙ୍କୁ ଏକପ୍ରକାର ବାସନ୍ଦ କରା ଯାଉଥିଲା। ସେମାନେ ଅଲଗା ପଙ୍ଗତରେ ବସୁଥିଲେ।ଘରକୁ ଆସିଲେ ସେମାନଙ୍କ ସ୍ଥାନ ଥିଲା ବାରଣ୍ଡା ଉପରେ କେଉଁ ଏକ ଅଣଆଡିଆ କୋଣ। ଏ ସବୁ କଥା ମୋ କୋମଳ ମନରେ ଗଭୀର ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।

ଏସବୁ ସତ୍ତ୍ୱେ ଗାଆଁରେ ଥିଲା ଏକ ସମୃଦ୍ଧ ଖେଳପ୍ରବଣ ପରିବେଶ। ବୁଦୁବୁଦିଆ ବଣ ଭିତରେ ଲୁଚକାଳି – ଡାଳମାଙ୍କୁଡ଼ି, ଧୂଳି ଧୂସରିତ କିଆ ଗୋହିରୀରେ କବାଡି, ବୋହୂଚୋରୀ,  ବାଟି , ଢାଉପୁଆ,  ଭାଗବତ ଘରେ ଲୁଡୁ, ତାସ , ପଶା ପୁଣି ଗୃହାଙ୍ଗନରେ ସାନ୍ଧ୍ୟକାଳୀନ ଧୂଳିଖେଳ ଜୀବନର ଆଦ୍ୟଭୂମିର ମଧୁର ସ୍ମୃତି ସବୁ।ଏହା ମୋ କବି ଜୀବନର ଆଦ୍ୟ ଭାବ ସଂଗ୍ରହ।

ସ୍କୁଲରେ ଶିକ୍ଷକମାନଙ୍କ ର ଉପଯୁକ୍ତ ଶିକ୍ଷାଦାନ,ସାହିତ୍ୟ ଓ କଳା ପ୍ରତି ସେମାନଙ୍କର ପ୍ରେରଣା,ଗ୍ରାମ୍ୟ ପରିବେଶର ପ୍ରଭାବ ଇତ୍ୟାଦି କବିତାର ଉନ୍ମେଷ ଦିଗରେ ଉପଯୁକ୍ତ ଭୂମି ଟିଏ ପ୍ରସ୍ତୁତ କରିଥିଲେ।

୨) ଆପଣଙ୍କ କବିତାରେ କ୍ଷୋଭ ଏବଂ କ୍ରୋଧ ତୀବ୍ର ହୋଇ ଫୁଟେ । ଏପରି କାହିଁକି ?

ଉତ୍ତର : ସେତେବେଳର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ,ଗମନାଗମନ ଶିକ୍ଷା, ବିଦ୍ୟୁତ୍ ଆଲୋକର ଅଭାବ, ଜନଜୀବନରେ ସଞ୍ଚରି ଯାଇଥିବା ଦାରିଦ୍ର୍ୟ, ଚାରିପଟରେ ଭୋକ ଉପାସର ଜୀବନ,ବିଭିନ୍ନ ସାମାଜିକ ଓ ପାରିବାରିକ ସମସ୍ୟା, ସରକାରୀ ଉଦାସୀନତା ମତେ ପ୍ରତିବାଦୀ ଭୂମିକାରେ ଠିଆ କରାଇଥିଲା। ମୋର ଠିକ୍ ହାଇସ୍କୁଲ ପଢ଼ା ସମୟରେ ଏକ ଜମିବାଡ଼ି ସମ୍ବନ୍ଧୀୟ ଗଣ୍ଡଗୋଳ ହେବାରୁ ଉଭୟ ଦେୱାନୀ ଓ ଫୌଜଦାରୀ କେଶ୍ ହେଲା। ଆମ୍ଭ ଗ୍ରାମର କିଛି ବ୍ୟକ୍ତି ସାମୟିକ ଫାଇଦା ଆଶାରେ ଆମ୍ଭର ଶତ୍ରୁ ଶିବିରରେ ଠିଆ ହେଲେ।ଏହି ମାମଲା ଦୀର୍ଘ ବର୍ଷ ଧରି ଗଡି ଚାଲିବା ଫଳରେ ଆମ୍ଭ ପରିବାର ଦାରୁଣ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଲା। ମୋ ନିଜର ଓ ତଳ ଭାଇଭଉଣୀଙ୍କ ପଢ଼ାପଢ଼ି ପାଇଁ ଗାଁରୁ କୌଣସି ଆର୍ଥିକ ସହାୟତା ମିଳିଲା ନାହିଁ। କେବଳ ଚାଉଳ କିଛି ଘରୁ ଆସୁଥିଲା। ଗଭୀର ଆର୍ଥିକ ଦୂରାବସ୍ଥା ଭିତରେ ମାଟ୍ରିକ ପାଶ କଲା ପରେ ନିଜେ ଟିୟୁସନ୍ କରି କଲେଜରେ ପଢ଼ିବା ସହ ତଳ ଭାଇ ଭଉଣୀଙ୍କୁ ଭଡାଘରେ ରଖି ସେମାନଙ୍କ ପଢାପଢିର ଦାୟିତ୍ଵ ନେବା ଭିତରେ ଜୀବନର କ୍ରୁର ବାସ୍ତବତାର ସମ୍ମୁଖୀନ ହେଲି। ଠିକ୍ ଏହି ସମୟରେ ନିଜ ବିବେକ ପ୍ରେରିତ ଉତ୍ସାହ ବଳରେ ଏକ ସାମାଜିକ ସଙ୍ଗଠନ ପ୍ରତିଷ୍ଠା କରି ଆମ ଅଞ୍ଚଳର ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନାଗମନର ବିକାଶ ନିମନ୍ତେ ଯୁବଗୋଷ୍ଠୀଙ୍କୁ ଏକତ୍ରିତ କରାଇଲି। ପରବର୍ତ୍ତୀ କାଳରେ ସେ ସମୟର ବରିଷ୍ଠ ସମାଜବାଦୀ ଜନନେତା ଶ୍ରୀ ବ୍ରଜକିଶୋର ତ୍ରିପାଠୀ ଏବଂ କବି ଓ ରାଜନେତା ଶ୍ରୀ ଶଙ୍କର ପରିଡ଼ାଙ୍କ ରାଜନୈତିକ ପୃଷ୍ଠପୋଷକତା ହେତୁ ଆମ ଅଞ୍ଚଳର ବହୁବିଧ ବିକାଶ ସାଧିତ ହୋଇପାରିଲା।

ନିଜର ଉଚ୍ଚଶିକ୍ଷା ଓ ଭାଇଭଉଣୀଙ୍କ ଶିକ୍ଷାର ଭାର, ସାମାଜିକ ପ୍ରଗତି ପାଇଁ ନିଜର ଅଙ୍ଗୀକାର ,ଆର୍ଥିକ ଅସ୍ଵଚ୍ଛଳତା, ଏବଂ ପାରିବାରିକ ବୋଝ , ଏସବୁ ପ୍ରତିକୂଳତା ମିଶି ମୋ ଭିତରେ ପ୍ରତିବାଦୀ ସାହିତ୍ୟର ଧାରାଟିଏ ପ୍ରବାହିତ କରାଇଥିଲେ। ଏଣୁ ଏହାର ଛାପ ମୋ କବିତାରେ ତୀବ୍ର ଭାବରେ ଫୁଟି ଉଠିଛି। ଏହା ମଧ୍ୟ ସ୍ଵାଭାବିକ ଯେ ଅଙ୍ଗେ ନିଭାଉଥିବା ସମୟର ଯାତନାକୁ ଏହା କିଛି ମାତ୍ରାରେ ଧରି ରଖିଛି।

 

୩) ଆପଣଙ୍କ ପାରିବାରିକ ଜୀବନ କବିତାକୁ କିପରି ପ୍ରୋତ୍ସାହିତ କରିଛି ?

ଉତ୍ତର : ମୁଁ ହିଁ ମୋର ପ୍ରେରଣା। ମତେ କେହି ପ୍ରାରମ୍ଭରୁ କବିତା ଲେଖିବାପାଇଁ ପ୍ରୋତ୍ସାହିତ କରିନଥିଲେ। ପରିବାରରେ ଅନେକ ଜାଣିନଥିଲେ ଯେ ମୁଁ କବିତା ଲେଖେ,ପତ୍ରିକା ସମ୍ପାଦନା କରେ। ବାପାଙ୍କ ସାନ୍ଧ୍ୟାରେ ଭାଗବତ ପଢ଼ା, ସଙ୍କୀର୍ତ୍ତନ ଓ ତାଙ୍କ ସହିତ ବିଭିନ୍ନ ମେଲଣକୁ ଯିବାଦ୍ୱାରା ଏହାର ପ୍ରଭାବ ମୋ ଉପରେ କିଛିମାତ୍ରାରେ ପଡ଼ିଛି। ୧୯୮୩ ମସିହା ଖରାଛୁଟିରେ ମୁଁ ଆମଘରେ ଥିବା ରାମାୟଣ ପଢ଼ା ଶେଷ କରିଥିଲି। ଭାବ ଓ ଭାଷା ଦୃଷ୍ଟିରୁ ଏହା ବହୁଭାବରେ ମତେ ଅନୁପ୍ରାଣିତ କରିଥିଲା। ବିବାହ ପରେ ପତ୍ନୀ ସୁଜାତାଙ୍କର ଉତ୍ତମ ସହଯୋଗିତା ଉଭୟ ସୃଜନାତ୍ମକ ଓ ସରକାରୀ କାର୍ଯ୍ୟ ସମ୍ପାଦନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଛି । କୁଟୁମ୍ବର ଜଣେ ଜେଜେଙ୍କର ଢଗଢମାଳି କହିବା ଏବଂ ଗାଆଁରେ ସବାରି ଦାସ ନାମକ ଜଣେ ବ୍ୟକ୍ତି ପୁରାଣ,ଭଞ୍ଜ – ମେହେର ଓ ରୀତିଯୁଗୀୟ ସାହିତ୍ୟକୁ ମୁହେଁ ମୁହେଁ ପ୍ରାଞ୍ଜଳ ଭାବେ କହିବା ମତେ ଚମତ୍କୃତ କରିଥିଲା।ସ୍କୁଲରେ ପଢିଲା ବେଳେ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଫାରକ ଥିଲେ ମୋର ଶିକ୍ଷକ। ଓଡ଼ିଆ ଭାଷା ସାହିତ୍ୟରେ ଥିଲା ତାଙ୍କର ଅଗାଢ ପାଣ୍ଡିତ୍ୟ। ଏକାଧାରରେ ସେ ଥିଲେ ଜଣେ ଭଲ ଗାୟକ ଏବଂ ଚିତ୍ର ଶିଳ୍ପୀ। ଶ୍ରେଣୀଗୃହରେ ମହାନ୍ କବି ଗୋପବନ୍ଧୁ ଦାଶଙ୍କ “ବନ୍ଦୀର ଆତ୍ମକଥା ” ପଢ଼ାଇଲା ବେଳେ ଆମେ ଭାବବିହ୍ୱଳ ହୋଇ ଶୁଣୁଥିଲୁ। ସତ୍ୟବାଦୀ ବନ ବିଦ୍ୟାଳୟର ଆଦର୍ଶ ଶିକ୍ଷା ଓ ସନ୍ନିବିଷ୍ଟ ସ୍ବପ୍ନ ବିଷୟରେ ଅତି ଭାବଗର୍ଭକ ବର୍ଣ୍ଣନା ଆମ୍ଭମାନଙ୍କ କିଶୋର ମନରେ ଗଭୀର ରେଖାପାତ କରିଥିଲା। ତାଙ୍କ ପିତା ନିଧି ଫାରକ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ। ତାଙ୍କ ମୁଖରୁ ସ୍ଵାଧୀନତା ପୂର୍ବବର୍ତ୍ତୀ ଜନଜୀବନ ଏବଂ ସଂଘର୍ଷର ଲୋମହର୍ଷକ କାହାଣୀ ସବୁ ଶୁଣି ଚକିତ ହେଉଥିଲୁ। ଏତତ୍ ଭିନ୍ନ ଗାଆଁର ବୟସ୍କ ବ୍ୟକ୍ତିମାନଙ୍କ ଠାରୁ ଶୁଣିଥିବା ବାଘ, ଗଧିଆ, ସାପ, ବିଭିନ୍ନ ଭୌତିକ, ଅତିଭୌତିକ କାହାଣୀମାନ ମୋ କିଶୋର ଜୀବନରେ ସାହିତ୍ୟ ପ୍ରତି ଏକ ଗଭୀର ଅନୁରାଗ ସୃଷ୍ଟି କରିବାରେ ସହାୟକ ହୋଇଥିଲା।

୪)ପୂର୍ଣ୍ଣପାଦରୁ ରସସୂକ୍ତ ଯାଏଁ ଆପଣଙ୍କ କବିତା କେଉଁ ଆଧାରରେ ଗତିଶୀଳ ?

ଉତ୍ତର : ମୋର ପ୍ରଥମ କବିତା ୧୯୮୩ ମସିହା ଖରାଛୁଟିରେ ଶିକ୍ଷାଶ୍ରୀ ନାମକ ପତ୍ରିକାରେ ପ୍ରକାଶ ପାଇଥାଏ। ମୁଁ ମାଟ୍ରିକ ପରୀକ୍ଷା ଦେଇ ଗାଆଁରେ ଛୁଟି କଟାଇବା ସମୟରେ ଡାକରେ ଏହାର କେତୋଟି କପି ପାଇ ନିଜକୁ ଧନ୍ୟ ମନେକଲି। ୨୦୦୩ ମସିହାରେ ମୋର ପ୍ରଥମ କବିତା ସଂକଳନ “ପୂର୍ଣ୍ଣପାଦ” ପ୍ରକାଶ ପାଇଥିଲା। ଏଥିରେ ସଙ୍କଳିତ କବିତାଗୁଡ଼ିକ ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇପାରିଥିଲା। ଅଳ୍ପ ବୟସରୁ କବିତା ଲେଖିବା ସଙ୍ଗେ ସଙ୍ଗେ ବହୁଳ ଭାବେ ପ୍ରକାଶିତ ହେଉଥିଲା ମୋର କବିତା। କବିତାରେ ନିଷ୍କପଟ ଉଚ୍ଚାରଣ ପାଇଁ ଏହା ଦୃଷ୍ଟି ଆକର୍ଷଣ କରିଥାଏ। ଏକ ଶ୍ରେଣୀହୀନ, ଶୋଷଣମୁକ୍ତ, ଋଢିବାଦ ବର୍ଜିତ ସମାଜର ଅଭିଷେକ ପାଇଁ ସ୍ୱର ଉତ୍ତୋଳନ କରିଥାଏ ମୋର କବିତା। ପୀଡିତ,ବଞ୍ଚିତ ଓ ଶୋଷିତ ମଣିଷର କଥା ଫୁଟି ଉଠିଥାଏ। ଶାଣିତ, ଶ୍ଲେଷ ଓ ତୀକ୍ଷ୍ଣ ବ୍ୟଙ୍ଗର ଉପାଦାନରେ ଗଠିତ କବିତା ସମକାଳର ସାମାଜିକ ଅବବ୍ୟସ୍ଥା ପ୍ରତି ତୀବ୍ର ବିଦ୍ରୁପ କରିଥାଏ। ସହଯୋଗଧର୍ମୀ ଗୋଷ୍ଠୀ ଜୀବନରେ ଆସ୍ଥା ସ୍ଥାପନ କରୁଥିବା କାବ୍ୟ ପୁରୁଷ ବାସ୍ତବତାର ଅନେକ ଆୟତନକୁ ଉନ୍ମୋଚିତ କରିଥାଏ। ରାଜନୈତିକ, ଅର୍ଥନୈତିକ, ମନସ୍ତାତ୍ତ୍ୱିକ ତଥା ଆଧ୍ୟାତ୍ମିକ ବାସ୍ତବତାକୁ ସନ୍ଧାନୀ ଦୃଷ୍ଟିରେ ଦେଖି ପରିବେଷଣ କରିଥାଏ ଚୁମ୍ବକୀୟ ଶୈଳୀରେ। ସରଳତା, ସ୍ପଷ୍ଟତା ଓ ଲକ୍ଷ୍ୟଭେଦୀ ଗୁଣ ମୋର କବିତାକୁ ଦେଇଥାଏ ସ୍ଵତନ୍ତ୍ର ମର୍ଯ୍ୟାଦା। ଲୋକ ଭାଷା ଓ ମାନକ ଭାଷାର ସମନ୍ୱୟ କବିତାକୁ ରୁଦ୍ଧିମନ୍ତ କରିଥାଏ। ପ୍ରତ୍ୟାଶାହୀନ ଆଶାବାଦ ତଥା ମାନବାଧିକାର ସଚେତନତା କବିତାର ଅନ୍ୟ ଏକ ବୈଶିଷ୍ଟ୍ୟ। ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଆଡକୁ ସମସ୍ୟାରୁ ସମ୍ଭାବନା ଆଡକୁ କବିତାର ଯାତ୍ରା।ଭାଷା ଓ ବ୍ୟଞ୍ଜନାକୁ ନେଇ କବିତାର ରସ ପରିବେଷିତ, ଯାହା ପାଠକମାନଙ୍କୁ ଆକୃଷ୍ଟ କରିଛି ଏଯାବତ୍। ଏସବୁ ଭିତରେ ସମାଜ ପାଇଁ ଯେଉଁ ସ୍ୱପ୍ନାଦେଖା ଜାରିରହିଛି ସେଇ ଉପାଦାନ ଗୁଡ଼ିକ ସନ୍ନିହିତ କବିତା ଗୁଡ଼ିକର ଆଧାର।

୫) ଆପଣଙ୍କ କବିତା ସମସାମୟିକ ଜୀବନକୁ କିପରି ଦେଖେ ?

ଉତ୍ତର : ଗୋଷ୍ଠୀ ଓ ସମଷ୍ଟିଗତ ଜୀବନର ବ୍ୟଞ୍ଜନା ସର୍ବଦା ବିହ୍ଵଳିତ ତଥା ଆକର୍ଷିତ କରିଆସିଛି।ତେଣୁ ସାମୁହିକ ଜୀବନର ଯାତନା, ଦୁଃଖ, କ୍ଳେଶ, ଆନନ୍ଦ, ଆବେଗ, ଅନୁରାଗ ସଂଘର୍ଷ ଓ ବିଡମ୍ବନା ଇତ୍ୟାଦି ତତ୍କାଳୀନ କବିତାରେ ରୂପାୟିତ ହୋଇଛି।ଏକଥା ସତ ଯେ ଭାବୁଥିବା ଓ ବଞ୍ଚୁଥିବା ଜୀବନ ଅଲଗା ଅଲଗା।ଭାବୁଥିବା ଅନେକ କଥା କାର୍ଯ୍ୟତଃ ପରିପୂର୍ଣ୍ଣତା ଲାଭ କରେ ନାହିଁ। ଏଣୁ ଏହାକୁ ସ୍ବପ୍ନ ବୋଲି କହିପାରିବା । ସ୍ବପ୍ନ ଥାଏ ବୋଲି ସେ କେଉଁଠି ନା କେଉଁଠି ଛିଡ଼ା ହୁଏ ଆଖପାଖରେ। ସେ ହସାଏ , କନ୍ଦାଏ ପୁଣି ବିବଶ କରି ଚାଲିଯାଏ। ସ୍ୱପ୍ନର ଅବଶିଷ୍ଟାଂଶ ହୋଇଯାଏ କବିତା। ବଞ୍ଚିବାର ମାର୍ଗ ସମସ୍ତଙ୍କ ପାଇଁ ସ୍ବତନ୍ତ୍ର। ଭୋଗୁଥିବା ସମୟର ଅଂଶୀଦାର ବା ଦର୍ଶକ ହୋଇ ବା ଉଭୟ ଭାବେ ଚତୁର୍ଦ୍ଦିଗରେ ଘଟୁଥିବା ଘଟଣାବଳୀର ରାଜ ସାକ୍ଷୀ ହୋଇ ଠିଆ ହୋଇଥାଏ କବିତାର ଅନ୍ତଃସତ୍ତା। ତେଣୁ ସମସାମୟିକ ଜୀବନକୁ ଆଡ କରି କେହି କେବେ ରହି ପାରେନାହିଁ। ତାର ଆନନ୍ଦ ଓ ବିଷାଦ କବିତାର ଆକାଶରେ ତାରାର ଔଜ୍ଜ୍ଵଲ୍ୟ ନେଇ ଫୁଟିବାକୁ ବାଧ୍ୟ।

୬) ସୋସିଆଲ ମିଡିଆର ସାହିତ୍ୟକୁ ନେଇ ଆପଣଙ୍କର ମତାମତ କଣ ?

ଉତ୍ତର : ଏହା ଖୁବ୍ କମ୍ ସମୟରେ ଏକ ପ୍ରାନ୍ତରୁ ଅନ୍ୟପ୍ରାନ୍ତ ମଧ୍ୟରେ ସଂଯୋଗ ସ୍ଥାପନ କରୁଛି ସତ,ମାତ୍ର ଏହାର ଗୁଣବତ୍ତା ବଡ଼କଥା।। ନିଜ ଲେଖାକୁ ପ୍ରତ୍ୟେକ ସମୀକ୍ଷା କରିବା ଉଚିତ୍। ରାତାରାତି ପ୍ରସିଦ୍ଧି  ସାଉଁଟିବାର ଇଛାକୁ ଦମନ କରାଯିବା ଜରୁରୀ। ଲେଖା ବେଶୀ ଫଟୋଗ୍ରାଫିକ୍ ଓ ବର୍ଣ୍ଣନାଧର୍ମୀ ହେଉଛି। ଅନେକ ଲେଖାରେ କଳ୍ପନା ଶକ୍ତିର ଅଭାବ। ଏହା ଛଡ଼ା କିଏ କୁଆଡୁ କପି କରୁଛନ୍ତି ବା ଅନ୍ୟଭାଷାରୁ ରୂପାନ୍ତରିତ କରି ନିଜ ନାଆଁ ରେ ଲେଖୁଛନ୍ତି – ଏହା ଜାଣିବା ସବୁଠୁ ବଡ଼ କଷ୍ଟକର । ଏହା ସତ୍ତ୍ୱେ ବହୁତ ଭଲ ଲେଖା ମଧ୍ୟ ଦୃଷ୍ଟିଗୋଚର ହେଉଛି,ଯାହା ହୁଏତ ପୁସ୍ତକ ମାଧ୍ୟମରେ ପାଠକ ନିକଟରେ ଅପହଞ୍ଚ ହୋଇଥାନ୍ତା। ଏଣୁ ତୁରନ୍ତ ପ୍ରଚାରିତ ଓ ପ୍ରସାରିତ ହେବାର ଲୋଭରୁ ନିଜକୁ ମୁକ୍ତ ରଖି ସାହିତ୍ୟ ସାଧନା ଜାରିରଖିବା ଉଚିତ୍। ନୂଆ ଲେଖକମାନେ ଓଡ଼ିଆ ସାହିତ୍ୟର ସୁଦୀର୍ଘ ଇତିହାସ ଓ ରଚନା ସମୂହର ଅଧ୍ୟୟନ ଓ ଅବଗାହନ କରିବାରେ ବ୍ରତୀ ହେଲେ ସାହିତ୍ୟ ଓ ସମାଜର ଅନେକ ମଙ୍ଗଳ ସାଧିତ ହୁଅନ୍ତା।

୭) ଆପଣଙ୍କ କବିତାର ଭାଷା ଚୟନ ସମ୍ପର୍କରେ କିଛି କୁହନ୍ତୁ ।

ଉତ୍ତର : ମୋର ଗାଆଁରେ ଜନ୍ମ ଓ ମୁଁ ଚଉଦ ବର୍ଷ ପର୍ଯ୍ୟନ୍ତ ଗ୍ରାମୀଣ ଭାଷା ସଂସ୍ପର୍ଶରେ ଆସିଲି। ଏହା ପରେ ପୁରୀରେ ପଢିଲି। ଏଣୁ ଏଠାକାର ସାହି – ବୋଲି, ମନ୍ଦିରିଆ ଭାଷା ସମ୍ପର୍କରେ ଅବହିତ ହେଲି। କ୍ରମଶଃ ବିଭିନ୍ନ ସାହିତ୍ୟ ପୁସ୍ତକର ଗଭୀର ଅଧ୍ୟୟନ କଲା ପରେ ସାଧୁ ଭାଷାର ସଫଳ ପ୍ରୟୋଗ ବିଷୟରେ ଅବଗତ ହେଲି। ଏଣୁ ଗ୍ରାମୀଣ, ପୁରୀଆ ଓ ସାଧୁ ଭାଷାର ପ୍ରଭାବ ମୋ କବିତାରେ ଦେଖିବାକୁ ମିଳେ। ସମୟାନୁକ୍ରମେ ମରିହଜି ଯାଉଥିବା ଅନେକ ଶବ୍ଦକୁ ମୁଁ ମୋ କବିତାରେ ଜୀବନ୍ତ ରଖିବାର ଚେଷ୍ଠା କରିଆସିଛି। ଅତଏବ ନିପଟ ଗାଁ ଦାଣ୍ଡ ଓ ପୁରୀ ସହରର ଗଳିକନ୍ଦିର ଭାଷା ମୋ ଭିତରେ ବସାବାନ୍ଧି ସମୟାନୁଯାୟୀ କବିତା ଭିତରେ ଉଡ଼ିବୁଲିଛନ୍ତି। ସେଇମାନଙ୍କ ରଙ୍ଗରେ ମୋ କବିତା ରଙ୍ଗାୟିତ ।

୮)ସାହିତ୍ୟ କ୍ଷେତ୍ରରେ ଆନୁଷ୍ଠାନିକ ସମ୍ମାନ ଓ ସ୍ବୀକୃତିକୁ ଆପଣ କିପରି ଦେଖନ୍ତି ?

ଉତ୍ତର : ସାଧନା ନଥାଇ ସ୍ଵୀକୃତି ଆଶାକରିବା ବଡ଼ ବିଡ଼ମ୍ବନାର ବିଷୟ। ପୁରସ୍କାର ପଛରେ ଆଜିକାଲି ଲବି,କନେକ୍ସନ୍ ଓ ଅର୍ଥ କାରବାର ହେଉଥିବାର ଶୁଣାଯାଏ। ହେଲେ ପୁରସ୍କାରକୁ କେହି ମନେରଖନ୍ତି ନାହିଁ। ଭଲ ଲେଖା ହିଁ ମନରେ ଛାପି ହୋଇ ରହିଯାଏ। ତାହା ହିଁ ଲେଖକର ସବୁଠୁ ବଡ଼ ପୁରସ୍କାର ଓ ଆନନ୍ଦ। ଟଲଷ୍ଟଏ ନୋବେଲ ପାଇ ନଥିଲେ ହେଲେ ସେ ସମଗ୍ର ପୃଥିବୀରେ ଖେଳାଇ ହୋଇ ରହିଛନ୍ତି। ଲେଖାଲେଖି ଜାରି ରହିଲେ ସମ୍ମାନ ଓ ସ୍ଵୀକୃତି ଛାଏଁ ତା ବାଟରେ ଆସେ। କିନ୍ତୁ ଏହାକୁ ଆଶା କରିବା ବୃଥା । ଏଣୁ କୌଣସି ପୁରସ୍କାର ପଛରେ ଧାଇଁ ନାହିଁ। ଯାହା ବି ସମ୍ମାନ ଓ ପୁରସ୍କାର ମିଳିଛି ତା କେବଳ ପାଠକୀୟ ଶ୍ରଦ୍ଧାରୁ। ସମ୍ମାନ ଓ ପୁରସ୍କାର ପ୍ରାପ୍ତିର ସାମୟିକ ଆନନ୍ଦଠାରୁ ନିଜର କବିତ୍ଵ ଓ ତତଜନିତ ସୃଜନାତ୍ମକ ଉଲ୍ଲାସ ଅଧିକ ଆନନ୍ଦଦାୟୀ।

୯) ଆପଣଙ୍କ କବିତାକୁ ଅନୁପ୍ରେରିତ କରିଥିବା କାରକ ବ୍ୟକ୍ତିତ୍ୱ ଗୁଡିକ କଣ ଓ କିଏ ବିସ୍ତାର କରି କହିବେ କି ?

ଉତ୍ତର : ପ୍ରଥମତଃ ଗ୍ରାମ୍ୟ ଜୀବନର ସାମାଜିକ, ଅର୍ଥନୈତିକ, ସ୍ଵାସ୍ଥ୍ୟ, ଶିକ୍ଷା ଓ ଗମନାଗମନ ଜନିତ ଦୁରାବସ୍ଥା ବିଷୟକ ସମ୍ୟକ ସୂଚନା ଆମ୍ଭେ ପୂର୍ବରୁ ଦେଇ ସାରିଚୁ l ଏବେ ମୋର କବିତ୍ଵକୁ ଉନ୍ମେଷ ଓ ଉଜ୍ଜୀବିତ କରି ରଖିଥିବା କତିପୟ କାରକ ଓବ୍ୟକ୍ତିତ୍ୱମାନଙ୍କ ବିଷୟରେ ଆଲୋଚନା କରିବା l ମାଇନର ସ୍କୁଲରେ ପଢ଼ିଲାବେଳେ ସାହିତ୍ୟ , ଚିତ୍ରକଳା, ଗାୟନ ,ବାଦନରେ ସିଦ୍ଧହସ୍ତ ଶିକ୍ଷକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଫାରକଙ୍କ ମଧୁର ବ୍ୟକ୍ତିତ୍ଵ ମତେ ସେଇ ସମୟରେ ଖୁବ୍ ପ୍ରଭାବିତ କରିଥିଲା।ସେତେବେଳେ ଦୈନିକ ସମ୍ବାଦ ପତ୍ର ସମାଜରେ ରାଧାନାଥ ରଥଙ୍କ ଦ୍ୱାରା ଲିଖିତ ସ୍ତମ୍ଭ – ‘ଝିଟିପିଟି କହେ ‘ ଓ ପ୍ରଜାତନ୍ତ୍ରରେ ହରେକୃଷ୍ଣ ମହତାବଙ୍କ ଗାଆଁ ମଜଲିସ ମତେ ଖୁବ୍ ପ୍ରଭାବିତ କରିଥିଲା।

ପୁରୀରେ ଅବସ୍ଥାପିତ ହେବା ପରେ ସ୍କୁଲ ଲାଇବ୍ରେରୀ, ରାମକୃଷ୍ଣ ମିଶନ ଲାଇବ୍ରେରୀ ସମ୍ପର୍କରେ ଜାଣିବାକୁ ପାଇଲି। କ୍ରମଶଃ ପୁସ୍ତକ ସହିତ ଆତ୍ମୀୟତା ବଢିଲା। ସାହିତ୍ୟ ଓ ଦର୍ଶନ ସମ୍ପର୍କିତ ପୁସ୍ତକମାନ ପାଠ କରିବା ପରେ ଜୀବନର ଅନ୍ୟ ଏକ ରହସ୍ୟ ଦିଗ ଉନ୍ମେଷ ହେବାରେ ଲାଗିଲା। ସ୍କୁଲ ହଷ୍ଟେଲକୁ ଅନେକ ସମୟରେ ଜ୍ଞାନୀ ଗୁଣୀ ବିଦ୍ୱାନ ଆସି ଆମକୁ ଅନୁପ୍ରାଣିତ କରୁଥିଲେ। ଏହା ଦ୍ବାରା ଆମ୍ଭମାନଙ୍କର ବୌଦ୍ଧିକ ଦୃଷ୍ଟି ବିସ୍ତାରିତ ହେଉଥିଲା।  ସେତେବେଳେ ମୋ ଉପର ଶ୍ରେଣୀରେ କବି ରକ୍ଷକ ନାୟକ ପଢୁଥିଲେ। ତାଙ୍କର କିଛି କବିତା ପଢି ମୁଁ ଗଭୀର ଭାବେ ଅନୁପ୍ରାଣିତ ହୋଇଥିଲି। ମୋର ଦୁଇ ବାତେରା ସହପାଠୀ ଶ୍ରୀମାନ ପବିତ୍ର ମୋହନ ଜେନା ଓ ନଗେନ୍ ଶତପଥୀ (ଯେଉଁମାନେ କି ବର୍ତ୍ତମାନ ଉଚ୍ଚପଦାଧିକାରୀ) ମାସିକ ହାତଲେଖା ୱାଲ୍ ମାଗାଜିନ୍ ପ୍ରକାଶିତ କରୁଥିଲେ,ଯେଉଁଥିରେ ଅନ୍ୟମାନଙ୍କ ଲେଖା ସହ ମୋ କବିତା ମଧ୍ୟ ସ୍ଥାନିତ ହୋଇଥିଲା। ମୋ ଉପର ଶ୍ରେଣୀରେ ପଢ଼ୁଥିବା ଫକୀର ମୋହନ ସାମନ୍ତରାୟ ମୋ କବିତା ଲେଖା ସଂପର୍କରେ ଜାଣି ମୋ ଲିଖିତ ଏକ କବିତା ” ଗୋପବନ୍ଧୁ” ଶିକ୍ଷାଶ୍ରୀ ପତ୍ରିକାରେ ଛପେଇ ମତେ ଉତ୍ସାହିତ କରିଥିଲେ।

କଲେଜ ପଢ଼ା ସମୟରେ ସ୍ଵର୍ଗଦ୍ଵାର ସନ୍ନିକଟ ‘ଭାରତ ସେବାଶ୍ରମ ସଂଘ’ରେ ‘ଶନିବାର ସାହିତ୍ୟ ସନ୍ଧ୍ୟା ‘ ଅନୁଷ୍ଠାନ ଦ୍ଵାରା ଏକ ସାହିତ୍ୟ କାର୍ଯ୍ୟକ୍ରମ ପ୍ରତି ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହେଉଥିଲା। ସେଠାରେ ବହୁ ଜ୍ଞାନୀ ଗୁଣୀ କବି ତଥା ସମାଲୋଚକଙ୍କ ଦ୍ଵାରା କବିତା ପାଠ ସହିତ ବିଭିନ୍ନ ଉଚ୍ଚକୋଟୀର ସମାଲୋଚନା ପରିବେଷଣ କରାଯାଉଥିଲା।

କବି ଓ ଇଂରାଜୀ ଅଧ୍ୟାପକ ଶୁଭେନ୍ଦୁ ମୁଣ୍ଡ ଏହି ଅନୁଷ୍ଠାନର ମୁଖ୍ୟ ପୁରୋଧା ଥାନ୍ତି। ନବ ପ୍ରତିଭାମାନଙ୍କ ପ୍ରତି ତାଙ୍କର ସାରସ୍ଵତ ଭୂମିକା ଅତ୍ୟନ୍ତ ସକାରାତ୍ମକ ଓ ଉତ୍ସାହପୂର୍ଣ୍ଣ ଥିଲା। ସେ ସମୟର ଉତ୍ସାହୀ ତରୁଣ କବି ପବିତ୍ର ମୋହନ ଦାଶ,କବି ଦୀନବନ୍ଧୁ ସାହୁ ଓ ଅଧୁନା ‘ଅର୍ପିତା’ ପତ୍ରିକାର ସମ୍ପାଦକ ଓ କବି ସୁବାସ ଷଡ଼ଙ୍ଗୀ ମରିଚିକୋଟ ଲେନର ନୂଆମଠରେ ରହୁଥିଲେ। ପବିତ୍ରଙ୍କ କୋଠରୀରେ ପ୍ରାୟତଃ ସାହିତ୍ୟ ଖଟିମାନ ଅନୁଷ୍ଠିତ ହେଉଥିଲା। ସମୟକ୍ରମେ ଆମ୍ଭେ ମାନେ କବି ଅଜୟ ପ୍ରଧାନ,ସମରେନ୍ଦ୍ର ମହାପାତ୍ର ,ମାନସ ରଞ୍ଜନ ମହାପାତ୍ର , ଶୈଳବାଳା ମହାପାତ୍ର ,ନିର୍ମଳ ଚନ୍ଦ୍ର ମିଶ୍ର ପ୍ରଭୃତି କବିମାନଙ୍କ ସହିତ ସମ୍ପର୍କିତ ହେଲୁ। ଏହା ଛଡ଼ା ଗୁଣ୍ଡିଚା ବାଡି ବରଗଛ ତଳ ଚା ଦୋକାନରେ ସାହିତ୍ୟ ସହିତ ଦେଶ ବିଦେଶର ରାଜନୈତିକ ଅର୍ଥନୈତିକ ଓ ସାମାଜିକ ଅବସ୍ଥା ବିଷୟରେ ଆଲୋଚନା ହୁଏ।ଏହି କାଳଖଣ୍ଡରେ କବି ଶ୍ରୀ ଶଙ୍କର ପରିଡା,ପବିତ୍ର ମୋହନ ଦାଶ ଓ ମୁଁ ‘ନୀରବ ଝଡ ‘ଓ ‘ ସିଂହଦ୍ଵାର ‘ ନାମକ ଦୁଇଟି ସାହିତ୍ୟ ପତ୍ରିକା ପ୍ରକାଶ କରିଥିଲୁ। ଏହି ପତ୍ରିକା ମାଧ୍ୟମରେ ରାଜ୍ୟ ସ୍ତରର ଅନେକ ନବ ପ୍ରତିଭାଙ୍କୁ ପ୍ରକାଶିତ କରି ସେମାନଙ୍କର ସାରସ୍ଵତ କୃତିକୁ ଲୋକଲୋଚନକୁ ଆଣିଥିଲୁ। ସେ ସମୟରେ ଏହି ଦୁଇ ପତ୍ରିକାରେ ପ୍ରକାଶିତ ହେବାର ମାନକ ଚୟନ ଅଦ୍ୱିତୀୟ ଥିଲା ଯାହା ବର୍ତ୍ତମାନ ସୁଦ୍ଧା ଅବ୍ୟାହତ ରହି ଆସିଛି ।

ସେ ସମୟର ସୌରଭ, ସୈନିକ ସମାଚାର, ଅମୃତାୟନ, ପ୍ରତିବେଶୀ, ଇସ୍ତାହାର, ଝଙ୍କାର,ସହକାର, ସମାବେଶ, ନବଲିପି, କାବ୍ୟଲୋକ, ବିଶ୍ୱମୁକ୍ତି , ନବରବି, ଅଜିଗର୍ତ୍ତ, ସମ୍ବାଦ, ପ୍ରଜାତନ୍ତ୍ର, ବାଙ୍ମୟ, ଗୋକର୍ଣିକା, ପକ୍ଷୀଘର, ବିଜୟା,  ଶ୍ରୀପର୍ଣ୍ଣା, ନିର୍ଯ୍ୟାସ,  ତିମିର ଇତ୍ୟାଦି ପତ୍ରପତ୍ରିକା ଓ ସମ୍ବାଦ ପତ୍ର କବିତା ଛାପି ମତେ ଉତ୍ସାହିତ କରିଥିବାରୁ ସେମାନଙ୍କ ନିକଟରେ ମୁଁ ଚିର କୃତଜ୍ଞ। ଆକାଶବାଣୀ କଟକ/ସମ୍ବଲପୁର, ଓଡ଼ିଶା ସାହିତ୍ୟ ଏକାଡେମୀ/କେନ୍ଦ୍ର ସାହିତ୍ୟ ଏକାଡେମୀ ମଧ୍ୟ ସେମାନଙ୍କର ସାହିତ୍ୟ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରି ମତେ ବାହୁଭାବରେ ଉତ୍ସାହିତ କରି ଆସିଛନ୍ତି।

୧୦)ଆପଣଙ୍କ କବିତାରେ ନୂତନତ୍ୱର ବିନ୍ଦୁ ଗୁଡିକ କଣ ?

ଉତ୍ତର : ସାମାଜିକ ଅଙ୍ଗୀକାରବଦ୍ଧତା,ଉଭୟ ଗ୍ରାମୀଣ,ସହରୀ ଶବ୍ଦ ଓ ପୁରୀ ବୋଲିର ପ୍ରୟୋଗ ପ୍ରେମକୁ ନେଇ ନୂତନ କାବ୍ୟଭାଷାର ନିର୍ମାଣ,ଆଧ୍ୟାତ୍ମିକ ଚେତନାକୁ ନୂଆ ବାଗରେ ପ୍ରକାଶ,ସାଧାରଣ ବର୍ଗର କ୍ଷୋଭ ଓ ସଂଘର୍ଷକୁ ନେଇ କବିତାରେ ସଫଳ ରୂପାୟନ ଇତ୍ୟାଦି ମୋ କବିତାରେ ନୂତନତ୍ବ ର ବିନ୍ଦୁ ବୋଲି ଭାବୁଛି। ସମାଲୋଚକମାନେ ଏହାଠୁ ଅଧିକ କିଛି କହିପାରିବେ।

୧୧)ଆପଣଙ୍କ କବିତା ଉପରେ ଯେତିକି ଆଲୋଚନା ହେବା କଥା ହୋଇପାରି ନାହିଁ। ଏହି ବିଡ଼ମ୍ବନା ସମ୍ପର୍କରେ କଣ କହିବେ ?

ଉତ୍ତର : କିଏ କାହା ଉପରେ ଲେଖିବ, କାହିଁକି ବା ଲେଖିବ ? ଲେଖିଲେ ବି କିଛି କ୍ଷଣପାଇଁ ରୁଖା ଉପରେ ବସିବାର ଆନନ୍ଦ ଅବଶ୍ୟ ମିଳିବ। କବି ହରିହର ମିଶ୍ର ମୋର ଦୁଇଟି କବିତା ପୁସ୍ତକ ‘ପୂର୍ଣ୍ଣପାଦ’  ଓ’ ଚିତ୍ରରେଖା ‘ ଉପରେ ପ୍ରବନ୍ଧ ପ୍ରସ୍ତୁତ କରିଥିଲେ । କବି ପବିତ୍ର ମୋହନ ଦାଶ ମୋର ‘ଆରତ ସୁରେ’ କବିତା ବହିର ମୁଖବନ୍ଧ ଲେଖିଥିଲେ। କବି ହରପ୍ରସାଦ ଦାସ ମୋର ଗୋଟିଏ କବିତା ‘ଶୁଣ ମଣି ‘ କୁ ଅମୃତାୟନ ନବପର୍ବରେ ଛାପି ଏହାର ଆଲୋଚନା କରିଥିଲେ । ପ୍ରାୟ ଚାଳିଶ ବର୍ଷର ସାଧନା ପରେ ବି ମୁଁ ସମାଲୋଚକ ମାନଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଛି। ନିଜ ପାଇଁ ଢୋଲଟିଏ ବାଡ଼େଇ ପାରି ନାହିଁ । ପ୍ରଚାର ଓ ପ୍ରସାରଠୁ ଦୂରେଇ ରହିବାକୁ ଭଲ ପାଏ। ତେଣୁ କିଏ ମୋ କବିତା ସମ୍ପର୍କରେ ଲେଖିଲେନି ବୋଲି କ୍ଷୋଭ ନାହିଁ କି ଅନୁଶୋଚନା ନାହିଁ। କାହାକୁ ଅନୁରୋଧ ଓ ପ୍ରଭାବ ବିସ୍ତାର କରି ସମାଲୋଚନା ଲେଖାଇବା ମୋର ଧର୍ମ ନୁହେଁ।

୧୨) ଆଗାମୀ ପୀଢ଼ିଙ୍କ ପାଇଁ ଆପଣଙ୍କର ସନ୍ଦେଶ କଣ ରହିବ ?

ଉତ୍ତର : ଉଭୟ ନୂଆ ଓ ପୁରୁଣା ଲେଖା ପଢନ୍ତୁ।ନିଜକୁ ସମୀକ୍ଷା କରନ୍ତୁ।ପୁରସ୍କାର ପଛରେ ଗୋଡାନ୍ତୁ ନାହିଁ। ରାତାରାତି ପ୍ରସିଦ୍ଧି ପାଇଁ କିଛି ଅନୈତିକ କାର୍ଯ୍ୟ କରନ୍ତୁ ନାହିଁ ।

 

Comments are closed.