ଭୁବନେଶ୍ବର : ଅନୁଷ୍ଠିତ ହୋଇଛି ମୋ ସ୍କୁଲ୍ ଅଭିଯାନର ୨୪ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟର ୨୪ଟି ଜିଲ୍ଲାର ମୋଟ ୧୨୧ କୋଟି ୨୬ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ମାସକ ମଧ୍ୟରେ ୩୬ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ୍ ଅଭିଯାନ ସହ ଯୋଡ଼ି ହୋଇଥିବା ବେଳେ, ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୨୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।
ଏହି ଅଭିଯାନରେ ବାଲେଶ୍ବରରେ ସର୍ବାଧିକ ୧.୭୭ କୋଟି, କଟକରେ ୫୩ ଲକ୍ଷ ୫୪ ହଜାର, ଭଦ୍ରକରେ ୩୬ ଲକ୍ଷ ୩୩ ହଜାର, ଅନୁଗୁଳରେ ୩୩ ଲକ୍ଷ ୧୮ ହଜାର ଏବଂ ବରଗଡ଼ରେ ୧୮ ଲକ୍ଷ ୫୪ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି । ଏହାସହ ବିଭିନ୍ନ ସିଏସ୍ଆର୍ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍ ଅଭିଯାନକୁ ୩୫ କୋଟି ୫୫ ଲକ୍ଷ ଟଙ୍କାର ଅନୁଦାନ ଆସିଛି । ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍ଆର୍ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୧୨୧ କୋଟି ୨୬ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି ।
ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୬ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଥିବା ବେଳେ, ରାଜ୍ୟରେ ସମସ୍ତ ଜିଲ୍ଲାର ୩୩ ହଜାରରୁ ଊର୍ଦ୍ଧ୍ୱ ସ୍କୁଲ୍ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଛି । ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଥିବା ପୁରାତନ ଛାତ୍ରଙ୍କୁ ଜିଲ୍ଲା, ବ୍ଲକ୍ ଓ ସ୍କୁଲ୍ ସ୍ତରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଯାଏଁ ୧୩ଟି ଜିଲ୍ଲାରେ ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଧନ୍ୟବାଦ ପତ୍ର ପ୍ରଦାନ କରାଯାଇଛି । ଆସନ୍ତା ମେ’ ୧୫ ସୁଦ୍ଧା ସମସ୍ତ ଜିଲ୍ଲାରେ ବିଦ୍ୟାଳୟସ୍ତରରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଏହି ଧନ୍ୟବାଦ ପତ୍ର ପ୍ରଦାନ କରିବାକୁ ଲକ୍ଷ୍ୟ ରହିଛି ।
ମୋ ସ୍କୁଲ୍ ଅଭିଯାନ ଅନ୍ତର୍ଗତ ‘5T- ହାଇସ୍କୁଲ୍ ଟ୍ରାନ୍ସଫର୍ମେଶନ କାର୍ଯ୍ୟକ୍ରମ’କୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜିଲ୍ଲାପାଳ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ, ମାଧ୍ୟମିକ ଶିକ୍ଷା ପରିଷଦ, ଶିକ୍ଷକ ଶିକ୍ଷା ଓ ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ୍ ପରିଷଦ ସହଯୋଗରେ ରାଜ୍ୟର ୧ ହଜାର ଉଚ୍ଚ ବିଦ୍ୟାଳୟର ବିକାଶକୁ ପ୍ରାଥମିକତା ଦିଆଯାଉଛି । ବିଶ୍ବସ୍ତରୀୟ ମାନରେ ଭିତ୍ତିଭୂମି ବିକାଶ ସହ ପିଲାମାନଙ୍କ ପାଠପଢ଼ାରେ କିଭଳି ଉନ୍ନତି ଅଣାଯାଇପାରିବ, ତାହାକୁ ଦୃଷ୍ଟିରେ ରଖି କାର୍ଯ୍ୟ ଆରମ୍ଭ ହୋଇଛି । ସିଏସ୍ଆର୍ ପାଣ୍ଠିରୁ ମିଳୁଥିବା ଅନୁଦାନ ସହ ‘ମୋ ସ୍କୁଲ୍’ର ଦୁଇ ଗୁଣା ସହାୟତା ରାଶିକୁ ମିଶାଇ ପ୍ରତ୍ୟେକ ବିଦ୍ୟାଳୟର ବିକାଶ କରିବାକୁ ଲକ୍ଷ୍ୟ ରହିଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ‘ସେଣ୍ଟର୍ ଫର୍ ଏନ୍ଭାରମେଣ୍ଟ୍ ଷ୍ଟଡିଜ୍’ ସହଯୋଗରେ ୧ ହଜାର ସ୍କୁଲ୍ରେ ‘ଏନର୍ଜି କ୍ଲବ୍’ ପ୍ରତିଷ୍ଠା କରାଯିବ । ବିଦ୍ୟାଳୟଗୁଡ଼ିକରେ ଶକ୍ତି ସଂରକ୍ଷଣକୁ ପ୍ରୋତ୍ସାହନ ଦେବା ସହ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ କରିବାକୁ ପ୍ରତ୍ୟେକ ବିଦ୍ୟାଳୟକୁ ବର୍ଷକୁ ୧୦ ହଜାର ଟଙ୍କା ଲେଖାଁଏ ପ୍ରଦାନ କରାଯିବ ।