Latest Odisha News

BREAKING NEWS

ରାଜ୍ୟରେ ଝଡବର୍ଷା ଜାରି, ଆହୁରି ୧୨ ଘଣ୍ଟା ବର୍ଷିବ: ପାଣିପାଗ ବିଭାଗ

ଭୁବନେଶ୍ୱର : ଆଗାମୀ ୧୨ ଘଣ୍ଟା ଯାଏଁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ଝଡବର୍ଷାର ପ୍ରଭାବ ପଡିବ ବୋଲି ଗୁରୁବାର ଦିନ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଜୀବନ ବାସ୍କେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ରାଜସ୍ଥାନ ଓ ଛତିଶଗଡ ଥ୍ରୁ ଲାଇନ୍ ଦେଇ ପବନ ଅନୁଭୂତ ହୋଇଥିବା ପୋଗୁଁ ଏହାକ୍ରମେ ଓଡିଶାର ଜଳବାୟୁରେ ପରିବର୍ତ୍ତନ ଦେଖାଦେଇଛି ।

ଏହାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ମୟୂରଭଞ୍ଜ, ମାଲକାନଗିରି, ରାୟଗଡ ଏବଂ କୋରାପୁଟ ଆଦି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଶ୍ରୀଯୁକ୍ତ ବାସ୍କେ ସୂଚନା ପ୍ରଦାନ କରିଛନ୍ତି ।

ଆହୁରି ମଧ୍ୟ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଦେଓଗଡ, ଅନୁଗୁଳ,ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ରାୟଗଡ ଏବଂ ଗଜପତି ଆଦି ଅଞ୍ଚଳରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ପବନ ବୋହିବା ସହ ଝଡତୋଫାନ ହେବାର ଆଶଙ୍କା କରାଯାଇଛି । ଏହି ସମୟ ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, କଟକ ଏବଂ ଢେଙ୍କାନାଳରେ ସ୍ୱଳ୍ପବୃଷ୍ଟି ହେବାର ସମ୍ଭାବନା ରହିଥିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଉପକୂଳ ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି । ସେ ଆହୁରି ମଧ୍ୟ କହିଛନ୍ତି, ଉତ୍ତର ଓ ଦକ୍ଷିଣ ଓଡିଶାର ମୟୁରଭଞ୍ଜ, ରାୟଗଡ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛିସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି । ଏହି ସବୁ କିଛି ଜିଲ୍ଲାକୁ ବାଦ ଦେଲେ ଅନ୍ୟ ଜିଲ୍ଲାଗୁଡିକରେ ରାତ୍ରିର ତାପମାତ୍ରା ୧ରୁ ୨ ଡିଗ୍ରୀ ସେଲସିୟସ ବୃଦ୍ଧି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.