କୋଲକାତା : ମମତା ବନାମ ମୋଦି । ବାତ୍ୟା ୟାସ୍ ପ୍ରଭାବରେ କ୍ଷୟକ୍ଷତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେନି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା କଲାଇକୁଣ୍ଡାରେ ଡକାଯାଇଥିବା ସମୀକ୍ଷା ବୈଠକରେ ସାମିଲ ହେଲେନି ଦିଦି । ପ୍ରଧାନମନ୍ତ୍ରୀ ୩୦ ମିନିଟ୍ ଧରି ଅପେକ୍ଷା କରିବା ପରେ ବି ମମତା ବାନାର୍ଜୀ ବୈଠକରେ ପହଞ୍ଚିନଥିଲେ । ବରଂ ବୈଠକ ସରିବା ପରେ ଦିଦି ଆଉ ଏକ ବୈଠକ କରି ବାତ୍ୟା ୟାସର ସମୀକ୍ଷା କରିଥିଲେ ।
ମମତା ବାନାର୍ଜୀ ବାତ୍ୟା ସ୍ଥିତିର ସମୀକ୍ଷା କରିବା ପରେ ପ୍ରଧାନମନ୍ତ୍ରୀଙ୍କୁ କଲାଇକୁଣ୍ଡାରେ ଭେଟି ବାତ୍ୟା ୟାସ୍ ଦ୍ବାରା ହୋଇଥିବା କ୍ଷୟକ୍ଷତି ନେଇ ରିପୋର୍ଟ ଦେଇଥିଲେ । ପ୍ରାୟ ୧୫ ମିନିଟର ଏହି ବୈଠକରେ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା ହୋଇଥିଲା । ବାତ୍ୟା ୟାସ୍ରେ ପଶ୍ଚିମବଙ୍ଗରେ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ଅନେକ ଘର ଭାଙ୍ଗିରୁଜି ଯାଇଛି । ପଶ୍ଚିମବଙ୍ଗରେ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଥିବା ବେଳେ, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ୫୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ।
Comments are closed.