Latest Odisha News

BREAKING NEWS

କରୋନା ପରିଚାଳନା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ୨୫ କୋଟି

ଭୁବନେଶ୍ବର : କରୋନା ପରିଚାଳନା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ୨୫ କୋଟିର ସହାୟତା । ଏହି ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡ଼ିଶାରେ ୨୫ କୋଟି ଟଙ୍କାର ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପ୍ରକଳ୍ପ ଲୋକାର୍ପିତ ହେବା ପରେ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାର ଲୋକେ ଉପକୃତ ହେବେ ।

ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲା ବରଗଡ, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ସୁନ୍ଦରଗଡ, ନୂଆପଡ, ଝାରସୁଗୁଡା, ବୌଦ୍ଧ, ସୁବର୍ଣ୍ଣପୁର, ଦେବଗଡ ଓ ଅନୁଗୁଳରେ ସମସ୍ତ ଜରୁରୀକାଳୀନ କୋଭିଡ ଉପକରଣ କିଣାଯାଇଛି । ଭେଣ୍ଟିଲେଟର, ଅକ୍ସିଜେନ୍‌ ପାଇପ ଲାଇନ, ଅଟୋଆନାଲାଇଜର, ସିବିସି ମେସିନ୍‌, ଅକ୍ସିମିଟର ଆଦି ପାଇଁ ବ୍ୟବସ୍ଥା କରାଯାଇଛି । ଏହା ଦ୍ବାରା ଏହି ଜିଲ୍ଲାଗୁଡିକରେ କୋଭିଡ ଭିତ୍ତିଭୂମି ଆହୁରି ସୁଦୃଢ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦୃଢ଼ ବିଶ୍ବାସ ପ୍ରକଟ କରି କହିଛନ୍ତି ଯେ, ସମସ୍ତଙ୍କ ମିଳିତ ଉଦ୍ୟମରେ ଆମେ ଖୁବ ଶୀଘ୍ର ଏ ସଂକଟରୁ ମୁକ୍ତ ହେବୁ । ପଶ୍ଚିମ ଓଡ଼ିଶାରେ କୋଭିଡ ସ୍ଥିତିରେ ଉନ୍ନତି ଆସିଥିବାରୁ, ମୁଖ୍ୟମନ୍ତ୍ରୀ ଏହାର ସବୁ ଶ୍ରେୟ ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କୁ ଦେଇଛନ୍ତି । ଆଗଧାଡିରେ ରହି କାମ କରୁଥିବା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଅଙ୍ଗନବାଡି ଓ ଆଶାକର୍ମୀ ସମସ୍ତଙ୍କୁ ଶ୍ରେୟ ଦେଇ ସେମାନଙ୍କ ତ୍ୟାଗ ଓ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଆଗକୁ ପରିସ୍ଥିତିରେ ଆହୁରି ଉନ୍ନତି ଆସିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପଶ୍ଚିମ ଓଡିଶା ବିକାଶ ପରିଷଦ, ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ପଶ୍ଚିମ ଓଡିଶାର ବିକାଶ ପରିଷଦ ଯେପରି ଅଧିକ ବିକାଶ କାମ କାର୍ଯ୍ୟକାରୀ କରିପାରିବ, ସେଥିପାଇଁ ଅଧିକ ପାଣ୍ଠି ଦିଆଯାଉଛି । ବିକାଶ ପରିଷଦ ଏହାର ଦାୟିତ୍ବ ସଫଳ ଭାବରେ ନିର୍ବାହ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଏହାସହ କୋଭିଡ ମୁକାବିଲା ପାଇଁ ରାଜ୍ୟ ସରକାର ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି । ଅକ୍ସିଜେନ ଯୋଗାଣରେ ଓଡ଼ିଶା ନୂଆ ପରିଚୟ ସୃଷ୍ଟି କରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇ ପାରିଛି । ଏ ସଂକଟ ସମୟରେ ପ୍ରତ୍ୟେକ ଜୀବନ ମୂଲ୍ୟବାନ ଓ ପ୍ରତ୍ୟେକ ଲୋକ ଯେପରି ଉତ୍ତମ ଚିକିତ୍ସା ସେବା ପାଇପାରିବ, ସେଥିପାଇଁ ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.