Latest Odisha News

BREAKING NEWS

ଭାଙ୍ଗିଲେ କରୋନା କଟକଣା, ଗଣିଲେ ଲକ୍ଷେ ଟଙ୍କା ଜରିମାନା

ଭଦ୍ରକ: ଲକ୍‌ଡାଉନ୍‌ରେ ସଟର୍ ବନ୍ଦ କରି ଚାଲିଥିଲା କପଡା କାରବାର । ପ୍ରଶାସନିକ ଅଧିକାରୀଙ୍କୁ ଦେଖି ଚମ୍ପଟ୍ ମାରିଥିଲେ ଦୋକାନ ମାଲିକ । ହେଲେ ଧୋକା ଖାଇନଥିଲା ପ୍ରଶାସନର ତୀକ୍ଷ୍ଣ ନଜର । ଶେଷରେ ଧରାପଡିଲା ଦୋକାନ ମାଲିକଙ୍କ ମିଛ । ବନ୍ଦ ଦୋକାନରୁ ଉଦ୍ଧାର ହୋଇଥିଲେ ୩ ଗ୍ରାହକଙ୍କ ସମେତ ଜଣେ ୭ ବର୍ଷୀୟ ଶିଶୁ ।

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବିଦେଇପୁରରେ ସାମ୍ନାକୁ ଆସିଛି ଏଭଳି ଘଟଣା । ବୁଧବାର ସ୍ଥାନୀୟ ଅଂଚଳରେ ସମୟ ପ୍ରାୟ ୪ଟା ୩୦ ମିନିଟରେ ବାସନ୍ତୀ ଦୁର୍ଗା ସପିଂ ମଲ୍ ଖୋଲାଥିବା ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲେ ବାସୁଦେବପୁର ତହସିଲଦାର । ହେଲେ ପ୍ରଶାସନିକ ଅଧିକାରୀ ଆସୁଥିବା ଖବର ପାଇ ଦୋକାନ ବନ୍ଦ କରି ଚମ୍ପଟ୍ ମାରିଥିଲେ ଦୋକାନ ମାଲିକ ଶକ୍ତିପଦ ମଣ୍ଡଳ ।

ଅନ୍ୟପଟେ ପ୍ରଶାସନିକ ଅଧିକାରୀ କିନ୍ତୁ ଦୋକାନ ଛାଡି ଯିବାକୁ ମଙ୍ଗିନଥିଲେ । ଦୀର୍ଘ ଦୁଇ ଘଣ୍ଟା ପରେ ନାୟକାଣିଡିହି ଥାନା କର୍ମଚାରୀଙ୍କ ଅନୁରୋଧ କ୍ରମେ ଦୋକାନର କର୍ମଚାରୀମାନେ ଦୋକାନ ଖୋଲିଥିଲେ । ଦୋକାନ ଖୋଲିବା ପରେ ୩ଜଣ ଗ୍ରାହକ ଓ ଜଣେ ଶିଶୁ ଟ୍ରାଏଲ୍ ରୁମରୁ ଉଦ୍ଧାର ହୋଇଥିଲେ । ଏହି ଘଟଣା ପରେ କୋଭିଡ୍ ନିୟମ ଫାଙ୍କିବା ଓ ଥାନା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ନେଇ ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ନାୟକାଣିଡିହି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପରେ ଦୋକାନ ମାଲିକ ଶକ୍ତିପଦ ମଣ୍ଡଳଙ୍କୁୁ ଏକ ଲକ୍ଷ ଟଙ୍କା ଜରିମାନା କରିବା ସହ ଦୋକାନକୁ ୧୫ ଦିନ ପାଇଁ ସିଲ୍ କରାଯାଇଥିଲା । ତେବେ ଏହି ଘଟଣାକୁ ନେଇ ଶକ୍ତିପଦ ଫେରାର ଥିବାବେଳେ ଦୋକାନର ତିନି କର୍ମଚାରୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୁଶାନ୍ତ ମିଶ୍ର ସୂଚନା ଦେଇଥିଲେ ।

Leave A Reply

Your email address will not be published.