Latest Odisha News

ଶ୍ରୀଜଗନ୍ନାଥ ମନ୍ଦିର ସିଂହଦ୍ୱାର ଅଞ୍ଚଳ ‘ନୋ ପାର୍କିଂ’ ଓ ‘ନୋ ବେଗିଂ’ ଏରିଆ ଭାବେ ଘୋଷିତ

ପୁରୀ: ପ୍ରବଳ ଭିଡ଼ ଜନିତ କାରଣରୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିବାରେ ବ୍ୟାଘାତ ସୃଷ୍ଟି ହେବା ପରିପ୍ରେକ୍ଷୀରେ ପୁରୀ ସିଂହଦ୍ୱାର ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ‘ନୋ ପାର୍କିଂ’ ଓ ‘ନୋ ବେଗିଂ’ ଏରିଆ ଭାବେ ରବିବାର ଦିନ ଘୋଷଣା କରିଛନ୍ତି ।

ଏସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାଶ କହିଛନ୍ତି, ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭକ୍ତମାନେ ସୁବିଧାରେ ଶ୍ରୀଜୀଉମାନଙ୍କ ଦର୍ଶନ କରିବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

“ପ୍ରତିଦିନ ପୁରୀ ଶ୍ରୀମନ୍ଦିରକୁ ଠାକୁରଙ୍କ ଦର୍ଶନ ନିମେନ୍ତେ ହଜାର ହଜାର ଶ୍ରଦ୍ଧାଳୁ ବାହାରୁ ଆସୁଛନ୍ତି, ସିଂହଦ୍ୱାର ସମ୍ମୁଖରେ ପ୍ରବଳ ଭିଡ଼ ଜନିତ କାରଣଯୋଗୁଁ ଶ୍ରଦ୍ଧାଳୁମାନେ ମନ୍ଦିରକୁ ପ୍ରବେଶ କରିବାରେ ବାଧା ସୃଷ୍ଟି ହେଉଛି,”ବୋଲି ଶ୍ରୀଯୁକ୍ତ ଦାଶ କହିଛନ୍ତି । ଏହାବ୍ୟତୀତ ଉଠାଦୋକାନୀମାନଙ୍କ ଯୋଗୁଁ ସିଂହଦ୍ୱାର ସମ୍ମୁଖଭାଗରେ ଅଯଥା ଟ୍ରାଫିକ ପରି ସମସ୍ୟା ସୃଷ୍ଟି ହୋଇ ବାଧା ଉପୁଜିବାରେ ଲାଗିଛି । ଏସବୁକୁ ଲକ୍ଷ୍ୟକରି ଏହି ଦୋକାନଗୁଡ଼ିକୁ ପୁରୀ ସହରର ଅନ୍ୟତ୍ର ସ୍ଥାନାନ୍ତରୀତ କରିବାର ଯୋଜନା ରଖିଛି ପ୍ରଶାସନ । ଏହି ଅଞ୍ଚଳକୁ ‘ନୋ ପାର୍କିଂ ଜୋନ୍’ ଭାବେ ଘୋଷିତ କରାଯାଇଛି ।

ସାଧାରଣତଃ ସକାଳ ଏବଂ ଅପରାହ୍ନ ସମୟରେ ଭକ୍ତମାନଙ୍କ ପ୍ରବଳ ଭିଡ଼ ଜମୁଥିବାରୁ ଏହାର ସମାଦାନ ଲାଗି ପ୍ରଶାସନ ତରଫରୁ ଏନେଇ ପଦକ୍ଷେପ ଗ୍ରହଣ କରାଯାଉଛି । “ସେଥି ସକାଶେ ପ୍ରଶାସନ ପକ୍ଷରୁ ଆମେ ଏକ ୨୪ ଘଣ୍ଟିଆ ଟ୍ରାଫିକ ବ୍ୟବସ୍ଥା କରି ଏହି ସ୍ଥାନରେ ଉଚିତ ପଦକ୍ଷେପ ନେବାର ଯୋଜନା କାର୍ଯ୍ୟକାରୀ କରୁଛୁ,” ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

ଏପରିକି ଏହି ସିଂହଦ୍ୱାର ଅଞ୍ଚଳକୁ ‘ନୋ ବେଗିଂ ଜୋନ୍’ ଭାବେ ଘୋଷଣା କରାଯାଇଛି । ଏଥିଲାଗି ସିଂହଦ୍ୱାର ସମ୍ମୁଖରେ ବସୁଥିବା ଭିକ୍ଷୁକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରୀତ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛନ୍ତି ।

ପୁରୀ ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପକୁ ଶ୍ରଦ୍ଧାଳୁଙ୍କ ସମେତ ମନ୍ଦିର ସେବାୟତ ଉଚ୍ଚ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.