ଭୁବନେଶ୍ୱର: ଆଉ ତିନି ଦିନ ପରେ ରଥଯାତ୍ରା । ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି । ରଥ ନିର୍ମାଣଠାରୁ ଆରମ୍ଭ କରି ପ୍ରଶାସନିକ ପ୍ରସ୍ତୁତି ପର୍ବ ଜୋରସୋରରେ ଚାଲିଛି । କେମିତି ଚାଲିଛି ରଥଯାତ୍ରା ପ୍ରସ୍ତୁତି ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଥ ନର୍ମାଣଠାରୁ ଆରମ୍ଭ କରି ଆଇନଶୃଙ୍ଖଳା ଯାଏ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କଠାରୁ ପଚାରି ବୁଝିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭର୍ଚୁଆଲରେ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟ ସଚିବ, ବିଭିନ୍ନ ବିଭାଗୀୟ ସଚିବଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସପି ଉପସ୍ଥିତ ରହିବେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏବର୍ଷ ମଧ୍ୟ କେବଳ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବ ।
ବିନା ଭକ୍ତରେ ଶୃଙ୍ଖଳିତ ରଥଯାତ୍ରା ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ପ୍ରସ୍ତୁତି ବି ସେହି ହିସାବରେ ଚାଲିଛି । ରଥଯାତ୍ରୀରେ ନିୟୋଜିତ ହେବାକୁ ଥିବା ସେବାୟତ, ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କ ସମେତ ପୋଲିସ ଅଧିକାରୀ ଓ କୋଭିଡ୍ କର୍ମଚାରୀଙ୍କର ଆଜିଠାରୁ କୋଭିଡ୍ ଟେଷ୍ଟ ବି କରାଯାଉଛି । ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍ ଆସିବ ସେମାନେ ରଥଯାତ୍ରାରେ ସାମିଲ ହୋଇପାରିବେ ।
ରଥଯାତ୍ରାର ଦୁଇ ଦିନ ପୂର୍ବରୁ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡରେ ଜାରି ହେବ ୧୪୪ ଧାରା । ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିବେ । ପୁରୀର କୌଣସି ହୋଟେଲ୍, ଲଜିଂ କି ଧର୍ମଶାଳାରେ ବାହାର ଲୋକଙ୍କୁ ରହିବାକୁ ଅନୁମତି ମିଳିବ ନାହିଁ । ଏପରିକି ଘର ଛାତ ଉପରୁ ରଥଯାତ୍ରା ଦେଖିବାକୁ ଜିଲ୍ଲା ପ୍ରଶାସନ ବାରଣ କରିଛି ।
Comments are closed.