Latest Odisha News

କବିତା ହୃଦୟରୁ ହୃଦୟକୁ ସଞ୍ଚରିତ ହୁଏ : ଗଜାନନ ମିଶ୍ର

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ଶିଳ୍ପୀ ଗଜାନନ ମିଶ୍ର । ଲେଖନୀ ଚାଳନାରେ ସେ ଫୁଟେଇ ପାରନ୍ତି ଜୀବନ୍ତ ବୃତ୍ତାନ୍ତ । ତାଙ୍କ ସାଧନାର କ୍ଷେତ୍ର ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ ।

ତାଙ୍କ ସଙ୍କଳନ ମଧ୍ୟରେ ସର୍ବନାମ, ନଥିବା ଚିତ୍ର, ଷ୍ଟେସନ କବିତାଘର , ଗୋଟାପଣେ ,କାଳକାଳ, ନାବ , ମହାରେଖା , ସଙ୍କେତ ଉଦ୍ଧବ , ପଞ୍ଚରାମା, , କୁଶେର ପନା, ଦେଖନେବାଲା ଏକଲା, ଅନଲି ହିଅର ଏବଂ କଣ୍ଟିଲୋ ଭାୟା ପ୍ରଭୃତି ସହ ଆହୁରି ଅନେକ କାଳଜୟୀ ପୁସ୍ତକର ସେ ସ୍ରଷ୍ଟା । ସୃଷ୍ଟି ସର୍ଜନାର କ୍ଷେତ୍ରରେ ନିଜର ଅନବଦ୍ୟ କୃତି ପାଇଁ ସେ ଅନେକ ସାହିତ୍ୟାନୁଷ୍ଠାନ ଦ୍ୱାରା ସମ୍ମାନିତ ଓ ସମ୍ବର୍ଦ୍ଧିତ ।

ଲେଖକ ଗଜାନନ ମିଶ୍ରଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ

ଆପଣଙ୍କ କବି ଜୀବନର ଆରମ୍ଭ କେମିତି ହେଲା ?

ଆରମ୍ଭଟା ଏମିତି ଅଚାନକ ! ଅବଶ୍ୟ ବିନା ମେଘରେ ବିଜୁଳି ମାରେନା। ପିଲାବେଳର ଦୁଃଖ, ବିରହ, ଯନ୍ତ୍ରଣା, ଅନୁଭବ, ଏକାକିତ୍ୱ ବୋଧେ ମୂଳ ! ‘ଏକଲା ଚଲୋରେ’ ମୋର ପ୍ରିୟ ଗୀତ ଥିଲା। ପୁଣି ‘ଗାଏଁ ବାଏଁ ବି ନେହିଁ ଔର୍ ଡାଏଁ ଭି’। ଇଏ ବୋଧେ କବିତାର ସ୍ରୋତ ଫିଟାଉଥିଲା । କବିତା ନ ଥିଲେ ହୁଏ ତ ବଞ୍ଚି ନ’ଥାନ୍ତି ! ବହୁଥର କବିତା ଲେଖି ଉଶ୍ୱାସ ଲାଗିଛି, ରିଫ୍ରେସ ହୋଇଛି କବିତାରେ। ଅସରନ୍ତି କବିତାର ଢେଉରେ ଉଠପଡ଼ ହୋଇଛି, ନାଚିଛି । କିଏ ବିଶ୍ୱାସ କରିବ ଏତେ ସେତେ ! ଅନୁଭବ ସବୁ କ’ଣ ପ୍ରକାଶ କରିହୁଏ? ପିଲାବେଳର ସମସ୍ୟା କଥା ପଚାରିଲେ ବି କହି ହୁଏନା। ପନ୍ଦର ଷୋହଳ ବର୍ଷ ବୟସରୁ ତାତିଲା ବାଲି ଉପରେ, କର୍କଶ ପଥର ଚଟାଣରେ, ଦିକି ଦିକି ନିଆଁରେ ଚାଲିଲା ବେଳେ କବିତା ହୋଇ ବହି ଯାଇଛି ସବୁ। କିଏ ହିସାବ ରଖିଛି। ଅକ୍ଷରକୁ ନିଅଣ୍ଟ। ଯାହା କିଛି ସାଉଁଟି ସଜାଡି ହେଲା ଯେତେବେଳେ । କବିତା କହୁଛ ଯଦି ସିଏ ବି ଠିକ୍। କବିତା କ’ଣ ଜୀବନଠୁ ଅଲଗା କି ?

ପେଶାରେ ଓକିଲାତି କିନ୍ତୁ ଜୀବନର ସମୁଦାୟ ସମୟ ସାମାଜିକ କାର୍ଯ୍ୟରେ ଦେଇଛନ୍ତି । ସାହିତ୍ୟ , ଓକିଲାତି ଏବଂ ସମାଜସେବା ଭିତରେ ସମନ୍ୱୟ ରଖିବାର ମାର୍ଗଟି କଣ ?

ଓକିଲାତି ପ୍ରତି ଆଗ୍ରହ ନ ଥିଲା। ଏବେ ଅଛି କହୁନି। ସମୟ ତ ନେବ ଯିଏ ବି ହେଉ । କବିତା ପରି ଓକିଲାତି ବି ରଖେଇ ବସେଇ ଦିଏନି, ଘଡିଏ ଶାନ୍ତିରେ। କବଜା କରି ରଖେ ଚିନ୍ତା ଚେତନା ସବୁ। ମନ ବିଚଳିତ ଲାଗେ। ଆଇନ ଅଦାଲତ କାହା ପାଇଁ ? କିଏ ମାନେ ଆଇନ ?  କବିତା ଲେଖିବା, ଓକିଲାତି କରିବା, ସାମାଜିକ କାର୍ଯ୍ୟ କରିବା କ’ଣ ଗୋଟେ ନୁହଁ ! ହେଉ ହେଉ କବିତା ହୁଏ, ଓକିଲାତି ବି ହୁଏ । ଆଉ ସେ ଭିତରେ ଥୋକେ କହନ୍ତି ସାମାଜିକ କାମ। କହନ୍ତି ଏଥିପାଇଁ ବୋଧେ, ସାମାଜିକ ମଇଳା କିଛି ସଫା ହୋଇଥାଏ। ଏ ଦିଇଟା କାମରେ ସ୍ୱତଃ ଯଦି ତ୍ୟାଗ ଆଉ ଧୈର୍ଯ୍ୟ ବା ସହନଶୀଳତା ଓ ନିଷ୍ଠାକୁ ରଖାଯାଇଥାଏ। ଜାଣେନା କ’ଣ ଅଛି ବା କରୁଛି ମୁଁ । କବିତା ହୁଏ ଦେଖୁ ଦେଖୁ। କବିତାମୟ ଲାଗେ ସାରା ଇଲାକା। ଆଉ ଯୋଉଠି ଦେଖ, ଆଇନର ଉଲଂଘନ ହେଉଥାଏ। ଅନ୍ୟାୟର ଜାଲରେ ଫଶି ରହିଥାନ୍ତି ଥୋକେ। ସତ୍ୟ, ନ୍ୟାୟକୁ କୋଣଠେସା କରାଯାଇଥାଏ। କେତେ ସହିବ ? ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ। ଆମର କିଛି ଚେଷ୍ଟାରେ କଣ ଘୁଞ୍ଚିବ ଦୁଃଖ! କେଜାଣି! ତଥାପି କଲମ ଚଲେଇବାକୁ ପଡେ କବିତାରେ , ବାଦପତ୍ରରେ, ଲିଖିତ ଜବାବରେ। ଆଶା, ଲଗାତାର ଚାଲିଥିବ ଏଇ ପ୍ରକ୍ରିୟା। ପ୍ରକ୍ରିୟା ଭିତରେ ସମନ୍ୱୟ ଆପେ ଆପେ ଆସି ଯାଇଥାଏ। ନ ଆସିଲେ ବି କ’ଣ କରିହେବ?

ଓଡ଼ିଆ ଭାଷା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଆପଣ ଦୀର୍ଘକାଳୀନ ଭିତ୍ତିରେ ଅନଶନରେ ବସିଥିଲେ । ସେହି ସମୟର ଅଭିଜ୍ଞତା କୁହନ୍ତୁ

ହଁ, ଅନଶନରେ ବସିଥିଲି ତ ! ବସିବାକୁ ପଡିଥିଲା। କେତେ ନ ବାଧିଲେ ଜଣେ ଅନ୍ନ ଜଳ ନ’ନେଇ ବସିଯାଏ ! ଇଏ ବି ଏକ ବାଧ୍ୟ ବାଧକତା ନୁହଁ ! କେତେ କିଏ ବୁଝିଲେ ସିଏ ଭିନ୍ନ କଥା ! ଚାରିଦିନ ଜଳଅନ୍ନ ବିନା ବସିଲା ପରେ କ୍ୟାପିଟାଲ ହସପିଟାଲରୁ ଡାକ୍ତର ଆସି ଚେକ ଅଫ କରି କହିଲେ, ପାଣି ଅଂଶ କମି କମି ଯାଉଛି, ଇଲେକ୍ଟୋରାଲ ପ୍ୟାକେଟ ଦେଇ ଯାଉଛି, ଯଦି ପାଣି ନ’ ପିଇବେ, ମୁଁ କହିଲେ ଆପଣଙ୍କୁ ଉଠାଇନେବ ପୋଲିସ। ଯେହେତୁ ଆପଣ ଜାତିର କାର୍ଯ୍ୟ କରୁଛନ୍ତି ମୁଁ ଚାହେଁନା ଏମିତି ହେଉ। ଆପଣଙ୍କୁ ନମସ୍କାର କରୁଛି ଅନ୍ତତଃ ପାଣି ପିଉଥିବେ ! ଆମ ମାନ-ସମ୍ମାନ ରହୁ ଆପଣଙ୍କ ପାଇଁ।” ଆରେ ବାପରେ ! ଏତେ କଥା! ମୋ ଦାବି ଛୋଟିଆ। ବିଦେଶୀ ଭାଷା ବୁଝି ପାରୁନି , ମୋ ଭାଷାରେ ଲେଖି କରିଦିଅ। ବାସ୍। ହେଉନି। ଟଙ୍କା ସୁନା ରୂପା ଚାକିରୀ ମାଗୁନି। ମୋ ଭାଷାରେ କଥାବାର୍ତ୍ତା କର । ସମ୍ୱିଧାନ ତ ଏଇଟା କହୁଛି, ଆଇନ ତ ଏଇଟା କହୁଛି । କୋଉ ବଡ କଥା ମୋ ଦ୍ୱାରା କହି ହେଉଛି ଯେ !

ସମ୍ୱିଧାନ କହୁଛି, ପନ୍ଦର ବର୍ଷ ଯାଏଁ ଇଂରାଜୀ ରହିବ; ଅର୍ଥାତ୍ ୧୯୫୦ରୁ ପନ୍ଦର ବର୍ଷ ଅର୍ଥାତ୍ ୧୯୬୫ ଯାଏଁ। ଏଇ ୩୪୩ ଧାରା ଏଯାଏଁ ସଂଶୋଧିତ ହୋଇନି। ଅର୍ଥ ହେଲା ଇଂରାଜୀ ବ୍ୟବହାରଟା ୧୯୬୫ ପରେ ଅସାମ୍ୱିଧାନିକ। ଆମ ଓଡିଶା ସରକାରୀ ଭାଷା ଆଇନ କହିଲା , ସବୁ ବା ଯେକୌଣସି କାର୍ଯ୍ୟରେ ଓଡିଆ ଭାଷା ବ୍ୟବହାର କରାଯିବ। ଏହା ଲାଗୁ ହେଲା ୧୯୫୪ରୁ । ୟାର ଅର୍ଥ ହେଲା, ଓଡିଆ ଛଡା ଅନ୍ୟ ଭାଷା ଆମ ପାଇଁ ବେଆଇନ। ଏତିକି ପାଇଁ ଅନଶନ। ବାଃ ରେ ରାଜ୍ୟ, ବାଃ ଜୀବନ ! ଆଉ ଭାଷାରେ ପରିଚିତି। ଭାଷା ପାଇଁ ରାଜ୍ୟ। ଭାଷାହୀନ ଜୀବନ କି ଜୀବନ! ଏଇଥିପାଇଁ ଅନଶନ! ସମ୍ୱିଧାନର ଅଷ୍ଟମ ସୂଚୀରେ ଇଂରାଜୀ ଭାଷାର ସ୍ଥାନ ନାହିଁ। ଇଂରାଜୀ କାହାର ଭାଷା ? ସେଇ ଉପନିବେଶବାଦୀ, ଶୋଷଣକାରୀ, ଲୁଣ୍ଠନକାରୀଙ୍କ ନୁହଁ ? ଏଇ ବିଦେଶୀ ଭାଷା ଦ୍ୱାରା ଆମେ ସାର୍ବଭୌମ ଦେଶର ଲୋକଙ୍କୁ ଅନ୍ଧାରରେ ରଖି ଶୋଷି ଚାଲିଥିବା ? କବିଟିଏ ନ କହିଲେ ଆଉ କିଏ କହିବ ? ମରିଗଲେଣି କବି ଦୀପକ ମିଶ୍ର, କହିଥିଲେ ଏଇ କଥା ଓଡିଶା ସାହିତ୍ୟ ଏକାଡେମୀ ଅଫିସରେ । କବି ମରିଯିବ ପଛେ ସତ୍ୟ ପାଇଁ ହଟିବନି, ଉଚ୍ଚାରି ଚାଲିଥିବ ସେତକ। ହେଉ!

ଆପଣ ଓଡ଼ିଆ ଭାଷାରେ ଓକିଲାତି ବହି ଲେଖିଛନ୍ତି , ନିଜେ ଓଡ଼ିଆ ଭାଷାରେ ଓକିଲାତି କରିଛନ୍ତି । ଆପଣଙ୍କର ଏହି ନିଆରା ଚେଷ୍ଟା ସାର୍ବଜନୀନ ହୋଇପାରିଛି କି ?

କହି ପାରିବିନି ସର୍ବଜନୀକର ସଂଜ୍ଞା। କିନ୍ତୁ ଏତକ ଜରୁର କହିବି, ଚେତନାଟିଏ ପ୍ରବାହିତ ହୋଇଛି ସଭିଙ୍କ ଭିତରେ। ଅଙ୍କୁରୋଦଗମ ହେବ। ବିଶାଳ ମହୀକୁ ଘୋଟିଯିବ, ରୁହ ଦେଖିବ। କଂସ ଟଳି ପଡିବ ମଞ୍ଚରୁ। ଅନ୍ୟଥା ହେବନି ସତ୍ୟ ବଚନ। ରାବଣର ସ୍ୱର୍ଣଲଙ୍କା ପୋଡି ପାଉଁଶ ହେବ। ମାଟି ମା ମୁକ୍ତି ଲାଭ କରିବ । ମାତୃଭୂମି ମାତୃଭାଷାର ମମତା ରହିଛି , ରହିବ। ସମୟକୁ ଅପେକ୍ଷା ଖାଲି।

୨୦୦୧ ମସିହାର କଥା- ପଡୋଶୀ ରାଜ୍ୟର ରାୟପୁର ଜିଲ୍ଲା ବିଚାରପତି ପଚାରିଲେ, ‘କହାଁ ଲିଖା ହେ ୱକିଲ ସାହେବ ଫରେନ ଲାଙ୍ଗୁଏଜ ମେ ଲିଖନେ କେ ଲିଏ! ‘ କହିଲି, ଓଡ଼ିଶା ମେ ୟେସା ଚଲତା ହେ’ ଚଟକିନା କହିଲେ, “ସରାସର୍ ଝୁଟ ହେ ୱକିଲ ସାହେବ, ଜରା ସୋଚିଏ!” ସତକୁ ସତ ଅଦାଲତର ଭାଷା ହେଉଛି ରାଜ୍ୟ ଭାଷା, କୌଣସି ବିଦେଶୀ ଭାଷା ନୁହଁ। ହଁ ବେଳେବେଳେ ସଂଯୋଗକାରୀ ଭାଷା ଭାବରେ କିଛି କିଛି ବ୍ୟବହାର ହୋଇ ପାରିବ। ସବୁବେଳେ କଦାପି ନୁହଁ। ଅନ୍ୟ ଭାଷା ବ୍ୟବହାର କଲେ, ଏହା ହେବ ଅଗଣତାନ୍ତ୍ରିକ। ଟିଟିଲାଗଡ ଅଦାଲତରେ ସଫଳତା ମିଳିଲା। ଓଡ଼ିଆରେ ରାୟ ମିଳିଲା। ଏହାକୁ ସାର୍ବଜନିକ କରିବା ପାଇଁ ‘ ଓଓଡ଼ିଆରେ ଓକିଲାତି’ ପୁସ୍ତକ ଲେଖିବାକୁ ପଡିଲା। ଦ’ ଲ ପ୍ରକାଶକ, ଭୁବନେଶ୍ବର ଛାପିଲେ ୨୦୦୯ରେ । ବହୁତ ବିକ୍ରି ହେଲା । ବିଭିନ୍ନ ସ୍ଥାନରେ ସଭା ସମିତି ହେଲା, ଅଦାଲତ ପରିସର ଭିତରେ ଆଉ ବାହାରେ । ମୁଖ୍ୟମନ୍ତ୍ରୀ/ ମୁଖ୍ୟ ସଚିବଙ୍କୁ ଭେଟ ହେଲା। କିନ୍ତୁ ଯେତେ ମାଠିବୁ ମାଠ.. ଆମେ କୁକୁର ଲାଙ୍ଗୁଡ ନା ! ଜାତିପ୍ରେମ ଭିତରୁ ନ ବାହାରିଲେ, ଉପରୁ ପାଣି ଢଳା କାମ ଦିଏନି ! ଆଉ ଏଥିପାଇଁ ଶିକ୍ଷା ଦରକାର। ଶିକ୍ଷା ତ ଅବାଟରେ, କ’ଣ କରିବା ? ସମ୍ପୂର୍ଣ୍ଣ ଶିକ୍ଷା ନିଜ ଭାଷାରେ ନ ହେଲା ଯାଏଁ କ’ଣ ହେବ ? କିଏ ମାନୁଛି ସମ୍ୱିଧାନ, ମାନୁଛି କେତେ ! ସ୍ୱାର୍ଥକୁ ଆଞ୍ଚ ଆସିଲେ, ମାର ଗୁଳି !

ଆପଣ ଏକଦା ବହୁଳ ପ୍ରକାଶିତ କବି ଥିଲେ । ଏବେ କବିତାର ସଂଖ୍ୟା କମିଯିବାର କାରଣ କ’ଣ ?

ବହୁଳ ପ୍ରକାଶିତ କ’ଣ ? ଲେଖୁଥିଲି, ପଠାଉଥିଲି । ଏବେ ବି ଲେଖା ଚାଲିଛି, ପଠାଇ ପାରୁନି, ବ୍ୟସ୍ତତା କାରଣରୁ। ସମୟ ସୁଅରେ ସବୁବେଳେ ସମାନ ଚାଲିବ, ଏହା ବି ନୁହଁ । କବିତା-ଜୀବନ, ଜୀବନ-କବିତା। ଜଡ଼ ଜୀବନ ସବୁ କବିତାମୟ। କବିତା ହିଁ ଦୃଶ୍ୟ, ଅଦୃଶ୍ୟ।

ମୁଦ୍ରଣ ଶିଳ୍ପର ବିକାଶ ପରେ ଏବେ ବହୁ ସଂଖ୍ୟକ ପତ୍ରିକା ପ୍ରକାଶିତ ହେଉଛି । ସେଗୁଡ଼ିକର ମାନକୁ ନେଇ ଆପଣଙ୍କର ମତ କଣ ?

ଗୋଟେ ବା ଦୁଇଟା ମାନକ ପତ୍ରିକା ବାହାରିବା କଥା ଯାହା ସମଗ୍ର ରାଜ୍ୟର ଉଚ୍ଚାଙ୍ଗ ଲେଖାକୁ ବାହାରେ ପ୍ରତିନିଧିତ୍ବ କରିବ। ଛତୁ ଫୁଟିଲେ କି ଲାଭ?

ଏବେ ସୋସିଆଲ ମିଡିଆରେ ରାତି ପାହିଲେ ଜଣେ ନିଜକୁ ପ୍ରକାଶିତ କରିପାରୁଛି । ଏହା ସାହିତ୍ୟ ପାଇଁ କେତେ ଶୁଭଙ୍କର ?

ନିଜକୁ ପ୍ରକାଶିତ କରିବା ହେଉଛି ପ୍ରକୃତି। ମଞ୍ଜି ଭିତରେ ଯାହା ଥାଏ ଲତା, ଗୁଳ୍ମ, ବୃକ୍ଷ ରୂପରେ ପ୍ରକଟିତ ହୁଏ। ଏପରିକି ସକଳ ଶକ୍ତିର ଆଧାର ସୂର୍ଯ୍ୟ ମଧ୍ୟ ନିଜକୁ ପ୍ରକାଶ କରନ୍ତି। ଶୁଭଙ୍କର। ଯାହା ପ୍ରକାଶ ପାଏ ତାହା ଅନ୍ୟର ଉପକାରରେ ଯଦି ନ’ ଆସିଲା କି ଲାଭ ? ଯଦି କବି କି ଲେଖକଟିଏ, ନିଜକୁ ସଚରାଚର ବିଶ୍ୱ ଭିତରେ ଆଉ ବିଶ୍ୱକୁ ନିଜ ଭିତରେ ନ’ ରଖିଲା, ତେବେ କଥା ସରିଲା। ସବୁ ଦୁଃଖ ସହି ଅନ୍ୟକୁ ସୁଖ ଦେବା ହିଁ ଜୀବନ। ସତ୍ କବି ଏହା ଜାଣେ, ବୁଝେ। ‘ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ’। କବି ହିଁ ବିଶ୍ୱକୁ ମଧୁମୟ କରେ । ସକାରାତ୍ମକ ଚିନ୍ତା ଶୁଭଙ୍କର ନିଶ୍ଚୟ।

ଆପଣ ଉଭୟ ଓଡ଼ିଆ ଓ ସମ୍ବଲପୁରୀ ଭାଷାରେ କବିତା ଲେଖିଛନ୍ତି । ଦୁଇଟି ଭାଷାରେ ଲେଖିବାରେ କିଛି ସ୍ୱତନ୍ତ୍ର ଅନୁଭବ ଅଛି କି ?

ଅଛି, ଅନନ୍ୟ ଆଉ ସ୍ୱତନ୍ତ୍ର। କୋସଲିରେ ହେଉ କି ଓଡ଼ିଆରେ ହେଉ, ଇଂରାଜୀରେ ହେଉ କି ହିନ୍ଦିରେ, ଲେଖିବାବେଳ ସେଇ ଯୋଉ ତରଙ୍ଗ ଅଲଗା। କୋସଲି ତ ମୋ ମାତୃଭାଷା। ସ୍ୱତଃ ଚାଲିଆସେ ଭାବ ସହିତ ମାଟିର ଭାଷା। ସ୍ୱଚ୍ଛଳ, ସ୍ୱାଭାବିକ।

ଓଡ଼ିଆ  ରାଜ୍ୟର ସରକାରୀ ଭାଷା। ଅସହଜ ଲାଗେ ନାହିଁ । ଆମେ ସ୍କୁଲ ଜୀବନରୁ ୟାକୁ ଆୟତ୍ତ କରିଛୁଁ ନା ! ଓଡ଼ିଆ ରାଗିଲେ ହିନ୍ଦୀ କହେ ବୋଲି ଜନମୁଖରେ ପ୍ରଚାରିତ। ହିନ୍ଦୀ ବି ଆସେ ତା ବାଗରେ । ଆମ ଏ ଅଞ୍ଚଳ ମଧ୍ୟପ୍ରଦେଶ ଅଧିନରେ ଥିଲା, ତେଣୁ ହିନ୍ଦୀ ପ୍ରଭାବିତ। କୋସଲି ଭାଷା ଓଡ଼ିଆ ଅପେକ୍ଷା ହିନ୍ଦୀର ନିକଟବର୍ତ୍ତୀ ଭଳି ଲାଗେ। ଗୋଆରେ ହେଉଥିବା ଏକ କବି ସମ୍ମିଳନୀରେ ୨୦୧୫ରେ, ମୁଁ ଯେତେବେଳେ କୋସଲି କବିତା ଆବୃତ୍ତି କଲି, କରତାଳିରେ ପୂରି ଉଠିଥିଲା ପୂରା ସଭାସ୍ଥଳ। ଦୁଇ ତିନିଜଣ ମଞ୍ଚକୁ ଉଠି ଆସିଥିଲେ। ମୁଁ ବି ଅନୁମାନ କରିଛି କୋଙ୍କଣୀ, ମରାଠିରେ ବହୁତ କୋସଲିର ପାଖାପାଖି ଶବ୍ଦ ଅଛି। କୋସଲ ଅଞ୍ଚଳ ମାରାଗୁଡାରୁ ଓଡ଼ିଆ ଅକ୍ଷରର ପୁରାତନ ଢାଞ୍ଚା ବାହାରିଛି ବୋଲି କେତେକଙ୍କର ମତ ବି ଅଛି।

ଇଂରାଜୀରେ ବି କବିତା କେତେ ଲେଖିଛି। ‘ପଏମ ହଣ୍ଟର’, ‘ପୋଏଟ୍ରି ଡଟକମ’ରେ ଅନେକ କବିତା ଅଛି। ୟାର ଗୋଟେ ଅଲଗା ଟେଷ୍ଟ। ଯୋଉ ଭାଷା ବି ହେଉ, କବିତା ହେଉଛି ହୃଦୟର। ହୃଦୟରୁ ହୃଦୟ ଯଦି ନ ସଞ୍ଚରିଲା, ସେ କି କବିତା ! ଅକ୍ଷର/ଭାଷା ଗୋଟେ ମାଧ୍ୟମ ମାତ୍ର।

ଆପଣଙ୍କ କବିତାର ଅନ୍ତଃସ୍ବର କ’ଣ ?

କବିତାର ଅନ୍ତଃସ୍ୱର ପଚାରିଲେ କଣ କହିବି ! ଏଇଟା ହିଁ ଖୋଜି ଚାଲିଛି ଏଯାଏଁ । ପ୍ରେମ, ଜୀବନ, ମାଟି ମା, ସମ୍ପର୍କ, ମଣିଷତ୍ଵ। ସମଗ୍ର ଜୀବଜଗତ ଏକ। ଆହୁରି ଭିତରକୁ ଗଲେ ଜଡ ଆଉ ଜୀବ ମଧ୍ୟ ଏକ। ସବୁଠି ସେଇ ଦିବ୍ୟ ଭାବ। ଦିବ୍ୟତା ହିଁ ସବୁ ସ୍ୱର । ଭିତରେ ପୁଣି ବାହାରେ। ଖୋଜିବାରେ ଯାଉଛି ସବୁ ସମୟ। ଅନ୍ୱେଷା। ଜୋଡ ଫୋଡ ସବୁ ସେଇ। ଭିନ୍ନାଭିନ୍ନ ନ କର୍ତ୍ତବ୍ୟଂ। ନ ଜାଣିପାରି ଆମେ ବାଇ ଭୂତ।

ଆପଣଙ୍କର ଏତେ ଆନ୍ଦୋଳନ ସତ୍ତ୍ୱେ ଏବେ ବି ଓଡ଼ିଆ ଆମ ଦପ୍ତରର ଭାଷା ହୋଇ ପାରିନି କାହିଁକି ?

ଆମର ରକ୍ତ ନାହିଁ। ମା ମାଟିର ଗଦ୍ଦାର ଆମେ। ରାଗିବନି। ମରି ସାରିଛୁଁ ଆମେ। ଶବ-ଜାତି। କେମିତି ଉଠିବା ? ନିର୍ଲଜ୍ଜତାର ସୀମା ନାହିଁ ଆମଠି। ଅନ୍ୟ ରାଜ୍ୟ ହୋଇଥିଲେ କଣ ହୋଇଥାନ୍ତା ଚିନ୍ତା କର । ଆଠଦିନ କାଳ ରାଜ୍ୟ ଭାଷା ପାଇଁ ଅନଶନ ! ସ୍ୱାଧୀନ, ସ୍ୱତନ୍ତ୍ର, ସାର୍ବଭୌମ ଆମେ! ଫୁଃ ! କାହାକୁ କହିବା ? କପାଳରେ ସିନା କର ମାରିବା ? ଭାବୁଛି ମୁକ୍ତ ଭାବରେ, ହେଲେ କହି ପାରୁନି ମୁକ୍ତ ଭାବରେ । କହିଲେ କହିବ ଛି !

ଆପଣଙ୍କ ଦ୍ୱାରା ପ୍ରତିଷ୍ଠିତ ‘ତପୋବନ ଏକାଡେମୀ’ର ଆଭିମୁଖ୍ୟ କଣ ?

ସୃଜନଶୀଳତାର ପ୍ରତୀକ ହେବ ତପୋବନ ଏକାଡେମୀ। ଭାଷାର ପ୍ରତିବନ୍ଧ ନ ଥିବ। ବହୁତ ଭାଷା ଉପରେ ଗବେଷଣା ଚାଲିବ। ଭାଷା ତ ମାତ୍ର ଗୋଟିଏ ମାଧ୍ୟମ ନିଜକୁ ପ୍ରକାଶ କରିବାର। ମଣିଷତ୍ୱ ଖୋଜା ଚାଲିବ। ମଣିଷ ଗଢା କାରଖାନା ହେବ। ନିଶ୍ଚୟ ହେବ। ବିଶ୍ୱକୁ ନୂଆ ରୂପରେ ଦେଖେଇବ ତପୋବନ ଏକାଡେମୀ। ପ୍ରେମମୟ ଜୀବନ, ଶାନ୍ତି ପୂର୍ଣ୍ଣ ଜୀବନଶୈଳୀ, ପ୍ରକୃତିର ନିକଟତର ହୋଇ ବଞ୍ଚିବାର ମାନେ ବୁଝାଯିବ।

ଆଗାମୀ ସମୟ ପାଇଁ ଆପଣଙ୍କର ପ୍ରସ୍ତୁତିର ରୂପରେଖ କିଭଳି ରହିଛି ?

ଆଗାମୀ ସମୟ ପାଇଁ ପ୍ରସ୍ତୁତି ? ଚିକିଟାମାଟିର ମୂର୍ତ୍ତି, ପୋଡାହାଣ୍ଡି, ପୋକଖିଆ ଶୁଖିଲା କାଠ, ନିଆଁ ଚୂଲିରେ ପଡିଥିବା ଲୁହାର ପ୍ରସ୍ତୁତି କ’ଣ ? ପାଣି ହୀନ ମେଘ ଭାସି ଭାସି କେଉଁ ଆଡ଼କୁ କେତେବେଳେ ଯାଏ, କିଏ ଜାଣେ ! ଯାଇ ଯାଇ ନିଃଶେଷ ହୋଇଯାଏ କୋଉଠି, କାହାକୁ ମାଲୁମ ଥାଏ ? ଘୂରନ୍ତା ପୃଥିବୀର ସମୁଦ୍ରଫେଣ ବୁଦବୁଦ ଆମେ ! ସେଇ ମଇଳାରେ କେତେ ଜୀବଙ୍କର ସୃଷ୍ଟି ଆଉ ସେଇଠି ବି ତାଙ୍କର ଅନ୍ତ। କାହା ପାଖରେ ହିସାବ ? କୋଉ ଯୁଗରୁ ଏମିତି ଚାଲିଛି, ଚାଲୁଥିବ କି ନାହିଁ ମତେ ଜଣାନାହିଁ ! ଆଗାମୀର ଅର୍ଥ ବି ଅବୁଝା ମତେ। ସମୟକୁ ସମୟ ଆମେ ବାତୁଳ ! କବିତାରେ ମନକୁ ବୁଝାଇ ରହିଯିବା କଥା। ଇଏ ବି ମାୟା ନୁହଁ କି ?

Comments are closed.