Latest Odisha News

BREAKING NEWS

ଭୁବନେଶ୍ୱର ଲୋକସଭା ଆସନରେ କଡ଼ା ଟକ୍କର: ଏଥର ଅରୁପ ବନାମ ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ୱର ରାଜନୈତିକ ପାଣିପାଗରୁ ବେଶ୍ ଜଣାପଡୁଛି ଯେ, ପାଞ୍ଚଥର ବିଜେଡ଼ି ସାଂସଦ ଭାବେ ଭୁବନେଶ୍ୱର ଲୋକସଭା ଆସନରୁ ଜିତିଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କ ମୁଣ୍ଡ ଉପରେ ଏବେ ଡ଼େମୋକ୍ଲିସଙ୍କ ଖଣ୍ଡା ଝୁଲୁଛି । ଲାଗୁଛି, ଏଥର ଦଳ ଚାହୁଁଛି ନୂଆ ମୁହଁ ।

ଇତିମଧ୍ୟରେ ସୋମବାର ଦିନ ବିଜେଡ଼ି ପକ୍ଷରୁ ୯ଟି ଲୋକସଭା ଆସନ ନିମନ୍ତେ ପ୍ରାର୍ଥୀ ଘୋଷଣା ହୋଇସାରିଛି । ତେବେ ଏହି ୯ଟି ଆସନ ମଧ୍ୟରୁ ୮ଟି ଆସନରେ ନୂଆ ମୁହଁକୁ ପସନ୍ଦ କରିଛନ୍ତି ଦଳ ସୁପ୍ରିମୋ ।

ପୂର୍ବତନ ମୁମ୍ବାଇ ପୋଲିସ କମିଶନର୍ ଅରୁପ ପଟ୍ଟନାୟକ, ଯିଏକି ୨୦୧୮ ଏପ୍ରିଲରେ ବିଜେଡ଼ିରେ ଯୋଗଦାନ କରିଥିଲେ ଏବେ ଭୁବନେଶ୍ୱର ଲୋକସଭା ଆସନରେ ପ୍ରାର୍ଥୀପତ୍ର ନାମାଙ୍କନ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି । ଏହି ସମ୍ମାନଜନକ ଆସନରୁ ତାଙ୍କର ପ୍ରାର୍ଥୀତ୍ୱ ଖୁବ ଶିଘ୍ର ଘୋଷଣା ହେବ ବୋଲି ସମ୍ଭାବନା ରହିଛି । ଶ୍ରୀ ପଟ୍ଟନାୟକଙ୍କୁ ବର୍ତ୍ତମାନ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ଼ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରାଯାଇଛି । ଆଇଏଏସ ଅଧିକାରୀ ପଦବୀରୁ ନିକଟରେ ଇସ୍ତଫା ପ୍ରଦାନ କରି ବିଜେପିରେ ଯୋଗଦେଇଥିବା ଅପରାଜିତା ଷଡ଼ଙ୍ଗୀଙ୍କ ନାମ ଭୁବନେଶ୍ୱର ଲୋକସଭା ଆସନ ଲାଗି ଅନେକ ଦିନ ହେଲାଣି ଚର୍ଚ୍ଚାରେ ରହିଛି । ପ୍ରାୟତଃ ଅପରାଜିତା ହିଁ ଏହି ଆସନରୁ ବିଜେପି ଟିକଟରେ ଲଢିବେ ବୋଲି ଆଲୋଚନା ଚାଲିଆସିଛି । ଗୈରୀକ ବିଜେପିର ଅପରାଜିତାଙ୍କୁ ଅଟକାଇବାକୁ ବିଜେଡ଼ି ପକ୍ଷରୁ ଅରୁପଙ୍କ ନାମ ଏବେ ବେଶ୍ ଚର୍ଚ୍ଚାରେ ।

୧୯୯୪ ବ୍ୟାଚର ଆଇଏଏସ ଅପରାଜିତା ଷଡ଼ଙ୍ଗୀ ନଭେମ୍ବର ମାସରେ ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଭାବେ ଅବ୍ୟାହତି ନେଇ ରାଜନୈତିକ ନିର୍ବାଚନ ରଣଭୂମିରେ ଲମ୍ଫ ପ୍ରଦାନ କରିଛନ୍ତି ।

ଏହି ଭୁବନେଶ୍ୱର ଆସନରୁ ସିପିଏମ ପ୍ରାର୍ଥୀ ଜନାର୍ଦ୍ଦନ ପତିଙ୍କୁ କଂଗ୍ରେସ ସମର୍ଥନ ଦେବାର ଯଥେଷ୍ଟ ସମ୍ଭାବନା ରହିଛି ।

ବରିଷ୍ଠ ସିପିଏମ ନେତା ଶିବାଜୀ ପଟ୍ଟନାୟକଙ୍କ ହାତରେ ଏହି ସମ୍ମାନଜନକ ଭୁବନେଶ୍ୱର ଆସନ ୧୯୮୯ରୁ ୧୯୯୬ ପର୍ଯ୍ୟନ୍ତ ରହିଥିଲା, ଏହି ଆସନରେ ଭଲ ପ୍ରଭାବ ରହିଥିବା ନେଇ ଦଳ ଦାବି କରିଛି ।

Leave A Reply

Your email address will not be published.